ଭୋପାଳ: ମଧ୍ୟପ୍ରଦେଶରେ ବିଜେପି ନେତୃତ୍ୱାଧିନ ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍। ଶନିବାର ଶହଜପୁରରେ କଂଗ୍ରେସର ଜନ ଆକ୍ରୋସ ଯାତ୍ରାରେ ଯୋଗ ଦେଇ ରାହୁଲ ମଧ୍ୟପ୍ରଦେଶ ଦେଶରେ ଦୁର୍ନୀତିର କେନ୍ଦ୍ର ସ୍ଥଳ ବୋଲି କହିଛନ୍ତି। ସେ କହିଛନ୍ତି “ବ୍ୟାପମ ଭଳି ଦୁର୍ନୀତି ରାଜ୍ୟକୁ ଦୋହଲାଇ ଦେଇଥିଲା। ଏମ୍ବିବିଏସ୍ ଡିଗ୍ରୀ ବିକ୍ରି କରାଯାଉଛି। ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ କରି ବିକ୍ରି କରାଯାଉଛି। ଏଥିସହିତ ମହାକାଳ ଲୋକ କରିଡରର ନିର୍ମାଣରେ ବି ଦୁର୍ନୀତି ହୋଇଛି ବୋଲି ରାହୁଲ କହିଛନ୍ତି।”
ସେହିପରି କଂଗ୍ରେସ ଆର୍ଏସ୍ଏସ ଓ ବିଜେପି ବିଚାରଧାରା ବିରୋଧରେ ଲଢ଼େଇ କରୁଛି। ଗୋଟିଏ ପଟେ କଂଗ୍ରେସ ଅନ୍ୟପଟେ ବିଜେପି ଓ ଆର୍ଏସ୍ଏସ୍। ଗୋଟେ ପଟେ ଗାନ୍ଧୀ ଓ ଗୋଟେ ପଟେ ଗଡ଼ସେ ବୋଲି ରାହୁଲ କହିଛନ୍ତି। ସେ କହିଛନ୍ତି ଗୋଟିଏ ପଟେ ଘୃଣା ଓ ହିଂସା ଅନ୍ୟ ପଟେ ଭଲପାଇବା, ସମ୍ମାନ ଓ ଭାଇଚାରା ରହିଛି। ସେମାନେ(ବିଜେପି) ଯେଉଁଠିକି ଯିବେ କେବଳ ଘୃଣା ପ୍ରଚାର କରିବେ। ହେଲେ ବର୍ତ୍ତମାନ ମଧ୍ୟପ୍ରଦେଶର କୃଷକମାନେ ସେମାନଙ୍କୁ ଘୃଣା କରିବା ଆରମ୍ଭ କରିଦେଲେଣି ବୋଲି ରାହୁଲ କହିଛନ୍ତି।
କୃଷକଙ୍କ ଆତ୍ମହତ୍ୟା ନେଇ ରାହୁଲ ଏକ ତଥ୍ୟ ଦେଇଛନ୍ତି। ଗତ ୧୮ ବର୍ଷରେ ରାଜ୍ୟରେ ୧୮ ହଜାର କୃଷକ ଆତ୍ମହତ୍ୟା କଲେଣି। ଅର୍ଥାତ ରାଜ୍ୟରେ ଦୈନିକ ୩ ଜଣ କୃଷକ ଆତ୍ମହତ୍ୟା କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ରାହୁଲ କହିଛନ୍ତି “ ମଧ୍ୟ ପ୍ରଦେଶରେ କୃଷକଙ୍କୁ ସେମାନଙ୍କ ଫସଲର ଉଚିତ ମୂଲ୍ୟ ମିଳୁ ନାହିଁ। ଛିତଶଗଡ଼ ଯାଇ ପଚାରନ୍ତୁ ସେଠାକାର ଚାଷୀ ଧାନ ଫସଲ ପାଇଁ କେତେ ଟଙ୍କା ପାଉଛନ୍ତି। ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରା କଲୁ। ପ୍ରଥମ ଥର ପାଇଁ ଭାରତୀୟ ଇତିହାସରେ କୃଷକମାନେ କର ଦେଉଛନ୍ତି। ସେମାନେ ଜିଏସ୍ଟି ଲାଗୁ କରିଛନ୍ତି। ହେଲେ ଆମ ସରକାର ଗରିବ ଓ କୃଷକଙ୍କ ପାଇଁ କାମ କରୁଛି।”
ସେହିପରି ନିକଟରେ ସଂସଦରେ ପାରିତ ହୋଇଥିବା ମହିଳା ସଂରକ୍ଷଣ ବିଲ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ରାହୁଲ। ସେ କହିଛନ୍ତି ଯେ ଆଇନ୍ରେ ଓବିସିଙ୍କ ପାଇଁ ସଂରକ୍ଷଣ କାହିଁକି ରହିଲାନି?। ଯେତେବେଳେ ମୁଁ ଦେଶରେ କେତେ ସଂଖ୍ୟକ ଦଳିତ ଓବିସି ଓ ଆଦିବାସୀ ଅଛନ୍ତି ବୋଲି ପ୍ରଶ୍ନ କଲି କାହାରି ପାଖରେ ଉତ୍ତର ନଥିଲା ବୋଲି ରାହୁଲ କହିଛନ୍ତି। କେନ୍ଦ୍ରରେ କଂଗ୍ରେସ ସରକାର ଆସିଲେ ଜାତିଗତ ଜନଗଣନା କରାଯିବ ବୋଲି ସେ କହିଛନ୍ତି।
ସେହିପରି କେନ୍ଦ୍ରରେ ସଚିବଙ୍କ ଶାସନ ନେଇ ରାହୁଲ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଦେଶକୁ କେବଳ ୯୦ ଜଣ ଅଫିସର ଚଳାଉଛନ୍ତି। ଏଥିରେ କ୍ୟାବିନେଟ୍ ସେକ୍ରେଟାରୀ ଓ ଅନ୍ୟମାନେ ସେକ୍ରେଟାରିମାନେ ଅଛନ୍ତି ବୋଲି ରାହୁଲ କହିଛନ୍ତି। ଦେଶରେ ଆଇନ ଓ ନିୟମ ତିଆରି କରିବାରେ ବିଜେପିର ବିଧାୟକ ଓ ସାଂସଦର କୌଣସି ଭୂମିକା ନାହିଁ। ନିର୍ବାଚନ ବିଜେପି ସଦସ୍ୟଙ୍କ ବଦଳରେ ଆର୍ଏସ୍ଏସ୍ ଓ ଅମଲାମାନେ ନିୟମ ତିଆରି କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।