ରେପୋ ରେଟ୍ ଉପରେ ଆରବିଆଇର ନିଷ୍ପତ୍ତି, ଜାଣନ୍ତୁ ବଢିଲା ନା କମିଲା ଆପଣଙ୍କ ଲୋନ୍ EMI

Published By : Prameya-News7 Bureau | October 09, 2024 IST

ନୂଆଦିଲ୍ଲୀ ୦୯/୧୦: ବଢ଼ିବନି ହୋମ୍‌ ଲୋନ୍‌ ଇଏମ୍‌ଆଇ । ଏଥର ମଧ୍ୟ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ । ଲଗାତର ୧୦ମ ଥର ପାଇଁ ପ୍ରମୁଖ ସୁଧ ହାର ତଥା ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ଏମପିସିର ନିଷ୍ପତ୍ତି ଘୋଷଣା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। 

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ଏମପିସି ବୈଠକରେ ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ନୀତିଗତ ଆଭିମୁଖ୍ୟକୁ ମଧ୍ୟ ନ୍ୟୁଟ୍ରଲ ରଖାଯାଇଛି। ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। 


ସୂଚନା ଥାଉକି, ଆରବିଆଇର ମୁଦ୍ରା ନୀତି କମିଟିର ବୈଠକ ସୋମବାର ଠାରୁ ଆରମ୍ଭ ହୋଇଛି। ଏହି ମାସ ଆରମ୍ଭରେ ସରକାର ମୁଦ୍ରା ନୀତି କମିଟି (ଏମପିସି) - ଭାରତର ରିଜର୍ଭ ବ୍ୟାଙ୍କର ରେଟ୍ ସେଟିଂ କମିଟି ପୁର୍ନଗଠନ କରିଥିଲେ। ଏଥର କମିଟି ତିନିଜଣ ନୂତନ ନିଯୁକ୍ତ ବାହ୍ୟ ସଦସ୍ୟଙ୍କ ସହ ଏହି ବୈଠକ କରିଛନ୍ତି।

କହିବାକୁ ଗଲେ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଫେବୃଆରୀ ୨୦୨୩ ଠାରୁ ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଆର୍‌ବିଆଇର ଏହି ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ସେୟାର ମାର୍କେଟରୁ ଏହାକୁ ନେଇ ସକାରାତ୍ମକ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ଇଣ୍ଡେକ୍ସ ସେନ୍ସେକ୍ସ ୫୦୦ ପଏଣ୍ଟକୁ ବୃଦ୍ଧି ପାଇଛି। ଏଥି ସହିତ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୫୦ ପଏଣ୍ଟକୁ ବଢ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.