କାଳବୈଶାଖୀ ବର୍ଷାରେ ଭିଜିବ ଓଡ଼ିଶା, ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ

Published By : Prameya-News7 Bureau | March 22, 2025 IST

ଭୁବନେଶ୍ୱର ୨୨।୦୩ : ଶନିବାର ରାଜ୍ୟର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର,ବାଲେଶ୍ୱର ଓ ଭଦ୍ରକରେ ଭାରୀ ବର୍ଷା ହେବ । ଆଉ ୧୨ ଜିଲ୍ଲାରେ ବର୍ଷା ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ବିଜୁଳି  ଓ ଘଡ଼ଘଡ଼ି ସମ୍ଭାବନା ଅଛି । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେବା ସହ ଅରେଞ୍ଜ ସତର୍କତା ଜାରି କରିଛି । 

କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ରେ ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ହେବ । ଏହି ୧୨ ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି ହୋଇଛି । ସେହିଭଳି ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ,  ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀ, ଗଞ୍ଜାମରେ ୪୦ରୁ ୫୦କିମି ବେଗରେ ପବନ ବହିବା ସହ ବର୍ଷା ଓ ଘଡ଼ଘଡ଼ି ହୋଇପାରେ । 

୨୩ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରରେ ବର୍ଷା ଓ  ଘଡ଼ଘଡ଼ି ହୋଇପାରେ । ୨୪ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ବର୍ଷା ସମ୍ଭାବନା ଅଛି । 

କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶୁକ୍ରବାର ସକାଳୁ  ସନ୍ଧ୍ୟା ଭିତରେ ବାରିପଦାରେ ୮୫.୪ ମିମି ବର୍ଷା ହୋଇଛି । ବାଙ୍ଗିରିପୋଷି, ବିଷୋୟୀ, କୁଳିଅଣା  ଭଳି ବ୍ଲକ୍‌ରେ କାଳବୈଶାଖୀ ଯୋଗୁ ପ୍ରବଳ ବର୍ଷା, ପବନ ସାଙ୍ଗକୁ କୁଆପଥର ମାଡ଼ ଅନେକ ଚାଳ ଛପର ଘର କ୍ଷତିଗ୍ରସ୍ତ ହୋଇଛି । ବଡ଼ ବଡ଼ ଗଛର ଡାଳ ଭାଙ୍ଗି ପଡ଼ିବା ଯୋଗୁ ଯାତାୟାତ ଓ ବିଦ୍ୟୁତ୍‌  ସରବରାହ ବାଧାପ୍ରାପ୍ତ ହୋଇଛି । ଏହି କ୍ଷୟକ୍ଷତିର ତଦାରଖ ପାଇଁ ଶନିବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବେ ବୋଲି  ସୂଚନା ମିଳିଛି । 

ଶୁକ୍ରବାର ଗୃହ ଓ ନଗର ଉନ୍ନୟନ  ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର,ବାଙ୍ଗିରିପୋଷି ବିଧାୟିକା   ସଞ୍ଜଳି ମୁର୍ମୁ , ରାଇରଙ୍ଗପୁର ବିଧାୟକ ଜଲେନ୍‌ ନାଏକ, ବାରିପଦା ବିଧାୟକ ପ୍ରକାଶ ସୋରେନ  ଓ ଜିଲ୍ଲାର ବରିଷ୍ଠ ନେତାମାନେ ରାଜସ୍ୱ ମନ୍ତ୍ରୀଙ୍କୁ ଭେଟି କ୍ଷୟକ୍ଷତି ବାବଦରେ ଆଲୋଚନା କରିଛନ୍ତି । କ୍ଷତିଗ୍ରସ୍ତ ଲୋକଙ୍କୁ ଯେଭଳି ତୁରନ୍ତ ସହାୟତା ରାଶି ଦେବାକୁ ଆଲୋଚନା ହୋଇଛି । ମନ୍ତ୍ରୀ ଶ୍ରୀ   ପୂଜାରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ, ମୁଖ୍ୟ ଚିକିତ୍ସା   ଅଧିକାରୀ ଓ ଅନ୍ୟ ଅଧିକାରୀଙ୍କ ସହ ରିଲିଫ, କ୍ଷୟକ୍ଷତିର ଆକଳନ ଓ ଆହତଙ୍କ ଚିକିତ୍ସାକୁ ନେଇ ସମୀକ୍ଷା କରିଛନ୍ତି ।

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.