ନବରାତ୍ରି ଅବସରରେ ନିଜ ରଚିତ ‘ଗରବା’ ସେୟାର କଲେ ପ୍ରଧାନମନ୍ତ୍ରୀ, ସୋସିଆଲ ମିଡିଆରେ Video ଭାଇରାଲ

Published By : Prameya-News7 Bureau | October 07, 2024 IST

ନୂଆଦିଲ୍ଲୀ ୭।୧୦: ସାରା ଦେଶରେ ଧୂମଧାମରେ ପାଳିତ ହେଉଛି ନବରାତ୍ରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନବରାତ୍ର ବ୍ରତ ରଖନ୍ତି। ପ୍ରଧାନମନ୍ତ୍ରୀ ସୋମବାର ସୋସିଆଲ ମିଡିଆ ‘ଏକ୍ସ’ରେ ଦୁର୍ଗା ପୂଜା ପାଇଁ ଲେଖିଥିବା ତାଙ୍କର ଗୁଜରାଟି ଭାଷାର ଗରବା ‘ଆବତୀ କଲାୟ’ ସେୟାର କରିଛନ୍ତି। ଏହି ଭିଡିଓ ଏକ୍ସ ରେ ଅପଲୋଡ ହେବା ପରେ ଭାଇରାଲ ହୋଇଯାଇଛି। ଏଥିରେ ମାଙ୍କ ବନ୍ଦନା ଅତ୍ୟନ୍ତ ଉଚ୍ଚକୋଟିର ହୋଇଥିବା ବେଳେ ଲୋକଙ୍କ ମନରେ ଭକ୍ତି ଉଦ୍ରେକ କରୁଛି। 

ଏହି ଗୀତକୁ  ଅପଲୋଡ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ‘ଏହା ନବରାତ୍ରିର ପବିତ୍ର ସମୟ ଓ ଲୋକେ ଦେଶରେ ଅଲଗା ଅଲଗା ଢଙ୍ଗରେ ନବରାତ୍ରି ଉତ୍ସବ ପାଳନ କରୁଛନ୍ତି, ଯାହା ମା ଦୁର୍ଗାଙ୍କ ପ୍ରତି ଲୋକଙ୍କ ନିଷ୍ଠା ଓ ଭକ୍ତିକୁ ପ୍ରଦର୍ଶିତ କରୁଛି। ଶ୍ରଦ୍ଧା ଓ ଆନନ୍ଦର ଏହି ଭାବନାରେ ଏଠାରେ ‘ଆବତୀ କଲାୟ’ ଉପସ୍ଥାପନ କରୁଛି, ଏହା ଏକ ଗରବା ଓ ମାଙ୍କ ଶକ୍ତି ଏବଂ କୃପା ପ୍ରତି ଶ୍ରଦ୍ଧାଞ୍ଜଳି  ଜଣାଇ ଲେଖିଛି। ମାଙ୍କ ଆଶିର୍ବାଦ ସବୁବେଳେ ଆମ ଉପରେ ଥାଉ’। 


ପ୍ରଧାନମନ୍ତ୍ରୀଙ୍କ ରଚିତ ଏହି ଗରବାରେ ଗାୟକ ପୂର୍ବା ମନ୍ତ୍ରୀ କଣ୍ଠଦାନ କରିଥିବା ବେଳେ ସୁଲଳିତ ଗାୟନ ଶୈଳୀ ଲୋକଙ୍କୁ ପ୍ରଭାବିତ କରୁଛି। ଗରବାରେ କଣ୍ଠଦାନ ପାଇଁ ପ୍ରଧାନମନ୍ତ୍ରୀ ଗାୟକଙ୍କୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ତାଙ୍କ ପ୍ରତିଭାକୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହି ଗରବା ଭିଡିଓରେ ଉପଲବ୍ଧ ହେଉଥିବା ବେଳେ ଲୋକଙ୍କୁ ବେଶ୍ ପସନ୍ଦ ହେଉଛି। 


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ସାରଦୀୟ ଓ ଚୈତ୍ର ନବରାତ୍ରିରେ ବ୍ରତ ରଖନ୍ତି। ଉଭୟ ନବରାତ୍ରିକୁ ସେ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରନ୍ତି। ୨୦୧୪ ମସିହାରେ ପ୍ରଥମ ଥର ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ଚୈତ୍ର ନବରାତ୍ର ତାଙ୍କର ପ୍ରଥମ ଆମେରିକା ଗସ୍ତକାଳରେ ପଡିଥିଲା। ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ପ୍ରଧାନମନ୍ତ୍ରୀଙ୍କ ଲାଗି ନୈଶ ଭୋଜ ଆୟୋଜନ କରିଥିଲେ ହେଁ ପ୍ରଧାନମନ୍ତ୍ରୀ ଚୈତ୍ର ନବରାତ୍ର ପାଇଁ କେବଳ ଗୋଟିଏ ଗ୍ଲାସ୍ ସାଧା ଲେମ୍ବୁପାଣି ଗ୍ରହଣ କରିଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.