ଭଦ୍ରକ 01/04 : ସରପଞ୍ଚ, ଜନ ପ୍ରତିନୀଧି। ଲୋକଙ୍କ ସେବା ମନୋଭାବ ନେଇ ସେ ମୈଦାନକୁ ଓହ୍ଲାନ୍ତି। ଆଉ ବିଜୟ ମୁକୁଟ ପିନ୍ଧିବା ପରେ ସବୁ ଭୁଲିଯାଆନ୍ତି। ଏକଥା ଏଥିପାଇଁ କୁହାଯାଉଛି ଲୋକଙ୍କ ସେବାରେ ନିୟୋଜିତ ଥିବା ଲୋକଟି ଯଦି ନିଜେ ଅପରାଧ କରିବ ତାହେଲେ କହିବ କାହାକୁ। ଏଠି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ମାଡ ମାରିଛନ୍ତି ସରପଞ୍ଚ ଓ ତାଙ୍କ ଭାଇ। ଆକ୍ରମଣରେ ଯୁବକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ରାଧାବଲ୍ଲଭପୁର ପଞ୍ଚାୟତର ସରପଞ୍ଚଙ୍କ ଏଭଳି କାଣ୍ଡକୁ ନେଇ ଏବେ ଚର୍ଚ୍ଚା।
ରାଧାବଲ୍ଲଭପୁର ଫଚାୟତର ସରପଞ୍ଚ ପ୍ରିତମ ଦାସ ଓ ତାଙ୍କ ଭାଇ ମିଶି ଉକ୍ତ ଗ୍ରାମର କେଶବ ପଣ୍ଡାଙ୍କ ପୁଅ ତପନ ପଣ୍ଡାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତପନ ଏବେ ଗୁରୁତର ହୋଇ ଭଦ୍ରକ ଡ଼ାକ୍ତରଖାନାରେରେ ଚିକିତ୍ସିତ ହେଉଛନ୍ତି । ତପନଙ୍କ ବାପା ମାଆ ରୋଗାଗ୍ରସ୍ତ ହୋଇ ଉଭୟ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିଲେ। ସେମାନଙ୍କୁ ପାଖକୁ ତପନ ଯାଉଥିବା ବେଳେ ସଂଧ୍ୟାରେ ସରପଞ୍ଚ ଓ ତାଙ୍କ ଭାଇ ପୁର୍ବ ରାଜନୈତିକ ଶତ୍ରୁତାକୁ ନେଇ ରାସ୍ତାରେ ଅଟକାଇଥିଲେ । ପରେ ଘର ଭିତରକୁ ନେଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତେବେ କୌଶଳ କ୍ରମେ ତପନ ଖସି ଆସି ଧାମନଗର ଥାନାରେ ଅଭିଯୋଗ କରିଥିଲେ । ତପନଙ୍କ ଦୁଇ ହାତ, ଛାତି ଓ ପିଠି ରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ଘଟଣା ନେଇକୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।
ଅନ୍ୟପଟେ ଘଟଣାକୁ ନେଇ ସରପଞ୍ଚଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । କିନ୍ତୁ ଉଭୟ ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଥିବା ସୁଚନା ଦେଇଛି ଧାମନଗର ପୋଲିସ ।