ନିର୍ବାଚନ ପୂର୍ବରୁ ପାରୋଲରେ ବାହାରିଲେ ରାମ ରହିମ, କଡ୍ଡା ସୁରକ୍ଷା ଭିତରେ ଗଲେ ଆଶ୍ରମ

Published By : Prameya-News7 Bureau | October 02, 2024 IST

ନୂଆଦିଲ୍ଲୀ ୦୨/୧୦: ପାରୋଲରେ ବାହାରିଲେ ଡେରା ସଚ୍ଚା ବାବା ରାମ ରହିମ। ହରିୟାଣା ନିର୍ବାଚନ ଠିକ୍‌ ପୂର୍ବରୁ ପୁଣି ଥରେ ବାହାରିଛନ୍ତି ରାମ ରହିମ । ଦୁଷ୍କର୍ମ ମାମଲାରେ ହରିୟାଣାର ରୋହତକର ସୁନାରିଆ ଜେଲରେ ସଜା କାଟୁଥିବା ରାମ ରହିମ ସକାଳେ ଜେଲ୍‌ରୁ ବାହାରିଥିଲେ । ଏହା ପରେ ସେ କଡା ସୁରକ୍ଷା ବଳୟ ଭିତରେ ଉତ୍ତରପ୍ରଦେଶସ୍ଥିତ ବରନାବା ଆଶ୍ରମ ଅଭିମୁଖେ ଯାଇଛନ୍ତି। 

ସୂଚନା ଥାଉକି, ଆସନ୍ତା ୫ ତାରିଖରେ ହରିୟାଣା ନିର୍ବାଚନ ଥିବାରୁ ଏହା ପୂର୍ବରୁ ରାମ ରହିମଙ୍କୁ ୨୦ ଦିନର ପାରୋଲ ଅନୁମତି ମିଳିଛି। ତେବେ ଏହି ସମୟ ମଧ୍ୟରେ ସେ ନିର୍ବାଚନରେ କୌଣସି ପ୍ରକାର ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଅଂଶଗ୍ରହଣ କରିବାକୁ ବାରଣ କରିଛନ୍ତି ନିର୍ବାଚନ ଆୟୋଗ। ଆହୁରି ବି ସୋସିଆଲ ମିଡିଆରେ ପ୍ରଚାର କିମ୍ବା କୌଣସି ନିର୍ବାଚନ ପ୍ରଚାର ରାଲିରେ ସାମିଲ ନ ହେବାକୁ ବି କଡ୍ଡା ନିର୍ଦ୍ଦେଶ ରହିଛି। 

ନିର୍ବାଚନ ନିମନ୍ତେ ଆଚରଣ ସଂହିତା ଲାଗୁ ହୋଇଥିବାରୁ ରାମ ରହିମଙ୍କ ପାରୋଲ ଆବେଦନକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା। ଏହାପରେ ତାଙ୍କୁ ୨୦ ଦିନର ପାରୋଲ ମଞ୍ଜୁର ହୋଇଥିଲା । କହିବାକୁ ଗଲେ ଡେରା ମୁଖ୍ୟ ରାମ ରହିମ ହରିଆଣାର ରୋହତକର ସୁନାରିଆ ଜେଲରେ ଥିଲେ । ସେ ସିରସା ଆଶ୍ରମରେ ତାଙ୍କର ଦୁଇଜଣ ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦୧୭ ମସିହାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ବେଳେ ସେବେଠୁ ସେ ଜେଲ୍‌ରେ ଅଛନ୍ତି।

କିନ୍ତୁ ଗତ ମାସରେ ଡେରା ମୁଖ୍ୟଙ୍କୁ ୨୧ ଦିନ ଧରି ପାରୋଲ ମିଳିଥିଲା। ଡେରା ମୁଖ୍ୟ ଜେଲକୁ ଯିବାର ସାତ ବର୍ଷ ବିତିଗଲାଣି। ଗତ ସାତ ବର୍ଷ ମଧ୍ୟରେ ରାମ ରହିମ ଅନେକ ଥର ପାରୋଲରେ ଜେଲରୁ ବାହାରକୁ ଆସିଛନ୍ତି। ସବୁଠୁ ରୋଚକ କଥା ହେଉଛି, ଗତ ୪ ବର୍ଷ ମଧ୍ୟରେ ସେ ୧୧ ଥର ପାରୋଲରେ ବାହାରି ସାରିଛନ୍ତି। ସେଥି ମଧ୍ୟରୁ ୮ ଥର ସେ କେବଳ ନିର୍ବାଚନ ପୂର୍ବରୁ ପାରୋଲରେ ଆସି ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.