ନାଜିବାଦ ଉପରେ ବିଜୟର ୮୦ତମ ବାର୍ଷିକରେ ଯୋଗ ଦେବା ପାଇଁ ମୋଦିଙ୍କୁ ପୁଟିନଙ୍କ ଆମନ୍ତ୍ରଣ

Published By : Prameya-News7 Bureau | March 06, 2025 IST

ନୂଆଦିଲ୍ଲୀ ୬।୩: ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଆଗାମୀ ମେ ମାସରେ ହେବାକୁ ଯାଉଥିବା ନାଜିବାଦ ଉପରେ ବିଜୟର ୮୦ତମ ବାର୍ଷିକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ଋଷିଆ ଏହି ଉତ୍ସବ ନିମନ୍ତେ ଭାରତର ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ବିଶ୍ୱନେତାମାନଙ୍କୁ ମଧ୍ୟ ଆମନ୍ତ୍ରଣ କରିଛି। ମେ ୧୯୪୫ରେ ସୋଭିଏତ ସଂଘର ସଶସ୍ତ୍ର ସେନା ଜର୍ମାନ ନାଜିଙ୍କ ରାଜଧାନୀ ବର୍ଲିନରେ ପ୍ରବେଶ କରିଥିଲା। ତେବେ ନାଜି ନେତା ଆଡଲଫ୍ ହିଟଲର ଏହାର କିଛି ସମୟ ପୂର୍ବରୁ ବଙ୍କରରେ ଆତ୍ମହତ୍ୟ କରିସାରିଥିଲେ। 

ଦ୍ୱିତୀୟ ବିଶ୍ୱଯୁଦ୍ଧ ସେପ୍ଟେମ୍ବର ୧୯୩୯ରେ ଆରମ୍ଭ ହୋଇଥିଲା ଓ ନାଜିମାନେ ୧୯୪୧ ଗ୍ରୀଷ୍ମ ଋତୁରେ ସୋଭିଏତ ସଂଘ ଉପରେ ଆକ୍ରମଣ କରିଥିଲେ। ସଂଘର୍ଷ କାଳରେ ସୋଭିଏତ ସଂଘର ୨୭ ନିୟୁତ ସୈନିକ ଓ ନାଗରିକ ପ୍ରାଣ ହରାଇଥିଲେ। ଏହି ସମୟରେ ସୋଭିଏତ ସଂଘରେ ୟୁକ୍ରେନ, ୩ ବାଲ୍ଟିକ ରାଜ୍ୟ ଓ ବେଲାଋଷ ସାମିଲ ଥିଲା। ଯୁଦ୍ଧର ସବୁଠୁ ରକ୍ତାକ୍ତ ସଂଘର୍ଷ ସୋଭିଏତ ସଂଘ ଓ ଜର୍ମାନ ନାଜିଙ୍କ ମଧ୍ୟରେ ହୋଇଥିଲା। 

ତେବେ ୭-୯ ମେ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ନାଜିବାଦ ବିରୋଧରେ ଋଷିଆର ବିଜୟ ଦିବସରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଅତିଥି ହୋଇପାରନ୍ତି। ସୁତ୍ର ଏହି ନିମନ୍ତ୍ରଣ ପୁଷ୍ଟି କରିଛି, ହେଲେ ଏ ବାବଦେ ଏ ପର୍ଯ୍ୟନ୍ତ ପ୍ରତିକ୍ରିୟା ମିଳି ନାହିଁ। ତେବେ ଏ ନେଇ ନିଷ୍ପତ୍ତି ନିଆଯିବା ପରେ ଯାହା ପ୍ରତିକ୍ରିୟା ମିଳିବ। ରାଷ୍ଟ୍ରପତି ପୁଟିନ ମଧ୍ୟ ଭାରତ ଗସ୍ତରେ ଆସି ପାରନ୍ତି। ତେବେ ଏହା ଚଳିତବର୍ଷର ଶେଷ ଆଡକୁ ତାଙ୍କ ଗସ୍ତକାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇପାରେ।

ଏଥି ମଧ୍ୟରେ ଋଷିଆ-ୟୁକ୍ରେନ ଯୁଦ୍ଧକୁ ୩ ବର୍ଷ ପୂରଣ ହୋଇଛି। ଯୁଦ୍ଧ ଏବେବି ସରିନି, ତେବେ ଭାରତ ଏହି ଯୁଦ୍ଧ ତୁରନ୍ତ ସମାପ୍ତ ହେଉ ବୋଲି ଚାପ ସୃଷ୍ଟି କରୁଛି। ଏଥି ପାଇଁ ଆଲୋଚନା ମାଧ୍ୟମରେ ବିବାଦର ସମାଧନ କରିବାକୁ ପରାମର୍ଶ ଦେଉଛି। ଭାରତ-ଋଷିଆ ଦ୍ୱିପାକ୍ଷୀୟ ବୈଠକ ବେଳେ ‘ଏକବିଂଶ ଶତାବ୍ଦୀ ଯୁଦ୍ଧ ପାଇଁ ନୁହେଁ’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯାହାଙ୍କ ଦୃଷ୍ଟିକୋଣ ସାମାନ୍ୟ ଭିନ୍ନ ଯୁଦ୍ଧ ବିରାମ ପାଇଁ ଏବେ ଚାପ ପକାଉଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.