ଫୋନ୍ ଯୋଗେ ମହିଳା ଆରଆଇଙ୍କୁ ଗାଳି କଲେ ତହସିଲଦାର ! ଅସୁସ୍ଥ ହୋଇ ହୋଇ ମେଡିକାଲରେ ଭର୍ତ୍ତି ହେଲେ RI

Published By : Prameya-News7 Bureau | November 08, 2024 IST

ଆନନ୍ଦପୁର ୮।୧୧: ଫୋନ୍ ଯୋଗେ ମହିଳା ଆରଆଇଙ୍କୁ ଗାଳି । ତହସିଲଦାରଙ୍କ ଗାଳି ଗୁଲଜ ପରେ ଅସୁସ୍ଥ ହୋଇ ପଡ଼ିଥିବା ଆରଆଇଙ୍କୁ ମେଡିକାଲରେ କରାଯାଇଥିଲା ଭର୍ତ୍ତି । ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆରଆଇଙ୍କ ସ୍ୱାମୀ । 

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଘସିପୁରା ତହସିଲ ଅନ୍ତର୍ଗତ କେଶଦୁରାପାଳ ଆରଆଇ ସବିତା ପଣ୍ଡିତ । ସବିତାଙ୍କୁ ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ରେକର୍ଡ ପତ୍ର ଧରି ତହସିଲ କାର୍ଯ୍ୟାଳୟକୁ ଆସିବାକୁ ତହସିଲଦାର ତାଗିଦା କରି କହିଥିଲେ । ମହିଳା ଆରଆଇ ଜଣକ ଆସିବାକୁ ସାମାନ୍ୟ ଅମଙ୍ଗ ହୋଇଥିଲେ ଏଥିରେ ଉତକ୍ଷିପ୍ତ ହୋଇ ତହସିଲଦାର ଚଢା ଗଳାରେ  ଫୋନ୍ ଯୋଗେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଚାକିରି ନେଇଯିବାର ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ଫଳରେ ରୋଷେଇ କରୁଥିବା ଅବସ୍ଥାରେ ଫୋନ୍ ଯୋଗେ ତହସିଲଦାରଙ୍କ ଠାରୁ ଏଭଳି ବ୍ୟବହାର ପାଇ ମହିଳା ରାଜସ୍ବ ନିରୀକ୍ଷକ ଜଣକ ଚେତାଶୂନ୍ୟ ହୋଇ ଯାଇଥିଲେ । ପରିବାର ଲୋକେ ତାଙ୍କୁ ଆଣି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଚିକିତ୍ସା କରିଥିଲେ । 

ତେବେ ଏହା ପ୍ରଥମ ଘଟଣା ନୁହଁ ପୀଡିତାଙ୍କ ସହ ଦୀର୍ଘ ୪ ମାସ ହେବ ତହସିଲଦାର ଜଣକ ଏଭଳି ବ୍ୟବହାର କରୁଥିବା ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ସ୍ୱାମୀ । ଖବରପାଇ ସହକର୍ମୀ ଓ ପୂର୍ବତନ କର୍ମଚାରୀ ମାନେ ମେଡିକାଲରେ ରୁଣ୍ଡ ହୋଇଥିବା ବେଳେ ତହସିଲଦାରଙ୍କ ବିରୁଦ୍ଧରେ ସମାନ ମନ୍ତବ୍ୟ ଦେଇଛନ୍ତି । 

ସେପଟେ ଏ ଘଟଣାକୁ ନେଇ ତହସିଲଦାର ମୁହଁ ଖୋଲିଛନ୍ତି । ଅଶ୍ଲୀଳ ଭାଷାରେ ନୁହଁ ବରଂ ଉଚ୍ଚ  ସ୍ବରରେ  ଏକ ନିର୍ଦ୍ଦିଷ୍ଟ  କାମକୁ ନେଇ ତାଗିଦ କରିଥିବା କଥା ସ୍ବୀକାର କରିଛନ୍ତି । ଏଥିସହ ଛୁଟି ଦରଖାସ୍ତ ମଞ୍ଜୁର ନ କରିବାରୁ ଘଟଣାକୁ ଆରଆଇ ବଡ ରୂପ ଦେଉଥିବା କହିଛନ୍ତି । ଖବର ପାଇ ଆନନ୍ଦପୁର ଉପଜିଲ୍ଲାପାଳ  ମେଡିକାଲରେ ପହଞ୍ଚି ଆରଆଇଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଘଟଣାର ତଦନ୍ତ କରି ଉପଯୁକ୍ତ ପଦକ୍ଷପ ଗ୍ରହଣ କରିବାକୁ ପ୍ରତିଶ୍ରୁତି  ଦେଇଛନ୍ତି ।


You Can Read:

ଘଟଣାକୁ ଏଡାଇବା ପାଇଁ ବିଚାର ବିଭାଗୀୟ ତଦନ୍ତ କରୁଥିଲେ, ରିପୋର୍ଟକୁ ଶୀତଳ ଭଣ୍ଡାରରେ ରଖି ଦେଉଥିଲେ : ସୁରେଶ ପୂଜାରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.