ପଦକ ଜିତିଥିଲେ,ହୃଦୟ ଜିତିଲେ: ପୁଣି ଖବର ଶିରୋନାମାରେ ଭାରତୀୟ ସୁଟର୍ ସବରଜୋତ ସିଂ

Published By : Prameya-News7 Bureau | August 13, 2024 IST

ପଞ୍ଜାବ ୧୩/୮:  ଚାକିରି ଭଲ । କିନ୍ତୁ ଏବେ ମୁଁ କରିପାରିବି ନାହିଁ । ପ୍ରଥମେ ସୁଟିଂ ଉପରେ ଧ୍ୟାନ ଦେବାକୁ ଚାହୁଁଛି । ଭାରତୀୟ ସୁଟର ସରବଜୋତ ସିଂଙ୍କ ଏହି ପଦିଏ କଥା ସମସ୍ତଙ୍କ ମନକୁ ଛୁଇଁଯାଇଛି । ପଦକ ଜିତିଥିଲେ । ଏବେ ହୃଦୟ ଜିତିଲେ । ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଭାରତକୁ ଗର୍ବିତ କରିଥିବା ସୁଟର ସରବଜୋତ ସିଂ ଏବେ ପୁଣି ଖବରର ଶିରୋନାମାରେ । 

ପ୍ୟାରିସ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ମେଡାଲ ଜିତି ଘରକୁ ଫେରିବା ପରେ ହରିୟାଣା ସରକାର ତାଙ୍କୁ ବଡ ଚାକିରିର ଅଫର ଦେଇଥିଲେ । ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସାଇନି ଓ କ୍ରୀଡାମନ୍ତ୍ରୀ ସଂଜୟ ସିଂଙ୍କୁ ଭେଟିବା ଅବସରରେ ତାଙ୍କୁ  କ୍ରୀଡା ବିଭାଗର ଡେପୁଟି ଡିରେକ୍ଟର ପଦବୀ ଅଫର ମିଳିଥିଲା । ହେଲେ ଅଫରକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଛନ୍ତି ସରବଜୋତ । 

ରୋଜଗାର ଅପେକ୍ଷା ସେ ଦେଶକୁ ଅଧିକ ଗୁରୁତ୍ବ ଦେଇଛନ୍ତି । ଉଚ୍ଚ ବେତନର ସରକାରୀ ଚାକିରି ବଦଳରେ ସେ ଖେଳରେ ଫୋକସ କରିବାକୁ ଚାହିଁଛନ୍ତି । ପରିବାର ସଦସ୍ୟ ମଧ୍ୟ ତାଙ୍କୁ ଏକ ଭଲ ଚାକିରି କରିବାକୁ ପରାମର୍ଶ ଦେଇଥିଲେ । ସରବଜୋତ କେବଳ ସୁଟିଂରେ ଫୋକସ କରିବାକୁ ଚାହୁଁଥିବା କହିଛନ୍ତି । 

କିଛି ଖେଳାଳି ଉଚ୍ଚ ବେତନର ସରକାରୀ ଚାକିରୀ ହାତେଇବାକୁ ଖେଳକୁ ବିକଳ୍ପ ଭାବରେ ବ୍ୟବହାର କରନ୍ତି । ସରବଜୋତ ଖେଳ କ୍ରୀଡା ବିଭାଗର ଡେପୁଟି ଡିରେକ୍ଟର ପରି ବଡ ଚାକିରୀକୁ ମନା କରି ଖେଳ ପ୍ରତି ନିଜର ସମର୍ପଣ ମନୋଭାବ ଓ ଉଚ୍ଚ ବିଚାରକୁ ଦେଖାଇଛନ୍ତି । ତାଙ୍କର ଏପରି ବିନମ୍ର ଭାବ ସବୁ କ୍ରୀଡାପ୍ରେମୀଙ୍କ ହୃଦୟକୁ ଜିତିଯାଇଛି । 


 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.