ରାତି ୧ରୁ ୨ଟା ମଧ୍ୟରେ ଲ୍ୟାଣ୍ଡଫଲ୍; ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସବୁ କାର୍ଯ୍ୟ ଠିକ୍ ଚାଲିଛି କହିଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 24, 2024 IST

ଭୁବନେଶ୍ୱର: ଆଉ କେଇ ଘଣ୍ଟା ପରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ଼ ଦାନା । ପାରାଦୀପଠାରୁ ବାତ୍ୟା ଦାନା ୫୦ କିଲୋମିଟର ଦୂରରେ ରହିଛି । ଗୁରୁବାର ରାତି ଗୋଟାଏରୁ ୨ଟା ମଧ୍ୟରେ ଭିତରକନିକା ଅଭୟାରଣ୍ୟରେ ଲ୍ୟାଣ୍ଡଫଲ୍ କରିପାରେ । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାତ୍ୟା ମୁକାବିଲା ପ୍ରସ୍ତୁତିର ଚୂଡ଼ାନ୍ତ ସମୀକ୍ଷା କରିଛନ୍ତି । 

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, 'କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଅଭୟାରଣ୍ୟରେ ରାତି ୧ରୁ ୨ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ । ବାତ୍ୟା ମୁକାବିଲା ପାଇଁ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି । ଗତକାଲି ଏବଂ ଆଜି ମଧ୍ୟରେ ଯେଉଁ ସମୀକ୍ଷା ହୋଇଛି, ସେଥିରେ ମନ୍ତ୍ରୀମାନେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ପହଞ୍ଚି ସମସ୍ତ ତଦାରଖ କରୁଛନ୍ତି । ବରିଷ୍ଠ ଅଧିକାରୀମାନେ ସମସ୍ତ କାର୍ଯ୍ୟର ପରିଚାଳନା କରୁଛନ୍ତି । 

ମୁଖ୍ୟମନ୍ତ୍ରୀ କହିଛନ୍ତି, 'ପ୍ରଥମରେ ୧୧ ଜିଲ୍ଲାରୁ ୧୦ ଲକ୍ଷ ଲୋକଙ୍କ ସ୍ଥାନାନ୍ତର କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ବାତ୍ୟାର ଗତିପଥରେ ସାମାନ୍ୟ ପରିବର୍ତ୍ତନ ଯୋଗୁଁ କିଛି ଜିଲ୍ଲାରୁ ବାଦ୍ ଦିଆଯାଇଥିଲା । ଏହାପରେ ୩,୬୨,୦୦୦ ଜଣଙ୍କୁ ସ୍ଥାନାନ୍ତର କରିବା ପାଇଁ ଟାର୍ଗେଟ୍ କରାଯାଇଥିଲା । ଏହି ଲକ୍ଷ୍ୟକୁ ଶତ ପ୍ରତିଶତ ପୂରଣ କରିବା ପାଇଁ ଟାର୍ଗେଟ୍ ଦିଆଯାଇଥିଲା । ବର୍ତ୍ତମାନ ଏହା ୫,୮୪,୮୮୮ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିପରି ବାତ୍ୟା ଆଶ୍ରୟ ସ୍ଥଳ ସଂଖ୍ୟା ୮୩୮୨କୁ ବୃଦ୍ଧି ହୋଇଛି । ଏଥି ମଧ୍ୟରୁ ୬୦୦୮ଟି କାର୍ଯ୍ୟକ୍ଷମ ଅଛି ।'


ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, 'ସମସ୍ତ ସାଂସଦ, ବିଧାୟକଙ୍କ ସହ ଗ୍ରାଉଣ୍ଡ ଜିରୋର ସ୍ଥିତି ବିଷୟରେ ଆଲୋଚନା କରିଛି । ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରି ବିସ୍ତୃତ ରିପୋର୍ଟ ଦେଇଛି । ଦିଲ୍ଲୀରୁ ରହି ସେମାନେ ସ୍ଥିତିର ସମୀକ୍ଷା କରୁଛନ୍ତି ।'

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, 'ବାଲେଶ୍ୱର ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ ସେଠାରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଦ୍ୱିତୀୟରେ ମୟୂରଭଞ୍ଜ ଜିଲ୍ଲାରୁ ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଭଦ୍ରକରୁ ୭୫ ହଜାର, ଯାଜପୁରରୁ ୬୦ ହଜାର ଏବଂ କେନ୍ଦ୍ରାପଡ଼ାରୁ ୪୬ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନନ୍ତର କରାଯାଇଛି । ମାଆ ଗୃହରେ ୪୪୩୧ ଗର୍ଭବତୀ ମହିଳାମାନଙ୍କୁ ରଖାଯାଇଛି । ସେମାନଙ୍କ ମଧ୍ୟରୁ ୧୬୦୦ ଜଣ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଉଭୟ ମାଆ ଏବଂ ପିଲା ସୁସ୍ଥ ଅଛନ୍ତି । 

ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାସ୍ତା ସଫା, ବିଜୁଳି ସେବା ପ୍ରଭାବିତ ହେଲେ ତାର ମୁକାବିଲା, ପାନୀୟ ଜଳ ଯୋଗାଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହାସହ ଆବଶ୍ୟକୀୟ ଔଷଧ ସମସ୍ତ ସ୍ଥାନରେ ପହଞ୍ଚି ସରିଛି ।'

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.