ଡ୍ରୋନ ପଠାଇ ଗୁଇନ୍ଦାଗିରି କରୁଛି ଚୀନ ? ହିମାଚଳ ପ୍ରଦେଶ ମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ

Published By : Prameya-News7 Bureau | October 07, 2024 IST

indianexpress

କିନ୍ନୋର: ଭାରତ ସୀମାରେ ଅନୁପ୍ରବେଶ କରିବା ସହ ଗୁଇନ୍ଦାଗିରି କରୁଛି ଚୀନ। ଏମିତି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ହିମାଚଳ ପ୍ରଦେଶର ମନ୍ତ୍ରୀ ଜଗତ ସିଂ ନେଗୀ। ଏମିତି ସମ୍ବେଦନଶୀଳ ଖବର ଆସିଛି ହିମାଚଳ ପ୍ରଦେଶରୁ। ରାଜ୍ୟର କିନ୍ନୋରରେ ଭାରତ-ଚୀନ ସୀମାରେ ଡ୍ରୋନ ଦେଖିବାକୁ ମିଳିଥିବା କହିଛନ୍ତି  ମନ୍ତ୍ରୀ ଜଗତ ସିଂ ନେଗୀ। ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, କିନ୍ନୋର ଜିଲ୍ଲାର ସିପକି ଲା ଓ ଋଷି ଡୋଗରୀ ଗାଁରେ ଡ୍ରୋନର ଗତିବିଧି ଦେଖିବାକୁ ମିଳିଛି। ଚୀନ ଏହି ଡ୍ରୋନର ବ୍ୟବହାର ଗୁଇନ୍ଦାଗିରି ଉଦ୍ଦେଶ୍ୟରେ କରାଯାଉଥିବା ମନ୍ତ୍ରୀ କହିଛନ୍ତି।

କିନ୍ନୋର ନିର୍ବାଚନ ମଣ୍ଡଳୀର ବିଧାୟକ କହିଛନ୍ତି, ଗତ ସପ୍ତାହରେ ସୀମାନ୍ତ ଅଞ୍ଚଳରେ ବାରମ୍ବାର ଅନେକ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଏହି ବିଷୟରେ ମୋତେ ଅବଗତ କରାଇଥିଲେ। ସବୁ ଡ୍ରୋନ ଭାରତ ସୀମାରେ ଚାଲିଥିବା ସଡକ ନିର୍ମାଣ ସମେତ ଅନ୍ୟାନ୍ୟ ଗତିବିଧି ଉପରେ  ନଜର ରଖିବା ପାଇଁ ବ୍ୟବହାର କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। 

ସେ କହିଛନ୍ତି, ସିପକିଲା ଓ ଋଷି ଡୋଗରୀ ଉଭୟ ଅଞ୍ଚଳ ସଂଲଗ୍ନ ବାସ୍ତବ ନିୟନ୍ତ୍ରଣ ରେଖା  ପର୍ଯ୍ୟନ୍ତ ସଡ଼କ ନିର୍ମାଣ କାମ ଚାଲିଛି। ତେଣୁ ଚୀନ ପକ୍ଷରୁ ଡ୍ରୋନ ଦ୍ଵାରା ନଜର ରଖାଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଏପରିକି ପୋଲିସ ଓ ସେନାର ଯବାନ ଏହି ଡ୍ରୋନ ଦେଖିଛନ୍ତି। ମାମଲାକୁ ଗୁରୁତର ସହ ଗ୍ରହଣ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅପିଲ୍ କରିଛନ୍ତି। 

ସୂଚନାଯୋଗ୍ୟ, ଆଦିବାସୀ ବହୁଳ ଜିଲ୍ଲା କିନ୍ନୋର ଓ ଲାହୋଲ ସହିତ ୨୪୦ କିଲୋମିଟର ଚୀନ ସୀମା ଲାଗି ରହିଛି। ଏହି ସବୁ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଭିତ୍ତିଭୂମି ଓ ନିର୍ମାଣ କାମ  ଜାରି ରହିଛି। ତେଣୁ କେନ୍ଦ୍ର ସରକାର ଯଥା ଶୀଘ୍ର ଚୀନ ଡ୍ରୋନ ବିରୋଧରେ ପଦକ୍ଷେପ ନେବାକୁ ଅପିଲ୍ କରିଛନ୍ତି କିନ୍ନୋରର ବିଧାୟକ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.