ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବଡ଼ା ଭାରତର ତାରକା ବୋଲର ଯଶପ୍ରୀତ ବୁମରାଙ୍କଠୁ ଶୀର୍ଷ ମାନ୍ୟତା ଛଡ଼ାଇ ନେଇଛନ୍ତି। ରାବଡ଼ା ତିନୋଟି ସ୍ଥାନ ଉପରକୁ ଉଠି ଏକ ବୋଲର ମାନ୍ୟତା ହାସଲ କରିଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରି ରାବଡା ୯ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ରାବଡାଙ୍କ ଖାତାରେ ୮୬୦ ରେଟିଂ ପଏଣ୍ଟ ଥିବା ବେଳେ ବୁମରା ୮୪୬ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟରେ ବୁମରାଙ୍କୁ ଗୋଟିଏ ବି ଓ୍ଵିକେଟ୍ ମିଳି ନ ଥିଲା। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହେଜେଲଉଡ(୮୪୭) ଦ୍ଵିତୀୟ, ଆର ଅଶ୍ଵିନ(୮୩୧) ଚତୁର୍ଥ ଓ କଙ୍ଗାରୁ ଅଧିନାୟକ ପାଟ୍ କମିନ୍ସ(୮୨୦) ପଞ୍ଚମ ସ୍ଥାନରେ ରହିଛନ୍ତି।
ପାକିସ୍ତାନର ସ୍ପିନର ନୋମାନ ଅଲ୍ଲୀ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଧମାକାଦାର ପ୍ରଦର୍ଶନ ପରେ ଟପ୍-୧୦ରେ ପ୍ରବେଶ କରିଛନ୍ତି। ନୋମାନ ମ୍ୟାଚ୍ରେ ନଅ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ସେ ଆଠଟି ସ୍ଥାନ ଉପରକୁ ଉଠି ନବମରେ ପହଞ୍ଚିଛନ୍ତି। ଭାରତ ବିପକ୍ଷ ପୁଣେ ଟେଷ୍ଟରେ ୧୪ ଓ୍ଵିକେଟ୍ ନେଇଥିବା ମିଚେଲ୍ ସାଣ୍ଟନର(୪୫୮) ୩୦ଟି ସ୍ଥାନ ଲମ୍ଫ ମାରି ୪୪ତମ ସ୍ଥାନରେ ପହଞ୍ଚିଛନ୍ତି।
କୋହଲି-ରୋହିତଙ୍କୁ ବଡ଼ ଝଟକା
ଭାରତର ତାରକା ବ୍ୟାଟର ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମାଙ୍କୁ ବଡ଼ ଝଟକା ଲାଗିଛି। କୋହଲି(୬୮୮) ବ୍ୟାଟର ତାଲିକାରେ ୭ଟି ସ୍ଥାନ ତଳକୁ ଖସି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ରୋହିତ ୯ଟି ସ୍ଥାନ ଅବନ୍ନତି ଘଟାଇ ୨୪ତମ ସ୍ଥାନକୁ ଖସିଛନ୍ତି। ତାଙ୍କର ରେଟିଂ ପଏଣ୍ଟ ୬୪୯ ରହିଛି। ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ(୭୦୮) ଖରାପ ପ୍ରଦର୍ଶନ ପରେ ୫ଟି ସ୍ଥାନ ଖସି ୧୧ତମରେ ରହିଛନ୍ତି।
ଟପ୍-୧୦ରେ ଏକ ମାତ୍ର ବ୍ୟାଟର ଭାବେ ଜଣେ ଭାରତୀୟ ରହିଛନ୍ତି। ଓପନିଂ ବ୍ୟାଟର ଯଶସ୍ଵୀ ଜୟସ୍ଵାଲ ୭୯୦ ଅଙ୍କ ସହିତ ତୃତୀୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ବ୍ୟାଟର ଜୋ ରୁଟ୍(୯୦୩) ଶୀର୍ଷରେ ରହିଛନ୍ତି। କେନ ଓ୍ଵିଲିୟମସନ(୮୧୩) ଦ୍ଵିତୀୟ, ଇଂଲଣ୍ଡର ହାରି ବ୍ରୁକ(୭୭୮) ଚତୁର୍ଥ ଓ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ(୭୫୭) ପଞ୍ଚମ ସ୍ଥାନରେ ରହିଛନ୍ତି।