ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନି, ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ

Published By : Prameya-News7 Bureau | September 20, 2024 IST

ଆନନ୍ଦପୁର ୨୦/୦୯: ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ମାଳମାଳ ଅଭିଯୋଗ । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି, ଅଭିଭାବକ, ପୂର୍ବତନ ଶିକ୍ଷକ, ସ୍କୁଲ କମିଟି ସଦସ୍ୟା ଓ ଗ୍ରାମବାସୀ  ସମସ୍ତଙ୍କ ମୁହଁରେ ଗୋଟିଏ କଥା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଉ । ଏଭଳି ଦାବି ନେଇ ଆଜି ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍ ପୁରୁଣା ବାନ୍ଦୋଗଡା ହାଇସ୍କୁଲରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀଙ୍କ ସହ ଗ୍ରାମବାସୀ । 

ପ୍ରଧାନ ଶିକ୍ଷୟିତ୍ରୀ ଜୋତ୍ସାରାଣୀ ବଳ ସ୍କୁଲର ବିଭାନ୍ନ ଆର୍ଥିକ ଅନିୟମିତତାରେ ଲିପ୍ତ ରହିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।  ଅନ୍ୟପଟେ ମଧ୍ୟାହ୍ନ ଭୋଜନ ଅତି ନିମ୍ନମାନର ହେଉଥିବାବେଳେ ଜୋତ୍ସ୍ନାରାଣୀ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଯୋଗ ଦିବାଦିନଠାରୁ ଗୁରୁ ଦିବସ ଓ ଗଣେଷପୂଜା ପ୍ରଭୃତି ପାଳନ ହେଉନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ସେହିପରି ବିଭିନ୍ନ ବିଲ୍‌ରେ ହିସାବ ନଦେଇ କମିଟି ସଦସ୍ୟଙ୍କୁ ଜୋର ଜବରଦସ୍ତ ଦସ୍ତଖତ କରାଇ ନେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ । 

ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ସ୍କୁଲ କର୍ମଚାରୀ ହୋଇନଥିଲେ ହେଁ ପ୍ରତେକ ଦିନ ସ୍କୁଲକୁ ଆସି ବିଭିନ୍ନ କାମରେ ହସ୍ତକ୍ଷେପ କରୁଥିବା ସଙ୍ଗୀନ୍ ଅଭିଯୋଗ ରହିଛି । ତେବେ ଏନେଇ ସ୍କୁଲ କମିଟି ଓ ଗ୍ରାମବାସୀ ମିଳିତ ହୋଇ ଜିଲ୍ଲାପାଳଙ୍କୁ ଅଭିଯେଗ କରିଖିଲେ । ଜିଲ୍ଲାପାଳ ଘଷିପୁରା ତହସିଲଦାରଙ୍କୁ ଘଟଣାର ତଦନ୍ତକରି ରିପୋର୍ଟ କରିବାକୁ ନିର୍ଦେଶ ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ କୌଣସି ତଦନ୍ତ ନହେବାରୁ ଗ୍ରାମବାସୀ ମାନେ ଏଭଳି ପଦକ୍ଷପ ନେଇଛନ୍ତି । ତେବେ ପ୍ରଧାନ ଶିକ୍ଷୟିତ୍ରୀ ଅନୁପସ୍ଥିତ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.