ବାତ୍ୟା ଅପଡେଟ୍: କେନ୍ଦ୍ରାପଡ଼ାରେ ଉପୁଡ଼ିଲା ଗଛ, ରାସ୍ତା ସଫାରେ ଲାଗିଛି ଓଡ୍ରାଫ୍ ଟିମ୍

Published By : Prameya-News7 Bureau | October 25, 2024 IST

କେନ୍ଦ୍ରାପଡ଼ା: ବାତ୍ୟା ଦାନା ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ନ' ମୌଜା ଅଞ୍ଚଳରେ ରାସ୍ତାରେ ଗଛ ଭାଙ୍ଗି ପଡି ରାସ୍ତା ଅବରୋଧ ହୋଇଥିଲା l ଖବର ପାଇ ଓଡ୍ରାଫ୍ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଂଚି କଟର ସାହାଯ୍ୟରେ ଗଛ କାଟି ରାସ୍ତା ସଫା କରିଛନ୍ତିl କେନ୍ଦ୍ରାପଡା ଜିଲାର ୯ଟି ବ୍ଲକର ୨୪୯ ଗୋଟି ପଞ୍ଚାୟତ ବାତ୍ୟା ଦ୍ଵାରା ପ୍ରଭାବିତ ହୋଇଛିl 

ଜିଲାରେ ମୋଟ ୧୫୯୩ ଗୋଟି ଗାଁ ବାତ୍ୟା କବଳରେ କବଳିତ ହୋଇଥିବା ବେଳେ ୧୫ ଲକ୍ଷ ୮୪ ହଜାର ୩୯୭ ଜଣ ବାତ୍ୟା ଦ୍ଵାରା ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ୯୮ ହଜାର ୫୫୪ ଜଣ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ଯୋଜନା କରାଯାଇଛି।

ସେପଟେ ବାତ୍ୟାର ଫରୱାର୍ଡ ସେକ୍ଟର ବର୍ତ୍ତମାନ ସ୍ଥଳ ଭାଗ ଛୁଇଁ ସାରିଛି । ଆଗାମୀ ତିନିରୁ ୪ ଘଣ୍ଟା ମଧ୍ୟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ । କେନ୍ଦ୍ରାପଡ଼ା, ଭଦ୍ରକ, ଧାମରା, ଦିଘା ଅଞ୍ଚଳରେ ବର୍ଷା ହେବା ପବନ ମାତ୍ରା ବଢିବାରେ ଲାଗିଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ସହ ବାତ୍ୟା ଦାନାର ତାର ଭୟାବହ ରୂପ ଦେଖାଇବା ଆରମ୍ଭ କରିଛି । ସମୁଦ୍ରର ଉଚ୍ଚ ଉଚ୍ଚ ଲହଡ଼ି କୂଳରେ ପିଟି ହେଉଛି । ବାତ୍ୟା ପ୍ରଭାବରେ ଭିତରକନିକାରେ ମଧ୍ୟ ପ୍ରବଳ ବର୍ଷା ଏବଂ ପବନ ବହୁଛି ।

ଭିତରକନିକା ତାଳଚୁଆ ଜେଟିରେ ପବନର ବେଗ ବଢିବାରେ ଲାଗିଛି । ସମୁଦ୍ର ପାଣି କୂଳ ଲଙ୍ଘିବାରେ ଲାଗିଛି । ଜେଟି ନିକଟରେ ସମୁଦ୍ର କୂଳ ଖାଇବାରେ ଲାଗିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିଛି ଘରର ପଛ ପଟେ ସମୁଦ୍ର କୂଳ ଖାଇସାରିଛି । ଲୁଣା ପାଣି ଚାଷ ଜମିରେ ପଶିଛି । ତାଳଚୁଆରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିଛି । ଏପରି କି ବାତ୍ୟାର ପ୍ରଭାବରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.