ଓଡ଼ିଶା ରାଜନୀତିରେ କିଏ କାହାକୁ ଚଳାଉଛି ? କଂଗ୍ରେସ-ବିଜେଡିକୁ ବିଜେପିର ଟାର୍ଗେଟ୍

Published By : Prameya-News7 Bureau | October 07, 2024 IST

ଭୁବନେଶ୍ଵର: ଓଡ଼ିଶା ରାଜନୀତିରେ କିଏ କାହାକୁ ଚଳାଉଛି ? ମାନେ କେଉଁ ଦଳ କାହାକୁ ମ୍ୟାନେଜ୍ କରୁଛି ? ନିର୍ବାଚନ ପରେ ଏହାକୁ ନେଇ ଆରମ୍ଭ ହୋଇଛି ବୟାନବାଜି । କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି । ବିଜେପି ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀଙ୍କ କହିବା କଥା ଦିଲ୍ଲୀ କଂଗ୍ରେସର ନିର୍ଦ୍ଦେଶ ଅନୁସାରେ ଏଠି ଓଡ଼ିଶାରେ କାମ କରୁଛି ବିଜେଡି । ଆଉ ରାଜ୍ୟରେ ବିଜେଡି ନିର୍ଦ୍ଦେଶରେ କାମ କରୁଛି କଂଗ୍ରେସ । ସେପଟେ ବିଜେପିର ଏଭଳି ଅଭିଯୋଗକୁ ଭିତ୍ତିହୀନ, କପୋଳ କଳ୍ପିତ କହି ଏଡ଼ାଇ ଦେଇଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ନେତା । 

କିଏ କାହାକୁ ଚଳାଉଛି ? ମାନେ ଓଡ଼ିଶା ରାଜନୀତିରେ କେଉଁ ଦଳ କାହାକୁ ମ୍ୟାନେଜ୍ କରୁଛି ? ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି ଓ କଂଗ୍ରେସ । ଶାସକ ବିଜେପି ଉଭୟ ବିଜେଡି ଓ କଂଗ୍ରେସକୁ ନିଶାନା କରିଛି । ବିଜେପି ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀଙ୍କ ବୟାନର ଆରମ୍ଭ ହୋଇଛି ପଲିଟିକାଲ ବୟାନବାଜି । ଅଶ୍ବିନୀ କହିଛନ୍ତି, ଦିଲ୍ଲୀ କଂଗ୍ରେସର ନିର୍ଦ୍ଦେଶ ଅନୁସାରେ ଏଠି ଓଡ଼ିଶାରେ କାମ କରୁଛି ବିଜେଡି । ଆଉ ରାଜ୍ୟରେ ବିଜେଡି ନିର୍ଦ୍ଦେଶରେ କାମ କରୁଛି କଂଗ୍ରେସ । 

Also read: ୧ କୋଟି ଟପିଲା ସୁଭଦ୍ରା ପଞ୍ଜିକରଣ, ଅକ୍ଟୋବର ୯ରେ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଅର୍ଥ

ଏମିତିକି ଯେ କୌଣସି ପ୍ରସଙ୍ଗ ସମ୍ପର୍କରେ ଉଭୟ ଦଳ ରାତିରେ କଥା ହୋଇ ସକାଳେ ବିଧାନସଭାରେ ସେଇ ଏକା ପ୍ରସଙ୍ଗକୁ ଉଠାଉଥିଲେ। ବିଜେଡିର କୌଣସି ନୀତି ଆଦର୍ଶ ନାହିଁ । ନିଜ ସ୍ବାର୍ଥ ପାଇଁ ବିଜେଡି ଇଣ୍ଡି ମେଣ୍ଟକୁ ଯାଇପାରେ । କିନ୍ତୁ ଏହାର କିଛି ପ୍ରଭାବ ପଡ଼ିବନି । ବିଜେଡି ଖସି ଖସି ଯାଉଛି ଆହୁରି ଖସିବ ବୋଲି ଆକ୍ଷେପ କରିଛନ୍ତି ବିଜେପି ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ । 

ବିଜେପି ନେତାଙ୍କ ଏଭଳି ଅଭିଯୋଗର କଡ଼ା ଜବାବ୍ ରଖିଛି ବିଜେଡି । ବିଜେଡି ବିଧାୟକ ଧ୍ରୁବସାହୁ କହିଛନ୍ତି ଆଞ୍ଚଳିକ ଦଳ ଭାବେ ଲୋକଙ୍କ ବିଶ୍ବାସ ଜିତିଛି ବିଜେଡି । କଂଗ୍ରେସ ଓ ବିଜେପି ଠାରୁ ବିଜେଡି ସମଦୂରତା ରଖି ଆସିଛି । ଏବେ ବି ବିଜେଡି ସମାନ ଆଭିମୁଖ୍ୟ ରଖିଛି । ବିଜେପିର ଦିଲ୍ଲୀରୁ ଚିଠା ନଆସିଲେ ଏଠି କଲମ ଚାଲେନି । ପୂର୍ବରୁ ବି ବିଜେପି ଏଭଳି ଅନେକ ଅଭିଯୋଗ କରିଛି ।ଏହାର କଥାର କିଛି ଭିତ୍ତି ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ । 

ସେପଟେ  ବିଜେପିର ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି ବିଜେଡି ଆଭିମୁଖ୍ୟ ଏବଂ କଂଗ୍ରେସ ଆଭିମୁଖ୍ୟ ଅଲଗା । ବିଜେଡି-ବିଜେପି ପୂର୍ବରୁ ମିଶିକି ଥିଲେ । ଏବେ ବି ସେହି ମାନସିକତାରେ ଅଛନ୍ତି । ବିଜେଡି ଏବେ ବି ବିଜେପି ସହ ଅଛି । ଜାତୀୟ ସ୍ତରରେ ବିଭିନ୍ନ ଆଂଚଳିକ ଦଳ ଇଣ୍ଡି ମେଣ୍ଟ ସହ ଅଛନ୍ତି । ବିଜେଡି ମିଶିବ କି ନାହିଁ ସେ କଥା ହାଇକମାଣ୍ଡ ବିଚାର କରିବେ । କଂଗ୍ରେସ ସମସ୍ତଙ୍କୁ ନେଇ ଚାଲିବାର ମାନସିକତା ରଖୁଛି । ଯେହେତୁ କଂଗ୍ରେସ ଜାତୀୟ ଦଳ ତେଣୁ ସମୟ ଆସିଲେ କଂଗ୍ରେସ ବିଜେଡିକୁ ଚଳାଇପାରେ । କିନ୍ତୁ ଆଂଚଳିକ ଦଳ ହୋଇ ବିଜେଡି କଂଗ୍ରେସକୁ କିଭଳି ଚଳାଇବ ବୋଲି ପାଲଟା ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା । 

୨୪ବର୍ଷ ଧରି ନିରଙ୍କୁଶ କ୍ଷମତା ଉପଭୋଗ କରିବା ପରେ ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସିଛି ବିଜେଡି । ଆଉ ପ୍ରଥମ ଥର ପାଇଁ ଓଡ଼ିଶା ଶାସନ ଡୋର ଧରିଛି ବିଜେପି । ଏମିତିରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହେଉଥିବା ବେଳେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ମଧ୍ୟ ନିଜ ସ୍ଥିତି ଜାହିର କରିବାକୁ ଚେଷ୍ଟା ଜାରି ରଖିଛି । ଏମିତିରେ କିଏ କାହାକୁ ଚଳାଉଛି, ବା କିଏ କାହା ଦ୍ବାରା ମ୍ୟାନେଜ୍ ହେଉଛି ତାକୁ ନେଇ ଜୋର୍ ଧରିଛି ପଲିଟିକାଲ ବୟାନବାଜି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.