SEBIର ନୂଆ ଅଧ୍ୟକ୍ଷ ପାଇଁ ପ୍ରାର୍ଥୀ ଖୋଜା ଆରମ୍ଭ ! ୨୦୨୫ ଫେବ୍ରୁଆରୀରେ ଶେଷ ହେଉଛି ବୁଚ୍‌ଙ୍କ କାର୍ଯ୍ୟକାଳ

Published By : Prameya-News7 Bureau | October 07, 2024 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବଜାର ନିୟାମକ ସେବିର ନୂଆ ଅଧ୍ୟକ୍ଷ ପାଇଁ ପ୍ରାର୍ଥୀ ଖୋଜିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ମନିକଣ୍ଟ୍ରୋଲ ସୂତ୍ର ଆଧାରରେ ନିଜ ରିପୋର୍ଟରେ ଏହି ସୂଚନା ଦେଇଛି । ବର୍ତ୍ତମାନ ସମୟରେ ମାଧବୀ ପୁରୀ ବୁଚ୍ ସେବି ମୁଖ୍ୟ ଦାୟିତ୍ୱରେ ଅଛନ୍ତି । ମାଧବୀଙ୍କ ସମ୍ଭାବିତ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ପ୍ରାୟ ୭-୧୦ ଦିନ ପୂର୍ବରୁ ଆରମ୍ଭ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ହିଣ୍ଡନବର୍ଗର ରିପୋର୍ଟ ପରଠୁ ମାଧବୀ ପୁରୀ ବୁଚ୍ ବିବାଦ ଘେରରେ ଅଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ ଆବେଦନ ଆମନ୍ତ୍ରଣ କରିବା ପାଇଁ ଔପଚାରିକ ପ୍ରକ୍ରିୟା ଆଗାମୀ କିଛି ସପ୍ତାହରେ ଆରମ୍ଭ ହୋଇପାରେ । ମାଧବୀ ବୁଚ୍ ୨୦୨୨ ମାର୍ଚ୍ଚ ୨ରେ ତିନି ବର୍ଷ ପାଇଁ ସେବି ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ତାଙ୍କ କାର୍ଯ୍ୟକାଳ ୨୦୨୫ ଫେବ୍ରୁଆରୀ ୨୮ରେ ଶେଷ ହେବ । ଏହା ପୂର୍ବରୁ ସେ ୨୦୧୭-୨୨ ଯାଏ ପଞ୍ଚ ବର୍ଷ ପାଇଁ ସେବିରେ ପୂର୍ଣ୍ଣକାଳୀନ ସଦସ୍ୟ ଥିଲେ । ମନିକଣ୍ଟ୍ରୋଲ ସୂତ୍ରକୁ ନେଇ କରିଥିବା ରିପୋର୍ଟ ଅନୁସାରେ ଯଦିଓ ବୁଚଙ୍କ ଉତ୍ତରାଧିକାରୀ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି, କିନ୍ତୁ ବର୍ତ୍ତମାନର ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ବଢାଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ତେବେ ସମୟ ପୂର୍ବରୁ ସେବି ମୁଖ୍ୟ ପଦରୁ ବୁଚଙ୍କୁ ହଟାଯିବାର କୌଣସି ସମ୍ଭାବନା ନଥିବା କୁହାଯାଉଛି ।

ସେବି ମୁଖ୍ୟଙ୍କ କାର୍ଯ୍ୟକାଳ ସାଧାରଣତଃ ତିନି ବର୍ଷ ପାଇଁ ହୋଇଥାଏ । ତେବେ ୟୁକେ ସିହ୍ନା ଏବଂ ଅଜୟ ତ୍ୟାଗୀଙ୍କ ମାମଲାରେ ଏପରି ହୋଇନଥିଲା । ସିହ୍ନା ଛଅ ବର୍ଷ ଏବଂ ତ୍ୟାଗୀ ପାଞ୍ଚ ବର୍ଷ ଯାଏ ସେବି ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.