ଅଲଜଜିରା କାର୍ଯ୍ୟାଳୟ ଉପରେ ଇସ୍ରାଏଲୀ ସେନାର ଚଢଉ, ବନ୍ଦ ହେଲା Live ପ୍ରସାରଣ

Published By : Prameya-News7 Bureau | September 22, 2024 IST

ୱେଷ୍ଟବ୍ୟାଙ୍କ ୨୨।୯: ଇସ୍ରାଏଲୀ ସୈନିକ ମାନେ ରବିବାର ଭୋର ସମୟରେ ୱେଷ୍ଟବ୍ୟାଙ୍କସ୍ଥିତ ଅଲଜଜିରା କାର୍ଯ୍ୟାଳୟ ଉପରେ ଚଢଉ କରିଛନ୍ତି। ଏହି ଚଢଉ କାଳରେ ଚାଲିଥିବା ସିଧା ପ୍ରସାରଣକୁ ସୈନିକମାନେ ବନ୍ଦ କରିବା ସହ କାର୍ଯ୍ୟାଳୟରୁ କର୍ମଚାରୀଙ୍କୁ ବାହର କରି ଦେଇଛନ୍ତି। କତାର ପାଣ୍ଠିରେ ବ୍ରଡକାଷ୍ଟର ଗାଜାଷ୍ଟ୍ରିପରେ ଇସ୍ରାଏଲ-ହମାସ ଯୁଦ୍ଧ କଭର କରୁଥିଲା। ଏହା ପୂର୍ବରୁ ଇସ୍ରାଏଲ ଜେରୁଜେଲମରେ ଅଲଜଜିରା କାର୍ଯ୍ୟାଳୟ ଉପରେ ଚଢଉ କରିଥିଲା ଓ ସମସ୍ତ ଉପକରଣ ଜବତ କରିଥିଲା। 

ତେବେ ଜେରୁଜେଲମରୁ ପ୍ରସାରଣ ବନ୍ଦ ହେବା ପରେ ଅଲଜଜିରା ୱେଷ୍ଟବ୍ୟାଙ୍କ ଓ ଗାଜା ଷ୍ଟ୍ରିପରୁ ପ୍ରସାରଣ ଜାରି ରଖିଥିଲା। ଅଲଜଜିରା ଇସ୍ରାଏଲ ସେନାର ଏପରି କାର୍ଯ୍ୟକୁ ନିନ୍ଦା କରିଛି। ଏବେ ପଡୋଶୀ ଦେଶ ଜୋର୍ଡାନର ଅମାନରୁ ପ୍ରସାରଣ ଜାରି ରଖିଛି। ବ୍ରଡକାଷ୍ଟର କହିଛନ୍ତି ଯେ କଭରେଜକୁ ଦବାଇବା ଉଦ୍ୟମକୁ ଅଲଜଜିରା ନା ଡରିଛି ନା ଏଥିରେ ବିଚଳିତ। ସଶସ୍ତ୍ର ଇସ୍ରାଏଲୀ ସୈନିକମାନେ କାର୍ଯ୍ୟାଳୟରେ ପ୍ରବେଶ କରି ଲାଇଭ ପ୍ରସାରଣକୁ ଅଟକାଇବା ସହ ବନ୍ଦ କରିଦେଇଛନ୍ତି। 

ଇସ୍ରାଏଲରେ ଫରେନ ପ୍ରେସ ଆସୋସିଏସନ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛି। ଏହା ପ୍ରେସ୍ ସ୍ୱାଧୀନତା ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଆସୋସିଏସନ କହିଛି। ଏଣୁ ସଂଘ ଇସ୍ରାଏଲ ସରକାରଙ୍କୁ  କାର୍ଯ୍ୟାନୁଷ୍ଠାନର ପୁନର୍ବିଚାର କରିବାକୁ ନିବେଦନ କରିଛି। ସଂଘ କହିଛି ଯେ ବିଦେଶୀ ସାମ୍ବାଦିକଙ୍କ ଉପରେ କଟକଣା ଲଗାଇବା ଓ ନ୍ୟୁଜ୍ ଚ୍ୟାନେଲଙ୍କୁ ବନ୍ଦ କରିବା ଗଣତାନ୍ତ୍ରିକ ମୂଲ୍ୟରୁ ସରକାର ଦୂରେଇ ଯାଉଥିବାର ସଂକେତ ଦେଉଛି। ଇସ୍ରାଏଲ-ହମାସ ଯୁଦ୍ଧକୁ ଅଲଜଜିରା ଆରମ୍ଭରୁ କଭର କରିଆସୁଛି। ଅଲଜଜିରାକୁ କତାର ପାଣ୍ଠି ଦେଉଛି, ଯିଏ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ସଂଘର୍ଷ ବିରାମରେ ପହଞ୍ଚିବାକୁ ମଧ୍ୟସ୍ଥତା କରୁଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.