ସଞ୍ଜୁ ସାମସନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ୪୦ ବଲ୍‌ରେ ହାସଲ କଲେ ଶତକ, ଚୌକା-ଛକା ମାରି ବାଂଲାଦେଶ ବୋଲରଙ୍କୁ ପିଆଇଲେ ପାଣି

Published By : Prameya-News7 Bureau | October 12, 2024 IST

News 18

ହାଇଦ୍ରାବାଦ: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟର ସଞ୍ଜୁ ସାମସନ୍ ନିଜ ବିସ୍ଫୋରକ ବ୍ୟାଟିଂରେ ବାଂଲାଦେଶ ବୋଲରଙ୍କୁ ନିର୍ଘାତ ପ୍ରହାର କରି ଦମଦାର ଶତକ ମାରିଛନ୍ତି । ହାଇଦ୍ରାବାଦରେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜର ତୃତୀୟ ଏବଂ ଶେଷ ମ୍ୟାଚ୍‌ରେ ସଞ୍ଜୁ ସାମସନ୍ ନିଜ ଟି-୨୦ କ୍ୟାରିୟରର ସବୁଠାରୁ ଚମତ୍କାର ଇନିଂସ ଖେଳି କେବଳ ୪୦ ବଲରେ ଶକତ କରିଛନ୍ତି । ଏହାସହ ସେ ଟି-୨୦ ଇଣ୍ଟରନ୍ୟାସନାଲରେ ଭାରତ ପାଇଁ ଦ୍ୱିତୀୟ ଦ୍ରୁତ ଶତକ ହାସଲ କରିଛନ୍ତି । ନିଜର ଏହି ଇନିଂସରେ ସଞ୍ଜୁ ସାମସନ୍ ବାଂଲାଦେଶୀ ସ୍ପିନର ରିଶାଦ ହୋସୈନଙ୍କୁ ସବୁଠୁ ଅଧିକ ମାଡ଼ ମାରିଛନ୍ତି । ରିଶାଦଙ୍କ ଗୋଟିଏ ଓଭରରେ ସେ ଲଗାତାର ୫ ଛକା ମାରିଛନ୍ତି ।

ହାଇଦ୍ରାବାଦରେ ସିରିଜର ଶେଷ ଟି-୨୦ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା । ସିରିଜର ପ୍ରଥମ ଏବଂ ଦ୍ୱିତୀୟ ମ୍ୟାଚରେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିବା ସଞ୍ଜୁ ତୃତୀୟ ମ୍ୟାଚ୍‌ରେ ହିସାବ ବରାବର କରିଛନ୍ତି । ଚୌକା ଏବଂ ଛକା ବର୍ଷାରେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କ ହୃଦୟ ଜିତିଥିଲେ ।

ସଞ୍ଜୁ ସାମସନ୍ ଇନିଂସର ଦ୍ୱିତୀୟ ଓଭରରେ ତସ୍କିନଙ୍କୁ ଲଗାତାର ୪ ଚୌକା ମାରିଥିଲେ । ପରେ ସପ୍ତମ ଓଭରରେ ରିଶାଦଙ୍କୁ ତିନି ବଲରେ ୨ ଛକା ମାରି ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ । କେବଳ ୨୨ ବଲ୍ ଖେଳି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହା ବାଂଲାଦେଶ ବିପକ୍ଷରେ ଏହି ଫର୍ମାଟରେ ଭାରତ ପାଇଁ ସବୁଠାରୁ ଦ୍ରୁତ ଅର୍ଦ୍ଧଶତକ ଅଟେ । ଏହାପରେ ସଞ୍ଜୁ ଆହୁରି ଅଧିକ ଆକ୍ରାମକ ବ୍ୟାଟିଂ କରିଥିଲେ । ଇନିଂସର ୧୦ମ ଓଭରରେ ରିଶାଦଙ୍କୁ ଲଗାତାର ୫ଟି ବଲରେ ୫ଟି ଛକା ମାରି ବାଂଲାଦେଶ ବୋଲରକୁ ପାଣି ପିଆଇଥିଲେ । ଏହିପରି ସଞ୍ଜୁ ୪୦ ବଲ୍‌ରେ ନିଜ ଟି-୨୦ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ । 

ଏହାସହ ସଞ୍ଜୁ ଟି-୨୦ ଇଣ୍ଟରନ୍ୟାସନାଲରେ ଭାରତ ବିପକ୍ଷରେ ଦ୍ୱିତୀୟ ଦ୍ରୁତ ଶତକ ହାସଲ କରିଛନ୍ତି । ସବୁଠାରୁ ଦ୍ରୁତ ଶତକ ରେକର୍ଡ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ନାଁରେ ରହିଛି । ରୋହିତ ଶର୍ମା ୩୫ ବଲରେ ଏହି କମାଲ କରିଥିଲେ । ଏବେ ସୂର୍ଯ୍ୟ କୁମାରଙ୍କ (୪୫) ରେକର୍ଡକୁ ପଛରେ ପକାଇ ସଞ୍ଜୁ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.