ଡର୍ବାନରେ ସାମସନଙ୍କ ସୁପର ଶୋ’; ଛକ୍କା ଚୌକା ବର୍ଷାରେ ୨୦୦ ପାର୍ ଟିମ୍ ଇଣ୍ଡିଆ

Published By : Prameya-News7 Bureau | November 08, 2024 IST

indiatoday

ଡର୍ବାନ: ଡର୍ବାନରେ ସାମସନଙ୍କ ସୁପର ଶୋ’। ଛକ୍କା ଚୌକା ବର୍ଷାରେ ୨୦୦ ପାର୍ ଟିମ୍ ଇଣ୍ଡିଆ। ଶୁକ୍ରବାର ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଡର୍ବାନ ଷ୍ଟାଡିୟମ୍‌ରେ ଖେଲାଯାଇଛି। ଆଜିର ମ୍ୟାଚ୍‌ର ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରେ ୨୦୨ ରନ୍‌ କରିପାରିଛି। ଦଳ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୧୦୭ ରନ୍ କରିଥିବାବେଳେ ତିଲକ ବର୍ମା ୩୩ ରନ୍ କରିଥିଲେ। କ୍ୟାପ୍ଟେନ୍ ସୂର୍ଯ୍ୟ କୁମାର ଯାଦବ ମାତ୍ର ୨୨ ରନ୍ କରିପାରିଥିଲେ। ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ପକ୍ଷରୁ ଜେରାଲ୍ଡ କୋଏତ୍‌ଜୀ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଓପନିଂ କରିଥିଲେ। ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଦ୍ରୁତ ମାର୍କୋ ଜାନସେନ ଓପନିଂ ବୋଲିଂ କରିଥିଲେ। ଆରମ୍ଭରୁ ଦୁଇ ବ୍ୟାଟର ଯଦିଓ ବିସ୍ଫୋରକ ଓପନିଂ କରିଥିଲେ ହେଲେ ଅଭିଷେକ ଶର୍ମା ଏଥର ବି ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଶର୍ମାଙ୍କ ପାଇଁ ଏଥର କର ବା ମର ସ୍ଥିତି ଥିବା ବେଳେ ଶୁକ୍ରବାର ମ୍ୟାଚ୍‌ରେ ତାଙ୍କର ଦୁର୍ବଳ ପ୍ରଦର୍ଶନ ରହିଥିଲା।

୩.୧ ଓଭରରେ ଅଭିଷେକ ଶର୍ମା ଆଉଟ ହେବା ଭାରତ ତା’ର ପ୍ରଥମ ୱିକେଟ୍ ହରାଇଥିଲା। ସେତେବେଳେ ଦଳର ସ୍କୋର ୨୪ ରନ୍ ହୋଇଥିଲା। ଶର୍ମା ୮ ବଲ୍‌ରେ ୭ ରନ୍ କରି ଆଉଟ୍ ହେବା ପରେ କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଯଦିଓ କ୍ୟାପ୍ଟେନ୍ ବଡ଼ ବଡ଼ ଶଟ୍ ମାରିଥିଲେ ହେଲେ ବଡ଼ ସ୍କୋର କରିବାରେ କିନ୍ତୁ ବିଫଳ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୧୭ ବଲ୍‌ରେ ମାତ୍ର ୨୧ ରନ୍ କରି ପ୍ୟାଟ୍ରିକ କ୍ରୁଗେର୍‌ଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ୮.୬ ଓଭରରେ ୯୦ ରନ୍ ହୋଇଥିବା ବେଳେ ସ୍କାଏଙ୍କ ରୂପରେ ଭାରତର ଦ୍ୱିତୀୟ ୱିକେଟ୍ ପଡ଼ିଥିଲା।   

ଏହାପରେ ତିଲକ ବର୍ମା ସଞ୍ଜୁଙ୍କ ସହ ମିଶି ଖୁବ୍ ବ୍ୟାଟିଂ କରିଥିଲେ। ସିଏ ମଧ୍ୟ ଖୁବ୍ ଛକ୍କା ଚୌକା ମାଡ଼ କରିଥିଲେ। ବଡ଼ ବଡ଼ ସଟ୍ ଖେଳି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେବାକୁ ଚେଷ୍ଟା କରିଥିଲେ ତିଲକ ବର୍ମା। ଦଳ ପାଇଁ ୩୩ ରନ୍‌(୧୮ ବଲ୍) ଯୋଗଦାନ ଦେବା ପରେ କେଶବ ମହାରାଜଙ୍କ ବଲ୍‌ରେ ଆଉଟ୍ ହୋଇ ପ୍ୟାଭିଲିଅନ ଫେରିଥିଲେ। ସେତେବେଳେ ୧୪.୪ ଓଭରରେ ଭାରତ ୩ ୱିକେଟ୍ ହରାଇ ୧୬୭ ରନ୍‌ ଏକ ବଡ଼ ସ୍କୋର ଛିଡ଼ା କରିସାରିଥିଲା। ଏହାର ୬ଟି ବଲ୍‌ ପରେ ୧୫.୪ ଓଭରରେ ସଞ୍ଜୁ ସାମସନ ମଧ୍ୟ ଐତିହାସିକ ଶତକୀୟ ଇନିଂଶ ଖେଳି ଏନକବାୟୋମଜୀ ପିଟରଙ୍କ ଶିକାର ହୋଇଥିଲେ। ସଞ୍ଜୁ ମାତ୍ର ୫୦ ବଲ୍‌ରେ ୧୦୭ ରନ୍ କରିଥିଲେ। ଯେଉଁଥିରେ ସେ ୧୦ଟି ଛକ୍କା ଓ ୭ଟି ଚୌକା ମାରିଥିଲେ। 

ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ୨ ରନ, ରିଙ୍କୁ ସିଂହ ୧୧, ଅକ୍ସର ୭ ଓ ଅର୍ଶଦୀପ ସିଂହ* ୫ ଓ ରବି ବିଷ୍ଣୋଇ ୧ ରନ୍ କରି ରନ୍‌ ଆଉଟ୍ ହୋଇଥିଲେ। ଫଳରେ ଭାରତ ୨୦ ଓଭରରେ ୮ ୱିକେଟ୍ ହରାଇ ୨୦୨ ରନ୍ କରିଛି। ଦକ୍ଷିଣ ଆଫ୍ରିକାକୁ ମ୍ୟାଚ୍ ଜିତିବାକୁ ହେଲେ ୨୦୩ ରନ୍ କରିବାକୁ ପଡ଼ିବ। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଜେରାଲ୍ଡ କୋଏତ୍‌ଜୀ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ମାର୍କୋ ଜାନସେନ, କେଶବ ମହାରାଜ, ପାଟ୍ରିକ କ୍ରୁଗେର ଓ ଏନକବାୟୋମଜୀ ପିଟର ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.