ଭିତରକନିକା-ଧାମରା ମଧ୍ୟରେ ମାଡ଼ ହେଲା ବାତ୍ୟା, ହବାଳିଖଟିରେ ସ୍ଥଳଭାଗ ଛୁଇଁଲା ‘ଦାନା’

Published By : Prameya-News7 Bureau | October 25, 2024 IST

ଭୁବନେଶ୍ୱର: ବାତ୍ୟା ‘ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ଏହି ପ୍ରକ୍ରିୟା ଶୁକ୍ରବାର ସକାଳ ଯାଏ ଜାରି ରହିବ । ତେବେ ରାତି ପ୍ରାୟ ୧୨ଟା ୫ ମିନିଟରେ ଭିତରକନିକା ଏବଂ ଧାମରା ମଧ୍ୟରେ ବାତ୍ୟା ମାଡ଼ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଭିତରକନିକା ହବାଳିଖଟି ନେଚର କ୍ୟାମ୍ପ ନିକଟରେ ବାତ୍ୟାର କେନ୍ଦ୍ର ରହିଥିଲା । ଅର୍ଥାତ୍ ବାତ୍ୟା ଦାନା ହବାଳିଖଟିରେ ସ୍ଥଳଭାଗ ଛୁଇଁଛି । 

ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରର୍ମ “ଦାନା” ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଏବଂ ଉତ୍ତର ଓଡ଼ିଶା ଉପକୂଳକୁ ହବାଳିଖଟି ନେଚର କ୍ୟାମ୍ପ (ଭିତରକନିକା) ଏବଂ ଧାମରା ନିକଟ ଦେଇ ରାତି ୧ଟା ୩୦ ମିନିଟରୁ ଭୋର ୩.୩୦ ମିନିଟ୍ ମଧ୍ୟରେ ଅତିକ୍ରମ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ଏବଂ ଝଟକା ପବନ ୧୨୦ କିଲୋମିଟର ରହିଥିଲା ।

ଆଇଏମଡିର ସୂଚନା ଅନୁସାରେ 'ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି ଏବଂ ବାତ୍ୟାର ରିୟର ସେକ୍ଟର ସ୍ଥଳଭାଗରେ ପ୍ରବେଶ କରିଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆହୁରି ୨ରୁ ୩ ଘଣ୍ଟା ପାଇଁ ଜାରି ରହିବ । ଏହାପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଅତିକ୍ରମ କରିବା ପରେ ଦୁର୍ବଳ ହେବ । ଶୁକ୍ରବାର ଅପରାହ୍ଣ ସୁଦ୍ଧା ଏହା ଦୁର୍ବଳ ହୋଇ ସାଇକ୍ଲୋନିକ୍ ଷ୍ଟ୍ରର୍ମର ରୂପ ନେବ । ପରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ।

ବାତ୍ୟା ଦାନାର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ଖବର ଆସିଛି । ଜିଲ୍ଲାର ରାଜନଗର, ଗୁପ୍ତୀ, ଜମ୍ୱୁ, ମହାକାଳପଡ଼ା, ମାର୍ଶାଘାଇ, ପଟ୍ଟାମୁଣ୍ଡାଇ ପ୍ରଭାବିତ ହୋଇଛି । ବହୁ ସ୍ଥାନରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିଛି । ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଲଗାଣ ବର୍ଷା ହୋଇଛି ।

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.