ସପ୍ତମ ଥର ପାଇଁ ରେପୋ ରେଟ୍ ସ୍ଥିର; ଇଏମଆଇରେ ଗ୍ରାହକଙ୍କୁ ମିଳିବନି ଆଶ୍ବସ୍ତି

Published By : Prameya-News7 Bureau | April 05, 2024 IST

ନୂଆଦିଲ୍ଲୀ: ରେପୋ ରେଟ୍ ଅପରିବର୍ତ୍ତିତ । ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି କମିଟି ବୈଠକ ନିଷ୍ପତ୍ତି ଅନୁଯାୟୀ, ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ । ପୂର୍ବ କ୍ବାର୍ଟର ଭଳି ସ୍ଥିର ରହିଛି ଦର । ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। 

ରେପୋ ରେଟ୍ ୬.୫ ପ୍ରତିଶତ ସହ ସପ୍ତମ ଥର ପାଇଁ ସ୍ଥିର ରହିଛି । ସେହିପରି ଷ୍ଟାଣ୍ଡିଂ ଡିପୋଜିଟ୍ ଫ୍ୟାସିଲିଟି ବା ଏସଡିଏଫ ମଧ୍ୟ ଅପରିବର୍ତ୍ତିତ ରହିଛି । ଏସଡିଏଫ ୬.୨୫ ପ୍ରତିଶତ ରହିଥିବା ବେଳେ ମାର୍ଜିନାଲ୍ ଷ୍ଟାଣ୍ଡିଂ ଫ୍ୟାସିଲିଟି ଶତକଡ଼ା ୬.୭୫ ପ୍ରତିଶତ ରହିଛି । 

ଆରବିଆଇର ୩ ଦିନିଆ ଏମପିସି ବୈଠକ ଏପ୍ରିଲ୍ ୩ ତାରିଖରୁ ଆରମ୍ଭ ହୋଇଛି । ଏଥିରେ ୫ଜଣିଆ ସଦସ୍ୟ ମଣ୍ଡଳି ରେପୋ ରେଟ୍ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ସୂଚନା ମୁତାବକ, ଖାଦ୍ୟ ପଦାର୍ଥ ଦର ଅନିଶ୍ଚିତତା କାରଣରୁ ମୂଲ୍ୟବୃଦ୍ଧିର ଅଶଙ୍କା ରହୁଛି  । ତେଣୁ ଏହା ଉପରେ ରିଜର୍ଭ ବ୍ୟାଙ୍କ ସତର୍କ ରହିଥିବା ଶକ୍ତିକାନ୍ତ ଦାସ କହିଛନ୍ତି । ହେଲେ ଇଏମଆଇରେ ଗ୍ରାହକଙ୍କୁ କୌଣସି ଆଶ୍ବସ୍ତି ମିଳିବନି । ପୂର୍ବ ପରି ଇଏମଆଇ ସମାନ ପରିମାଣରେ ଦେବାକୁ ପଡ଼ିବ ।

ସାଧାରଣତଃ ରେପୋ ରେଟ୍ ବୃଦ୍ଧି ପାଇଲେ ସ୍ଥାୟୀ ଜମା ବା ଏଫଡି ସୁଧହାର ବଢିଥାଏ। ସେହିପରି ରେପୋ ରେଟ୍ ହ୍ରାସ ପାଇଲେ ଏଫଡି ସୁଧହାର ହ୍ରାସ ପାଇଥାଏ। ଗତବର୍ଷ ଫେବ୍ରୁଆରୀରେ ଆରବିଆଇ ରେପୋ ରେଟକୁ ଶତକଡ଼ା ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି । ଭାରତର ଖୁଚୁରା ମୁଦ୍ରାସ୍ଫୀତି ହାର ୨ରୁ ୬ ପ୍ରତିଶତରେ ସୀମିତ ରଖିବାକୁ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି । 

 

  • Reserve Bank Of India
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.