ନିର୍ବାଚନ ଲଢ଼ିବାକୁ ବୟସ ସୀମା ୧୮କୁ ହ୍ରାସ କରିବା ପାଇଁ ସଂସଦୀୟ କମିଟିର ସୁପାରିଶ

Published By : Prameya-News7 Bureau | August 05, 2023 IST

ନୂଆଦିଲ୍ଲୀ: ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସର୍ବନିମ୍ନ ବୟସକୁ ହ୍ରାସ କରିବା ଦିଗରେ ମତ ରଖିଛି ସଂସଦୀୟ କମିଟି। ଏହାଦ୍ୱାର ଯୁବକମାନଙ୍କୁ ଗଣତନ୍ତ୍ରରେ ଭାଗ ନେବାକୁ ସମାନ ସୁଯୋଗ ଦେବ ବୋଲି କମିଟି ତର୍କ ରଖିଛି।

ବର୍ତ୍ତମାନର ଥିବା ନିୟମ ଅନୁସାରେ ଲୋକସଭା ତଥା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରାର୍ଥୀଙ୍କୁ ଅତି କମରେ ୨୫ ବର୍ଷ ବୟସ ହେବା ଆବଶ୍ୟକ। ସେହିପରି ରାଜ୍ୟସଭା ତଥା ରାଜ୍ୟ ବିଧାନ ପରିଷଦକୁ ନିର୍ବାଚିତ ହେବାକୁ ହେଲେ ପ୍ରାର୍ଥୀଙ୍କର ବୟସ ସର୍ବନିମ୍ନ ୩୦ ବର୍ଷ ହେବା ଆବଶ୍ୟକ। ହେଲେ ଏପଟେ ୧୮ ବର୍ଷ ବୟସରେ ପିଲାଙ୍କୁ ସାବାଳକ ସାବାଳିକା କୁହାଯାଉଥିବା ବେଳେ ତାଙ୍କୁ ଭୋଟିଂ ଅଧିକାର ମିଳୁଛି।

ତେଣୁ ୧୮ ବର୍ଷ ବୟସରେ ନିର୍ବାଚନ ଲଢ଼ିବାକୁ ଅନୁମତି ଦିଆଯିବା ଦରକାର ବୋଲି ସଂସଦୀୟ କମିଟି ତର୍କ ରଖିଛି। ଲୋକସଭା ନିର୍ବାଚନ ପାଇଁ ବର୍ତ୍ତମାନ ଥିବା ୨୫ ବର୍ଷର ବୟସ ଅବଧିକୁ ହ୍ରାସ କରି ୧୮ କରିଦେବାକୁ ଶୁକ୍ରବାର (ଅଗଷ୍ଟ ୪) କମିଟି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି।

ପଢ଼ନ୍ତୁ-ଚୁପ ହେଇଯାଅ ନହେଲେ ଇଡି ଆସିବ: ସଂସଦରେ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖିଙ୍କର ଏଭଳି ବୟାନକୁ ନେଇ ତେଜିଲା ବିରୋଧ

ବିହାର ବିଜେପି ସାଂସଦ ସୁଶୀଲ ମୋଦୀଙ୍କ ନେତୃତ୍ୱରେ ଲ ଆଣ୍ଡ ପର୍ଶନାଲ୍‌ର ପାର୍ଲାମେଣ୍ଟ ସଂସଦୀୟ କମିଟି କହିଛି  "କାନାଡା, ୟୁକେ, ଏବଂ ଅଷ୍ଟ୍ରେଲିଆ ଭଳି ବିଭିନ୍ନ ଦେଶକୁ ପର୍ଯ୍ୟବେକ୍ଷଣ କରିବା ପରେ ଭାରତରେ ମଧ୍ୟ ଜାତୀୟ ନିର୍ବାଚନ  ପାଇଁ ସର୍ବ ନିମ୍ନ ବୟସ ସୀମା ୧୮ ହେବା ଦରକାର ବୋଲି କମିଟି ବିଚାର କରିଛି। ଏହି ଦେଶଗଡ଼ିକର ଉଦାହାରଣ ଦର୍ଶାଉଛି ଯେ ଯୁବକମାନେ ବି ରାଜନୈତିକ ଅଂଶଗ୍ରହଣ ପାଇଁ ନିର୍ଭରଯୋଗ୍ୟ ଓ ଦାୟିତ୍ୱବାନ ହୋଇପାରିବେ।" ସେହିଭଳି ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ବୟସ ସୀମା କମାଇବାକୁ ସଂସଦୀୟ କମିଟି ପ୍ରସ୍ତାବ ଦେଇଛି।

ବିଶ୍ୱରେ ଯୁବ ବର୍ଗର ରାଜନୀତିରେ ଅଂଶଗ୍ରହଣ ଉଦାହରଣ ଓ ରାଜନୀତି ପ୍ରତି ଯୁବବର୍ଗର ଆଗ୍ରହଣ ଆଦିକୁ ଦେଖି ବୟସ ସୀମା ହ୍ରାସ କରିବା ପ୍ରଯୁଜ୍ୟ ବୋଲି କମିଟି କହିଛି।

ତେବେ ଇଲେକ୍ସନ କମିଶନ ଏନେଇ ପୂର୍ବରୁ ବିଚାର କରିସାରିଛନ୍ତି। ହେଲେ ନିର୍ବାଚିତ ପ୍ରତିନିଧି ଦାୟିତ୍ୱ ପାଇଁ ଜଣେ ୧୮ ବର୍ଷୟ ବୟସ ପ୍ରାର୍ଥୀଙ୍କ ପାଖରେ ଉପଯୁକ୍ତ ପରିପକ୍ୱତା ଆଶା କରିବା ଅବାସ୍ତବ ବୋଲି ଇସି କହିଛନ୍ତି। ତେଣୁ ଭୋଟିଂ ଓ ନିର୍ବାଚିତ ବୟସ ଠିକ୍ ରହିଛି ବୋଲି ଇସି କହିଛି। ତେଣୁ ସଂସଦ ଏବଂ ରାଜ୍ୟ ବିଧାନସଭାର ସଦସ୍ୟତା ପାଇଁ ବୟସ ସୀମା ହ୍ରାସ କରିବାକୁ ନିର୍ବାଚନ କମିଶନ ଉଚିତ୍ ବୋଲି ବିଚାର କରିପାରୁ ନାହାନ୍ତି ବୋଲି ପ୍ୟାନେଲ କହିଛି।

ପଢ଼ନ୍ତୁ-ରାଗରେ ଲୋକସଭାରେ ଆଗ ଚୌକି ଛାଡିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପଛକୁ ଯାଇ ଆଗତ କଲେ ବିଲ୍

କମିଟି ପରାମର୍ଶ ଦେଇଛି ଯେ ନିର୍ବାଚନ କମିଶନ ଏବଂ ସରକାର ଯୁବକମାନଙ୍କୁ ରାଜନୈତିକ ଯୋଗଦାନ ପାଇଁ ଆବଶ୍ୟକ ଜ୍ଞାନ କୌଶଳ ସହିତ ଶିକ୍ଷା ଦେବା କାର୍ଯ୍ୟକୁ ପ୍ରାଥମିକତା ଦେବା ଉଚିତ୍। ସରକାର ଚାହିଁଲେ ଫିନଲ୍ୟାଣ୍ଡର ନାଗରିକତ୍ୱ ଶିକ୍ଷାକୁ ଉଦାହରଣ ସହ ନେଇ ସେହି ଅନୁସାରେ ଭାରତରେ ମଧ୍ୟ ପ୍ରଣୟନ କରିପାରିବେ ବୋଲି ସଂସଦୀୟ କମିଟି ପରାମର୍ଶ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.