କୋଲକାତା ୭।୧୦: ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ସିବିଆଇ) ଆରଜି କର କଲେଜରେ ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ସିବିଆଇ ସଞ୍ଜୟ ରାୟ ବିରୋଧରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଛି। ମହିଳା ଟ୍ରେନି ଡାକ୍ତରଙ୍କ ପ୍ରତି ହସ୍ପିଟାଲର ସେମିନାର ରୁମରେ ଦୁଷ୍କର୍ମ କରାଯାଇଥିଲା ଓ ଅଭିଯୁକ୍ତ ନିର୍ଦ୍ଦୟ ଭାବେ ତାଙ୍କର ହତ୍ୟା କରିଦେଇଥିଲା ବୋଲି ଅଭିଯୋଗଫର୍ଦ୍ଦରେ ଦର୍ଶାଯାଇଛି।
ଚାର୍ଜସିଟ୍ ଅନୁସାରେ ସିଫ୍ଟ ଯୋଗୁ ଡାକ୍ତର ଅର୍ଦ୍ଧରାତ୍ର ପରେ ସେମିନାର ରୁମକୁ ଆରାମ କରିବାକୁ ଯାଇଥିଲେ। ତା ପରଦିନ ସକାଳେ ଟ୍ରେନି ଡାକ୍ତରଙ୍କ ଶବକୁ ତାଙ୍କ ଜୁନିୟର ଡାକ୍ତରମାନେ ଦେଖିଥିଲେ। ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ପୀଡ଼ିତାଙ୍କ ପ୍ରତି ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିଲା। ଅଟୋପସିରେ ମୃତ ମହିଳାଙ୍କ ଶରୀରରେ ୨୫ଟି ଭିତର ଓ ବାହାରର ଆଘାତ ଥିବା ଜଣାପଡିଛି।
ଅଭିଯୁକ୍ତ ସଞ୍ଜୟ ରାୟ କୋଲକାତା ପୋଲିସରେ ସିଭିଲ ଭଲେଣ୍ଟିୟର ଥିଲା। ସେ ନିୟମିତ ହସ୍ପିଟାଲକୁ ଯିବା ଆସିବା କରୁଥିଲା। ହସ୍ପିଟାଲ ସିସିଟିଭିରେ ଘଟଣା ଦିନ ୯ ଅଗଷ୍ଟ ରାତି୪ଟା ୩ ମିନିଟରେ ହସ୍ପିଟାଲର ସେମିନାର ରୁମକୁ ସଞ୍ଜୟ ଯାଉଥିବା ଦେଖାଯାଇଛି। ସେ ପାଖାପାଖି ଅଧଘଣ୍ଟା ପରେ ରୁମରୁ ବାହାରିଥିଲା। କୋଲକାତା ପୋଲିସକୁ କ୍ରାଇମ ସିନରେ ସଞ୍ଜୟ ରାୟର ବ୍ଲୁ ଟୁଥ ହେଡଫୋନ ମଧ୍ୟ ମିଳିଥିଲା।
ମୃତ ମହିଳାଙ୍କ ନଖ ତଳୁ ମିଳିଥିବା ରକ୍ତ ଓ ତ୍ୱଚା ନମୁନା ଫରେନସିକ ପ୍ରମାଣ ମଧ୍ୟ ସଞ୍ଜୟ ରାୟର ଡିଏନଏ ସହିତ ମେଳ ଖାଉଛି, ଏଣୁ ଅପରାଧରେ ତାର ସମ୍ପୃକ୍ତି ଆହୁରି ମଜଭୁତ ହୋଇଛି। ଟ୍ରେନି ଡାକ୍ତରଙ୍କ ଶବ ଅଗଷ୍ଟ ୯ ତାରିଖ ସକାଳେ ହସ୍ପିଟାଲର ସେମିନାର ରୁମରୁ ମିଳିଥିଲା। ଏହା ପରେ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ଏବେ ସଞ୍ଜୟ ବିରୋଧରେ ଔପଚାରିକ ଅଭିଯୋଗ ଫର୍ଦ୍ଦ ମଧ୍ୟ ଦାଖଲ ହୋଇଛି।