ପ୍ରଧାନମନ୍ତ୍ରୀ ପଦ ପାଇଁ ରାଜନାଥ ସିଂ 'ସିରିୟସ୍ କ୍ୟାଣ୍ଡିଡେଟ୍': ସତ୍ୟପାଲ ମଲିକ୍

Published By : Prameya-News7 Bureau | April 25, 2023 IST

ଜୟପୁର: ଏହା କହିବା ଭୁଲ ଯେ ମୁଁ ରାଜ୍ୟପାଳ ଭାବେ ନିଜର ଦାୟିତ୍ଵ ସରିବା ପରେ ୨୦୧୯ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଉପରେ ପ୍ରଶ୍ନ କରୁଛି। ସୋମବାର ଏହା କହିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ୍। ପାର୍ଟିରୁ ଅଲଗା ହେବା ପରେ ମଲିକ୍ ଏମିତି ପ୍ରଳାପ କରୁଥିବା ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବୟାନ ଉପରେ ସତ୍ୟପାଲ ମଲିକ୍ ଉପରୋକ୍ତ ଟିପ୍ପଣୀ କରିଛନ୍ତି।

ରାଜସ୍ଥାନର ଶିକାରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବତନ ରାଜ୍ୟପାଳ କହିଛନ୍ତି ମୋ ବିରୋଧରେ ଏମିତି ଅଭିଯୋଗ କରିବା ଭୁଲ୍ ଯେ, ମୁଁ ପଦରୁ ହଟିବା ପରେ ସରକାରଙ୍କୁ ପ୍ରଶ୍ନ କରୁଛି। ୨୦୧୯ ଫେବୃଆରୀ ୧୪ରେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳ(ସିଆରପିଏଫ)ଙ୍କ କାରକେଡ୍ ଉପରେ ଆତଙ୍କବାଦୀ  ଆକ୍ରମଣ ହୋଇଥିଲା। ଏଥିରେ ୪୦ ଯବାନ ସହିଦ ହୋଇଥିଲେ। ଏହି ସମୟରେ ଜମ୍ମୁ-କାଶ୍ମୀରର ରାଜ୍ୟପାଳ ଥିଲେ ସତ୍ୟପାଲ ମଲିକ୍।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ସମାଲୋଚନା କରିବା କାରଣରୁ ସତ୍ୟପାଲଙ୍କୁ ସିବିଆଇ ସମନ ଜାରି କରିବା ଅଭିଯୋଗ ହେଉଛି।  ସାମ୍ବାଦିକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ନେଇ କରିଥିବା ପ୍ରଶ୍ନ ଉପରେ ମଲିକ୍ କହିଛନ୍ତି, ରାଜନାଥ ସିଂ ପ୍ରଧାନମନ୍ତ୍ରୀ ପଦ ପାଇଁ ସିରିୟସ୍ କ୍ୟାଣ୍ଡିଡେଟ୍। ଯଦି ତାଙ୍କ ଭାଗ୍ୟରେ ଥିବ ସେ ପ୍ରଧାନମନ୍ତ୍ରୀ ହୋଇ ପାରିବେ।

ଆସନ୍ତା ଲୋକସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ ସତ୍ୟପାଲ ମଲିକ କହିଛନ୍ତି, ମୁଁ ସେମାନଙ୍କୁ ଶୁଭକାମନା  ଜଣାଉଛି। କିନ୍ତୁ ରାଜନୀତି ଏବଂ ନିର୍ବାଚନରେ ଆଗାମୀ ସମୟରେ କଣ ହେବ ତାହା କେହି କହି ପାରିବେ ନାହିଁ। ସାଂପ୍ରତିକ ସ୍ଥିତି ବିଜେପି ପାଇଁ କଷ୍ଟକର ଅଛି। ସେମାନଙ୍କୁ ଏମିତି ସମୟରେ କିଛି କରିବା ଉଚିତ୍। ଆଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ନିରବ ରହିବା ସରକାର ଏବଂ ଦଳ ପାଇଁ କ୍ଷତିକାରକ। ପୁଲଓ୍ଵାମା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ କହିବା ଦରକାର ବୋଲି ଏହି ପୂର୍ବତନ ରାଜ୍ୟପାଳ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.