ପାରାଦୀପ ଠାରୁ ଆଉ ୫୦ କି.ମି ଓ ଧାମରା ଠାରୁ ୬୦ କି.ମି. ଦୂରରେ ବାତ୍ୟା ଦାନା

Published By : Prameya-News7 Bureau | October 24, 2024 IST

ଭୁବନେଶ୍ୱର: ସମୁଦ୍ରରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଆଉ କେଇ ଘଣ୍ଟା ପରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ଼। ବାତ୍ୟାର ବେଗ ବର୍ତ୍ତମାନ ଘଣ୍ଟା ପ୍ରତି ୧୩ କିମିକୁ ଖସି ଆସିଛି। କିଛି ସମୟ ଆଗରୁ ଏହାର ବେଗ ଘଣ୍ଟା ପ୍ରତି ୧୫ କିମି ରହିଥିଲା। ଦାନା ବର୍ତ୍ତମାନ ପାରାଦୀପଠୁ ୫୦ କି.ମି ଦୂରରେ ରହିଥିବା ବେଳେ ଧାମରାଠୁ ଏହା ୬୦ କି.ମି. ଦୂରରେ ରହିଛି। ସେହିପରି ସାଗରଦ୍ଵୀପଠୁ ଏହା ୧୭୦ କି.ମି. ଦୂରରେ ରହିଛି। ଆଉ କେଇ ଘଣ୍ଟାରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିିଳିଛି। 

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ବାତ୍ୟା ଦାନା ଆଜି ରାତି ଓ ଆସନ୍ତାକାଲି ସକାଳେ ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ଦେଇ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିମି ରହିବ। ଝଟକା ସମୟରେ ଏହାର ବେଗ ସର୍ବାଧିକ ୧୨୦ କିମି ରହିବ। ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ପ୍ରଭାବ ୬ ଘଣ୍ଟା ଧରି ରହିବ। ଏହି ସମୟରେ ବାତ୍ୟାର ଦିଗ ସାମାନ୍ୟ ବଦଳି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଆ ଅଭିମୁଖେ ଗତି କରିବ। ଏହାରି ପ୍ରଭାବରେ ଉତ୍ତର ଉପକୂଳ ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ବର୍ଷା ହେବ। ବାତ୍ୟା ପାଇଁ ୧୪ଟି ଜିଲ୍ଲାକୁ ଆଲର୍ଟ ରଖାଯାଇଛି। ବିଶେଷ କରି ସ୍ଥଳଭାଗ ଛୁଇଁବା ସମୟରେ ବାଲେଶ୍ଵର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ବେଶୀ ପବନ ହେବା ସହ ସମୁଦ୍ରରେ ଜୁଆର ୧ ମିଟରରୁ ୨ ମିଟର ଉଚ୍ଚ ଉଠିବ। 

ବାତ୍ୟା ଦାନା ଉପକୂଳ ଅତିକ୍ରମ କରିବା ସମୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିପାରେ। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କ.ମି ରହିବ। ପୁରୀ ଓ କଟକରେ ଘଣ୍ଟାପ୍ରତି ୬୦ରୁ ୮୦କିମି ପବନ ହେବାକୁ ଥିବାବେଳେ ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା ସମେତ ଭୁବନେଶ୍ୱରରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ୭୦ କିଲୋମିଟର  ରହିବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.