ନୂଆଦିଲ୍ଲୀ ୧୬।୧: ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୩ ଜାନୁୟାରୀ ସୋମବାର ରେକର୍ଡ ନିମ୍ନ ସ୍ତରକୁ ପହଞ୍ଚିଥିଲା। ସେଦିନ ୧ ଡଲାର ୮୬.୫୯ ଟଙ୍କାକୁ ପହଞ୍ଚିଥିଲା, ଯାହା ସମସ୍ତଙ୍କ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏହାକୁ ନେଇ ଏକ ସନ୍ତୁଳିତ ଦୃଷ୍ଟିକୋଣ ପ୍ରସ୍ତୁତ କରିଛନ୍ତି, ସେ କହିଛନ୍ତି ଯେ ଏହି ହ୍ରାସ ପାଇଁ ଘରୋଇ ଆର୍ଥିକ କାରଣ ନୁହେଁ ବରଂ ଆମେରିକୀୟ ଡଲାର ଅଧିକ ମଜଭୁତ ହୋଇଛି।
‘ମୋଜୋ’ ସହିତ ଏକ ସାକ୍ଷାତକାରରେ ରାଜନ କହିଛନ୍ତି ଯେ ‘ନିଶ୍ଚିତ ରୂପେ ଟଙ୍କା-ଡଲାର ବିନିମୟ ହାର ଉପରେ ସବୁବେଳେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ତେବେ ବାସ୍ତବିକତା ହେଉଛି ଡଲାର କିଛି ମୁଦ୍ରା ତୁଳନାରେ ମଜଭୁତ ହୋଇଛି। ଏଥିରେ ଯଦି ଆପଣ ୟୁରୋକୁ ଦେଖନ୍ତି ତେବେ ଗତବର୍ଷ ପ୍ରାରମ୍ଭରେ ଏହା ୯୧ ସେଣ୍ଟ କିଣି ପାରୁଥିଲା ଓ ଏବେ ଏହା ୯୮ ସେଣ୍ଟ କିଣୁଛି। ଏହା ୟୁରୋରେ ପାଖାପାଖି ୬ରୁ ୭ ପ୍ରତିଶତ ହ୍ରାସ। ତେବେ ଟଙ୍କାରେ ଏହାକୁ ତୁଳନା କଲେ ୮୩ରୁ ୮୬ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଏକ ମଧ୍ୟମ ହ୍ରାସ ବୋଲି ରାଜନ କହିଛନ୍ତି’।
ରାଜନ ବର୍ତ୍ତମାନର ପରିସ୍ଥିତିକୁ ‘ଡଲାର ପ୍ରସଙ୍ଗ’ ବୋଲି କହିଛନ୍ତି। ଯାହା ଅନେକ କାରକ ଯୋଗୁ ପ୍ରେରିତ, ଯେଉଁଥିରେ ନୂଆ ପ୍ରଶାସନ ଯୋଗୁ ଆମେରିକୀୟ ଟ୍ରେଡ ଡେଫିସିଟରେ ହ୍ରାସ ଓ ଡଲାର ଆସେଟର ସୁରକ୍ଷିତ କ୍ରୟ ସାମିଲ। ଏହା ବାସ୍ତବରେ ଡଲାରର ପ୍ରସଙ୍ଗ। ଡଲାର ଆଂଶିକ ରୂପେ ଏହି ବିଚାର ଯୋଗୁ ମଜଭୁତ ହେଉଛି ଯେ ନୂଆ ପ୍ରଶାସନ ଦ୍ୱାରା ଲାଗୁ ଟାରିଫ ଯୋଗୁ କ୍ଷତି କମ ହୋଇପାରେ। ଏହି ସମୟରେ ଡଲାର ଆସେଟରେ କିଛି ସୁରକ୍ଷିତ କ୍ରୟ ମଧ୍ୟ କରାଯାଇଛି। ଏଣୁ ଡଲାର ମଜଭୁତ ହେବାରେ ଆମେ ଚିନ୍ତିତ ହେବାର କୌଣସି କାରଣ ନାହିଁ ବୋଲି ରାଜନ କହିଛନ୍ତି।
ପ୍ରଶିଦ୍ଧ ଅର୍ଥଶାସ୍ତ୍ରୀ କହିଛନ୍ତି ଯେ ଯଦି କେହି ଟଙ୍କାର ବାସ୍ତବିକ ପ୍ରଭାବୀ ବିନିମୟ ହାରକୁ ଦେଖନ୍ତି, ଯାହାକୁ ସବୁ ଦେଶଙ୍କ ତୁଳନା କରାଯାଇ ପାରେ । ଏହା ସେହି ବିନିମୟ ହାର ଅଟେ ଓ ମୁଦ୍ରାସ୍ପିତି ନିମନ୍ତେ ସୁଧାର- ବାସ୍ତବରେ ଏହାର ମୂଲ୍ୟ ଏତେ ବି କମ ହୋଇନି। ଏହା ଅତିରିକ୍ତ ପ୍ରକାରର ନାମମାତ୍ର ମୂଲ୍ୟ ହ୍ରାସ ଓ ଭାରତୀୟ ରପ୍ତାନୀ ଲାଗି ଉପଯୋଗୀ । ଡଲାର ମଜଭୁତ ହେବା ଓ ଅଶୋଧିତ ତୈଳ ଦର ବୃଦ୍ଧି କାରଣରୁ ସୋମବାର ଟଙ୍କା ବିନିମୟ ମୂଲ୍ୟରେ ଭୀଷଣ ହ୍ରାସ ଦେଖା ଦେଇଥିଲା। ତେବେ ମଙ୍ଗଳବାର ଏଥିରେ ୨୧ ପଇସା ରିକୋଭରୀ ହୋଇଥିଲା। କାରଣ ଅଶୋଧିତ ତୈଳର ଦର ହ୍ରାସ ହୋଇଥିଲା।
ଏହି ବୃଦ୍ଧି ଓ ହ୍ରାସ ଏପରି ସମୟରେ ହେଉଛି ଯେତେବେଳେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ହେଉଛି। ବୈଦେଶିକ ମୁଦ୍ରା ଭଣ୍ଡାର ୩ ଜାନୁୟାରୀରେ ସମାପ୍ତ ସପ୍ତାହରେ ୬୩୪.୫୯ ବିଲିୟନ ଡଲାର ଥିଲା, ଯାହା ସପ୍ଟେମ୍ବରର ୭୦୪.୮୮୫ ବିଲିୟନ ଡଲରର ସର୍ବଚ୍ଚ ସ୍ତରରୁ ହ୍ରାସ ହୋଇଥିଲା। ଏଥିରେ ଯେତେବେଳେ ଆରବିଆଇଙ୍କ ହସ୍ତକ୍ଷେପର ଆବଶ୍ୟକତା ଉପରେ ପଚରାଗଲା ରଘୁରାମ ରାଜନ କହିଛନ୍ତି ଯେ ‘ଆପଣ ମୌଳିକ ଅର୍ଥଶାସ୍ତ୍ର କାରଣରୁ ହେଉଥିବା ଆଡଜଷ୍ଟ ବିପକ୍ଷରେ କେବେବି ହସ୍ତକ୍ଷେପ କରିବାକୁ ଚାହିଁବେନି। କାରଣ ଆପଣ ଯାହା ବିପକ୍ଷରେ ହସ୍ତକ୍ଷେପ ଚାହୁଁଛନ୍ତି ତାହା ଅସ୍ଥିର ଓ ସ୍ୱଳ୍ପକାଳୀକ, ଯାହା ଦୂର ହେବାକୁ ଯାଉଛି’।
ରାଜନ କହିଛନ୍ତି ଯେ ମୁଁ ଭାବୁଛି ଯେ ଡଲାରର ଏପରି ବୃଦ୍ଧି ଅଳ୍ପ କିଛି ସମୟ ପାଇଁ ଚାଲିବ ଓ ଯେଉଁ ପର୍ଯ୍ୟନ୍ତ ଆମେ ନୂଆ ପ୍ରଶାସନର ଆର୍ଥିକ ନୀତି ସମ୍ପର୍କରେ ନ ଜାଣିଛେ। ଏଣୁ ଏଥିରେ ଯାହା ହେଉଛି ତାକୁ ନେଇ ମୁଁ ଏତେ ଚିନ୍ତିତ ନୁହେଁ। ପୂର୍ବତନ ଆରବିଆଇ ଗଭର୍ଣ୍ଣର ଭାରତୀୟ ରପ୍ତାନୀ ନିମନ୍ତେ ଟଙ୍କାର ନାମମାତ୍ର ମୂଲ୍ୟ ହ୍ରାସ ଯୋଗୁ ସମ୍ଭାବିତ ଲାଭ ଆଡକୁ ମଧ୍ୟ ଇସାରା କରିଛନ୍ତି। କହିଛନ୍ତି ‘ଯଦି ସବୁ ଜାଗାରେ ଟାରିଫ ବଢାଯାଉଛି, ତେବେ ଏହାର ମୁକାବିଲା ନିମନ୍ତେ ସ୍ୱଭାବିକ ଉପାୟ ଆପଣଙ୍କ ରପ୍ତାନୀ ଉପରେ ଲାଗୁ ହେଉଥିବା ଟାରିଫ ଭରଣା ନିମନ୍ତେ ଆପଣଙ୍କୁ ମୁଦ୍ରାର କିଛି ମୂଲ୍ୟ ହ୍ରାସ ସହିବାକୁ ପଡିବ’।
ଟଙ୍କାର ଏପରି ମୂଲ୍ୟ ହ୍ରାସ ପାଇଁ ଫରେନ ପୋର୍ଟ ପୋଲିଓ ଇନଭେଷ୍ଟର (ଏଫଏଫଆଇ)ଙ୍କ ଡଲାର ଉଠାଣ ଯୋଗୁ କି? ବୋଲି ପଚରାଯିବାରୁ ରାଜନ କହିଛନ୍ତି ଯେ ଭାରତକୁ ଏହି ଏଫଆଇଆଇଙ୍କ ଆସିବା ଓ ଯିବା ସମୟରେ ସତର୍କ ରହିବାକୁ ପଡିବ। ସେ କହିଛନ୍ତି ଯେ ପ୍ରବାହ କିଛି ସମୟ ହେଲା ଆସୁଛି ଓ ଏଥିରୁ କିଛି ବାହାରକୁ ଯାଉଛି ଓ ଅନ୍ୟ ବିକଶିତ ବଜାରରେ ଆଡଜଷ୍ଟ ହେଉଛି। ଏଥିରେ ଭାରତ ବିକାଶ ମାମଲାରେ ଢେର ମଜଭୁତ ହୋଇଥିବା ବେଳେ ରାଜନୈତିକ ଦୃଷ୍ଟିର ମଧ୍ୟ ସ୍ଥିର। ଏଣୁ ଭାରତରେ ଆସେଟ ତଲାସ କରି ପ୍ରବାହ ଆସୁଛି। ହେଲେ ଏବେ ଚୀନା ଆସେଟସ୍ ଟିକେ ଆକର୍ଷକ ହେଉଛି।
କାରଣ ଚୀନ୍ ସରକାର ପ୍ରୋତ୍ସାହନ କଥା କହୁଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ରୂପେ ହୋଇ ନାହିଁ କାରଣ ଆମେ ସେହି ସୀମା ପର୍ଯ୍ୟନ୍ତ ପ୍ରୋତ୍ସାହନ ଦେଖୁ ନାହୁଁ ଯାହା ନିବେଶକ ଆଶା କରନ୍ତି। ଏଣୁ ଚୀନ୍ ଏବେ ଆମେରିକା ପ୍ରଶାସନର ପଦକ୍ଷେପକୁ ଅପେକ୍ଷା କରିଛି। ଏଣୁ ମୁଁ ଭାବୁଛି ଏ ସବୁ ସ୍ୱଭାବିକ ଆଡଜଷ୍ଟମେଣ୍ଟ ଓ ଘାବରେଇ ଯିବାର କୌଣସି କାରଣ ନାହିଁ।