ସମ୍ଭଲ ହିଂସା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ଜାମା ମସଜିଦ୍ ମୁଖ୍ୟ ଏସଆଇଟି ଦ୍ୱାରା ଗିରଫ

Published By : Prameya-News7 Bureau | March 23, 2025 IST

ସମ୍ଭଲ ୨୩।୩: ଗତବର୍ଷ ନଭେମ୍ବର ମାସରେ ହୋଇଥିବା ସମ୍ଭଲ ହିଂସା ମାମଲାରେ ସ୍ୱତ୍ତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ରବିବାର ବଡ଼ କାର୍ଯ୍ୟାନୁଷ୍ଠାନ କରିଛି। ଏସଆଇଟି ପଚରା ଉଚରା ପରେ ଜାମା ମସଜିଦ୍ ମୁଖ୍ୟ (ସଦର) ଜଫର ଅଲୀଙ୍କୁ ଗିରଫ କରିଛି। ଏହା ପୂର୍ବରୁ ଜଫର ଅଲୀଙ୍କୁ ଅନେକବାର ନୋଟିସ୍ ପଠାଇ ଡକା ଯାଇଥିଲା। ତେବେ ଜଫର ଅଲୀ ହାଜର ହେଉ ନଥିଲେ। ଏସଆଇଟି ରବିବାର ତଦନ୍ତ ପାଇଁ ସମ୍ଭଲ ପହଞ୍ଚିଥିଲା ଓ ଜଫର ଅଲୀଙ୍କୁ କଷ୍ଟଡିକୁ ନେଇ ଥାନାରେ ପଚରା ଉଚରା କରିଛି। 

ଏହି ପଚରା ଉଚରା ପରେ ଜଫର ଅଲୀଙ୍କୁ ଗିରଫ କରାଯାଇଛି। ମାମଲାରେ ଏସଆଇଟି ଗହନ ତଦନ୍ତ କରୁଛି। ଏଏସପି ଶ୍ରୀଶ୍ଚନ୍ଦ୍ର ଜଫର ଅଲୀଙ୍କ ଗିରଫକୁ ପୁଷ୍ଟି କରିଛନ୍ତି। ଜାମା ମସଜିଦ କମିଟି ସଦର ଜଫର ଅଲୀଙ୍କୁ ଭେଟିବା ପାଇଁ ବଡ଼ ଭାଇ ତାହିର ଅଲୀ ଥାନାକୁ ପହଞ୍ଚିଥିଲେ। ଜଫର ଅଲୀଙ୍କୁ ଭେଟିବା ପରେ ତାହିର ଅଲୀ କହିଛନ୍ତି ଯେ ସୋମବାର ଜଫର ଅଲୀ ଜୁଡିସିଆଲ କମିଶନରେ ତାଙ୍କ ବୟାନ ଦେବେ। ତେବେ ପୋଲିସ ଚାହୁଁଛି ସେ ବୟାନ ନ ଦିଅନ୍ତୁ। କିନ୍ତୁ ଜଫର ଅଲୀ ସେହି ବୟାନ ଦେବେ ଯାହା ସେ ପୂର୍ବରୁ ଦେଇଥିଲେ। ଜଫର ଅଲୀ କହିଥିଲେ ଯେ ହିଂସା କାଳରେ ପୋଲିସ ପ୍ରଥମେ ଗୁଳି ଚଳାଇଥିଲା। 

ତାହିର ଅଲୀ କହିଛନ୍ତି ଯେ ଜଫର ଅଲୀ ଚାହାନ୍ତି ସମ୍ଭଲରେ ଶାନ୍ତି ରହୁ, ହେଲେ ପୋଲିସ ଏହା ଚାହେଁନି। ପୋଲିସ ଜଫର ଅଲୀଙ୍କୁ ଜେଲ ପଠାଇବାକୁ ଚାହୁଁଛି। ଶାହୀ ଜାମା ମସଜିଦରେ ୨୪ ନଭେମ୍ବର ୨୦୨୪ରେ ହୋଇଥିବା ହିଂସାର ଯାଞ୍ଚ କରୁଥିବା ୩ ସଦସୀୟ ବିଚାର ବିଭାଗୀୟ ତଦନ୍ତ ଆୟୋଗ ଏ ପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟରେ ୧୬୦ ଜଣଙ୍କ ବୟାନ ରେକର୍ଡ କରିଛନ୍ତି। ତେବେ ଶାହୀ ଜାମା ମସଜିଦର ଇନ୍ତଜାମିୟା କମିଟିର ସଦର ଜଫର ଅଲୀ ଆଡଭୋକେଟ, ମସୂଦ ଅଲୀ ଫାରୁକୀ ଆଡଭୋକେଟ ଓ କାସିମ ଜଲାଲ ଆଡଭୋକେଟଙ୍କୁ ୧୧ ଜାନୁୟାରୀ ୨୦୨୫ରେ ଲକ୍ଷ୍ନୌରେ ହାଜର ହେବାକୁ ନୋଟିସ୍ ଦିଆଯାଇଥିଲେ ମଧ୍ୟ ସେମାନେ ହାଜର ହୋଇ ନାହାନ୍ତି। ଏଣୁ ୨୦ ମାର୍ଚ୍ଚରେ ସେମାନଙ୍କୁ ପୁଣି ନୋଟିସ୍ ଜାରି ହୋଇଥିଲା। 

ବିଚାରବିଭାଗୀୟ ଆୟୋଗ ଚତୁର୍ଥ ପର୍ଯ୍ୟାୟରେ ଡିଏମ, ଏସଡିଏମଙ୍କ ସମେତ ୪୫ ଜଣ ଅଧିକାରୀ ଓ ଲୋକଙ୍କ ବୟାନ ରେକର୍ଡ କରିଛନ୍ତି। ତେବେ ବାକି ସାକ୍ଷଙ୍କ ବୟାନ ରେକର୍ଡ ନିମନ୍ତେ ସେମାନଙ୍କୁ ଲକ୍ଷ୍ନୌରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ନଭମ୍ବର ୨୦୨୪ରେ ସମ୍ଭଲ ଶାହୀ ଜାମା ମସଜିଦରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ କାଳରେ ହିଂସା ଉପୁଜିଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ସୁରକ୍ଷା କର୍ମୀ ଆହତ ହୋଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.