ଶୂନ୍ୟକାଳରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ, ମୁହାଁମୁହିଁ ହେଲେ ଶାସକ-ବିରୋଧୀ

Published By : Prameya-News7 Bureau | September 05, 2024 IST

ଭୁବନେଶ୍ବର ୫।୯: ବିଧାନସଭାରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବିଜେଡି ବିଧାୟକ ବ୍ୟୋମକେଶ ରାୟ ବିବୃତି ରଖି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଯେଉଁ କଥା କହିଲେ ତାକୁ ଉପ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ସମର୍ଥନ କଲେ । ମୁଁ ରେଭେନ୍ସିଆନ ଏହି ପ୍ରସଙ୍ଗକୁ ଗୃହରେ ଉଠାଉଛି । ରେଭେନ୍ସା ଏକ ଅନୁଷ୍ଠାନ ନୁହେଁ ୧୫୬ ବର୍ଷର ଏକ ମାଇଲ ଖୁଣ୍ଟ । ୧୮୬୬ ନ’ଅଙ୍କ ଦୁର୍ଭିକ୍ଷର କିଛି ସମୟ ପୂର୍ବରୁ ଟି.ଇ. ରେଭେନ୍ସା ଦାୟିତ୍ୱ ନେଇଥିଲେ । କିନ୍ତୁ ସେ ନିଜର ୧୦ ବର୍ଷ କାର୍ଯ୍ୟକାଳ ଭିତରେ ଓଡ଼ିଶାର ସ୍କୁଲରେ କିପରି ବେଙ୍ଗଲି ବଦଳରେ ଓଡ଼ିଆ ପଢ଼ାଯିବ ତାକୁ ଗୁରୁତ୍ୱ ଦେଇଥିଲେ । ଫକୀର ମୋହନ ଓ ଗୌରୀଶଙ୍କର ମଧ୍ୟ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଛାତ୍ର ଆନ୍ଦୋଳନ ତୀବ୍ର ହେଉଛି । ବିରାଟ ଆନ୍ଦୋଳନର ଦାନା ବାନ୍ଧୁଛି । ମୁଖ୍ୟମନ୍ତ୍ରୀ ଏ ନେଇ ଗୃହରେ ତୁରନ୍ତ ବିବୃତି ରଖନ୍ତୁ ବୋଲି ସେ ଦାବି କରିଛନ୍ତି । 

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବିବୃତି ରଖି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ଓଡ଼ିଶାବାସୀ ଗ୍ରହଣ କରି ନେଇଛନ୍ତି । ଯେଉଁମାନେ ରିମୋଟ୍‌ରେ ପରିଚାଳିତ ହେଉଥିଲେ ସେମାନେ ବିରୋଧ କରୁଛନ୍ତି । ୨୦୦ ବର୍ଷ ଇଂରେଜ ମାନେ ଆମକୁ ଶାସନ କଲେ ତାଙ୍କ ନାମରେ କାହିଁକି କୌଣସି ଅନୁଷ୍ଠାନ ନାମିତ ହେବ । ଆମର ଅନେକ ବରପୁତ୍ର ରହିଛନ୍ତି । ସେମାନଙ୍କ ନାମରେ ନାମିତ ହେବା କଥା । 

ବିଜେଡି ବିଧାୟକ ଶାରଦା ଜେନା ବିବୃତି ରଖି କହିଛନ୍ତି, ଅନୁଷ୍ଠାନ ନାମ ପରିବର୍ତ୍ତନରେ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ହୁଏନି । କଟକ ଭଳି ଶାନ୍ତ ସହରରେ ଅଯଥା ନିଆଁ ଲଗାଯାଉଛି । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ତୈଳ ମନ୍ତ୍ରୀ ଥିବା ବେଳେ ଏକ ତୈଳ କମ୍ପାନୀର ସିଏସ୍ ଆର ଫଣ୍ଡରୁ ରେଭେନ୍ସା ପାଇଁ ଅନୁଦାନ ଦେଇଥିଲେ । କିନ୍ତୁ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ କରିଦେଇଥିଲେ ତାହା ଭଲ ହୋଇଥାନ୍ତା ।  କେନ୍ଦ୍ରମନ୍ତ୍ରୀ ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି । ସେ ଯାହା କୁହନ୍ତି ତାହା ସରକାରଙ୍କ ମତ ବୋଲି ଧରି ନିଆଯାଏ । ଯଦି ନାମ ପରିବର୍ତ୍ତନ ପାଇଁ ଏତେ ବ୍ୟାକୁଳ ତାହେଲେ ନାଥୁ ରାମ ଗଡ଼ସେ ନାମରେ ବି ଗୋଟେ ବିଶ୍ୱ ବିଦ୍ୟାଳୟ ଖୋଲାଯାଉ ।

ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ବିବୃତି ରଖି କହିଛନ୍ତି, ନାଥୁ ରାମ ଗଡ଼ସେଙ୍କ ନାଁରେ ବିଶ୍ୱ ବିଦ୍ୟାଳୟ ଖୋଲାଯିବା ପ୍ରସ୍ତାବକୁ ନିନ୍ଦା କରି ଏହା ଦୁଃଖଦାୟକ ବୋଲି ଇରାଶିଷ କହିଛନ୍ତି । ଓଡ଼ିଆ ମାନେ ଉତ୍ସାହ ହୀନ ଓ ଅଳସୁଆ ବୋଲି ରେଭେନ୍ସା କହିଥିଲେ । କେନ୍ଦ୍ରମନ୍ତ୍ରୀ ଗୃହର ସଦସ୍ୟ ନୁହଁନ୍ତି । ତାଙ୍କ ବିଷୟରେ ଗୃହରେ ଆଲୋଚନା କରାଯାଇ ଗୃହକୁ ଭିନ୍ନ ଆଡ଼କୁ ନେଉଛନ୍ତି ବିରୋଧୀ ।

କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ବିବୃତି ରଖି କହିଛନ୍ତି, ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ମନ୍ତବ୍ୟକୁ ଆଧାର କରି କହିଲେ ଆପଣ ମାନେ ମାନୁଛନ୍ତି ଯେ, ନାମ ପରିବର୍ତ୍ତନ ଆପଣଙ୍କ ଅଫିସିଆଲ ଷ୍ଟାଣ୍ଡ । ଅସ୍ମିତା କଥା କହୁଛନ୍ତି ଆପଣ ୨୦୨୧ରେ ସର୍ଦାର ବଲ୍ଲଭ ଭାଇ ଷ୍ଟାଡିୟମର ନାମ କାହିଁକି ପରିବର୍ତ୍ତନ କରାଯାଇ ନରେନ୍ଦ୍ର ମୋଦି ଷ୍ଟାଡିୟମ କରାଗଲା । ଏହି ପ୍ରସଙ୍ଗ ଉଠାଇ କଟକବାସୀଙ୍କ ଭାବନାକୁ ଆଘାତ ଦେଉଛନ୍ତି । ଛୋଟ ଚିନ୍ତାଧାରା ରଖନ୍ତୁ ନାହିଁ । ରେଭେନ୍ସାର ନାମ ପରିବର୍ତ୍ତନ ପ୍ରସଙ୍ଗରେ ସ୍ପଷ୍ଟତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବେ କି ବୋଲି ପ୍ରଶ୍ନ କରିଛନ୍ତି ।

You Can Read:

ରାଜ୍ୟରେ ନିର୍ମାଣ ହେବ ୧୨୮୦ ଚେକ୍ ଡ୍ୟାମ୍, ୨୦୨୫ ସୁଦ୍ଧା ସରିବା ୫୮୫ଟିର କାମ

 

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.