ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ଖେଳା ଯାଉଛି। ଏହି ମ୍ୟାଚ୍ ଦେଖିବା ପାଇଁ ଦ୍ଵିତୀୟ ଦିନରେ ରେକର୍ଡ ସଂଖ୍ୟାରେ ଦର୍ଶକ ଆପଟସ ଷ୍ଟାଡିୟମ ପହଞ୍ଚିଛନ୍ତି। ଏହି ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ୧୭ ଓ୍ଵିକେଟ୍ ପତନ ଘଟିଥିଲା। ଭାରତ ପ୍ରଥମ ଇନିଂସରେ ୧୫୦ ରନରେ ଅଲଆଉଟ୍ ହେବା ପରେ ଯଶପ୍ରୀତ ବୁମରାଙ୍କ ନେତୃତ୍ଵାଧୀନ ଭାରତୀୟ ବୋଲର ପ୍ରଥମ ଦିନରେ ଅଷ୍ଟ୍ରେଲିଆର ୭ ବ୍ୟାଟରଙ୍କୁ ପାଭିଲିୟନ ପଠାଇଥିଲେ।
ଦ୍ଵିତୀୟ ଦିନରେ ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ୍ ହୋଇଛି। ଭାରତ ଯଶସ୍ଵୀ ଜୟସ୍ଵାଲଙ୍କ ଅପରାଜିତ ୯୦ ରନ ଓ ଲୋକେଶ ରାହୁଲଙ୍କ ଅପରାଜିତ ୬୨ ରନ ବଳରେ ବିନା ଓ୍ଵିକେଟ୍ରେ ୧୭୨ ରନ କରିଛି। ଏହା ସହିତ ଦଳ ୨୧୮ ରନର ଅଗ୍ରଣୀ ହାସଲ କି ସାରିଛି। କ୍ରିକେଟ୍ ଅଷ୍ଟ୍ରେଲିଆର ସୂଚନା ଅନୁଯାୟୀ, ଆଜି ପର୍ଥ ଷ୍ଟାଡିୟମରେ ୩୨ ହଜାର ୩୬୮ ଦର୍ଶକ ଷ୍ଟାଡିୟମ ପହଞ୍ଚିବା ଏକ ବଡ଼ ରେକର୍ଡ ହୋଇଛି। କାରଣ ଏହା ପୂର୍ବରୁ ଦ୍ଵିତୀୟ ଦିନରେ ଏତେ ସଂଖ୍ୟାରେ ଦର୍ଶକ ଷ୍ଟାଡିୟମ ପହଞ୍ଚି ନ ଥିଲେ। ପ୍ରଥମ ଦୁଇ ଦିନରେ ମୋଟ୍ ୬୩ ହଜାର ୬୭୦ ଦର୍ଶକ ଷ୍ଟାଡିୟମରେ ବସି ମ୍ୟାଚ୍ ମଜା ଉଠାଇଛନ୍ତି।
ମ୍ୟାଚ୍ରେ ଆହୁରି ତିନି ଦିନ ସମୟ ରହିଛି। ଓ୍ଵେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆରେ କୌଣସି ଟେଷ୍ଟ ମ୍ୟାଚ୍ ପାଇଁ ଦର୍ଶକଙ୍କ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ବର୍ତ୍ତମାନ ରେକର୍ଡ ୧,୦୩,୪୪୪ ରହିଛି ଯାହା ୨୦୦୬-୦୭ରେ ଓ୍ଵାକା ଷ୍ଟାଡିୟମରେ ଆସେସ୍ ମ୍ୟାଚ୍ ସମୟରେ ହୋଇଥିଲା। ଏହି ସଂଖ୍ୟାକୁ ଅତିକ୍ରମ କରିବା ପାଇଁ ପରବର୍ତ୍ତୀ ତିନି ଦିନରେ ୩୯ ହଜାର ୭୭୧ ଦର୍ଶକଙ୍କ ଆବଶ୍ୟକତା ରହିଛି।
ଟେଷ୍ଟର ପ୍ରଥମ ଦିନରେ ରେକର୍ଡ ୩୧ ହଜାର ୩୦୨ ଦର୍ଶକ ଷ୍ଟାଡିୟମକୁ ପହଞ୍ଚିଥିଲେ। ଏହା ପୂର୍ବରୁ ୨୦୧୭ ଆସେସ୍ ଟେଷ୍ଟ ଦ୍ଵିତୀୟ ଦିନ ଓ୍ଵାକାରେ ରେକର୍ଡ ୨୨ ହଜାର ୧୭୮ ଦର୍ଶକ ପହଞ୍ଚିଥିଲେ।