ଋଷିଆର ସବୁଠୁ ଶକ୍ତିଶାଳୀ ପରମାଣୁ କ୍ଷେପଣାସ୍ତ୍ରର ପରୀକ୍ଷଣ ବିଫଳ, ଲଞ୍ଚପ୍ୟାଡ୍ ଧ୍ୱଂସ୍ତ

Published By : Prameya-News7 Bureau | September 22, 2024 IST

ଅରଖାନଜେସ୍କ ୨୨।୯: ଋଷିଆ ଅରଖାନଜେସ୍କ ଅଞ୍ଚଳର ପ୍ଲେସ୍ତେସ୍କ କସମୋଡ୍ରମରୁ ତାର ସବୁଠୁ ଶକ୍ତିଶାଳୀ ପରମାଣୁ କ୍ଷେପଣାସ୍ତ୍ର ଆରଏସ-୧୮ ସରମଟର ପରୀକ୍ଷଣ କରିଛି। ତେବେ କ୍ଷେପଣାସ୍ତ୍ର ଲଞ୍ଚ ହେବା ପୂର୍ବରୁ ସାଇଲୋ (ମାଟି ତଳେ ଥିବା ବେଲଣାକାର ଗର୍ତ୍ତ, ଯେଉଁଥିରେ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ ଲଞ୍ଚ ହୁଏ)ରେ ହିଁ ବିସ୍ଫୋରଣ ହୋଇଛି। ଏହି କ୍ଷେପଣାସ୍ତ୍ରର ଏହା ଚତୁର୍ଥ ଅସଫଳ ପରୀକ୍ଷଣ। ଫଳରେ ପରୀକ୍ଷଣ ସ୍ଥଳରେ ଏକ ବିଶାଳ ଗର୍ତ୍ତ  ସୃଷ୍ଟି ହୋଇଛି। 

କ୍ଷେପଣାସ୍ତ୍ର ଲଞ୍ଚ ହୋଇ ନ ପାରିବାରୁ ସାଇଲୋ ଏବଂ ଟେଷ୍ଟ ସାଇଟ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହା ସତ୍ତ୍ୱେ ଋଷିଆ କହିଛି ଯେ ତାର ସଟନ-୨ ମିସାଇଲ କମ୍ବାଟ ଆଲର୍ଟ ପୋଜିସନରେ ମୁତୟନ ଅଛି। ସରମଟକୁ ଦ୍ୱିତୀୟ ସଟନ କୁହାଯାଏ। ଏହାକୁ ଏପରି ଡିଜାଇନ କରାଯାଇଛି ଯାହା ଆଣ୍ଟି ମିସାଇଲ ଡିଫେନ୍ସ ସିଷ୍ଟମକୁ ବି ଧୋକା ଦେଇପାରିବ। ୨ହଜାର ଟନରୁ ଅଧିକ ଓଜନଦାର ଏହି କ୍ଷେପଣାସ୍ତ୍ର ବିଶ୍ୱର ଯେ କୌଣସି କୋଣରୁ ଆକ୍ରମଣ କରିପାରିବ। ସରମଟ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ୩୫.୫ ମିଟର ଲମ୍ବ ହୋଇଥିବା ବେଳେ ଏହାର ଗୋଲେଇ ୩ ମିଟର ରହିଛି। ଏହା ଉପରେ ୧୦ରୁ ୧୫ଟି ୱାରହେଡ ଲଗାଯାଇ ପାରିବ। 

ଏଥିରେ ଲାଗିବାକୁ ଥିବା ୱାରହେଡ ପାରମ୍ପରିକ ବି ହୋଇପାରେ ନଚେତ ପରମାଣୁ ବି ହୋଇପାରେ। ଅର୍ଥାତ ଏହା ଦ୍ୱାରା ଗୋଟିଏ ସ୍ଥାନରୁ ୧୫ଟି ଲକ୍ଷ୍ୟକୁ ଟାର୍ଗେଟ କରାଯାଇ ପାରେ। ଏହାର ରେଞ୍ଜ ୧୮ ହଜାର କିଲୋମିଟର। ଏହା ଦ୍ୱାରା ଋଷିଆ ନିଜ ସୀମାରେ ରହି ମଧ୍ୟ ବିଶ୍ୱର କୌଣସି କୋଣକୁ ଆକ୍ରମଣ କରିପାରେ। ଏହି କ୍ଷେପଣାସ୍ତ୍ରର ବେଗ ୨୦.୭ ମ୍ୟାକ୍ ଅର୍ଥାତ ଘଣ୍ଟାପ୍ରତି ବେଗ ୨୫,୫୬୦ କିଲୋମିଟର। ଗୋଟିଏ ସେକେଣ୍ଡରେ ଏହା ୭.୧ କିଲୋମିଟର ଦୂର ପାର ହୋଇପାରେ।  

ଏହାର ଗାଇଡାନ୍ସ ସିଷ୍ଟମ ଋଷିଆ ଦ୍ୱାରା ବିକଶିତ ନେଭିଗେସନ ପ୍ରଣାଳୀ ଗ୍ଲୋନାସ୍ ଆଧାରିତ। ଏହାକୁ ପ୍ରଥମେ ୨୦୦୯ରେ ନିର୍ମାଣ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ଋଷିଆ ନିର୍ମିତ ଆର-୩୬ଏମ କ୍ଷେପଣାସ୍ତ୍ରର ସ୍ଥାନ ନେବ। ୟୁକ୍ରେନ ଯୁଦ୍ଧ ପୂର୍ବରୁ ଋଷିଆରେ ଏହାର ପ୍ରଥମ ପରୀକ୍ଷଣ ସଫଳ ହୋଇଥିଲା। ଏହି ମିସାଇଲ ଋଷିଆ ସେନାରେ ୨୦୨୨ ମସିହାରେ ସାମିଲ ହୋଇଥିଲା। ଏହା ପରେ କ୍ଷେପଣାସ୍ତ୍ରର ୪ଟି ପରୀକ୍ଷଣ ହୋଇଥିବା ବେଳେ ସବୁ ବିଫଳ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.