ନୂଆଦିଲ୍ଲୀ ୧୬।୦୧; ପ୍ରୟାଗରାଜର ମହାକୁମ୍ଭରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ମଡେଲ ଏବଂ ଆଙ୍କର ହର୍ଷା ରିଚାରିଆ। ତାଙ୍କୁ ନେଇ ଏବେ ଏକ ନୂତନ ବିବାଦ ଦେଖା ଦେଇଛି। ମହାକୁମ୍ଭ ପୂର୍ବରୁ ହର୍ଷାଙ୍କୁ ଅମୃତ ସ୍ନାନରେ ସାମିଲ କରିବା ଏବଂ ତାଙ୍କୁ ମହାମଣ୍ଡଳେଶ୍ୱରଙ୍କ ରାଜକୀୟ ରଥରେ ବସାଇବା ନେଇ ବିବାଦ ଉପୁଜିଛି। ଏହାକୁ ନେଇ ଶଙ୍କରାଚାର୍ଯ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ସିଧାସଳଖ ହର୍ଷାଙ୍କୁ ଟାର୍ଗେଟ କରିଛନ୍ତି। ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ଏନେଇ ପ୍ରଶ୍ନ ଉଠାଇଛନ୍ତି।
ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ମହାକୁମ୍ଭରେ ଏପରି ପରମ୍ପରା ଆରମ୍ଭ କରିବା ସମ୍ପୂର୍ଣ୍ଣ ଭୁଲ। ଏହା ଏକ ବିକୃତ ମାନସିକତାର ପରିଣାମ। ମହାକୁମ୍ଭରେ, ମୁହଁର ସୌନ୍ଦର୍ଯ୍ୟ ନୁହେଁ, ହୃଦୟର ସୌନ୍ଦର୍ଯ୍ୟ ଦେଖିବା ଉଚିତ। ଯିଏ ଏପର୍ଯ୍ୟନ୍ତ ସାଧ୍ୱୀ ହେବାକୁ ନିଷ୍ପତ୍ତି ନେଇନାହାଁନ୍ତି। ଯିଏ ସନ୍ନ୍ୟାସ ଦୀକ୍ଷା ନେବାକୁ ଓ ବିବାହ ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି, ତାଙ୍କୁ ସନ୍ଥ ଏବଂ ମହାତ୍ମାଙ୍କ ରାଜକୀୟ ରଥରେ ସ୍ଥାନ ଦେବା ଉପଯୁକ୍ତ ନୁହେଁ। ଯଦି ସେ ଭକ୍ତ ଭାବରେ ଅଂଶଗ୍ରହଣ କରିଥାନ୍ତେ। ତେବେ ଠିକ ହୋଇଥାନ୍ତା, କିନ୍ତୁ ଭଗୱା ପୋଷାକ ପିନ୍ଧି ରାଜ ରଥରେ ବସିବା ସମ୍ପୂର୍ଣ୍ଣ ଭୁଲ। ସନାତନ ପ୍ରତି ସମର୍ପଣ ରହିବା ଆବଶ୍ୟକ। ମହାକୁମ୍ଭରେ, ମୁହଁର ସୌନ୍ଦର୍ଯ୍ୟ ନୁହେଁ, ମନର ସୌନ୍ଦର୍ଯ୍ୟ ଦେଖାଯିବା ଉଚିତ ଥିଲା। ଯେପରି ପୋଲିସ ପୋଷାକ କେବଳ ପୋଲିସରେ ନିଯୁକ୍ତି ପାଇଥିବା ଲୋକଙ୍କ ପାଇଁ ଉପଲବ୍ଧ, ସେହିପରି କେବଳ ସନ୍ନ୍ୟାସୀମାନେ ଭଗୱା ପୋଷାକ ପିନ୍ଧିପାରିବେ ବୋଲି ସେ ହର୍ଷାଙ୍କୁ ଟାର୍ଗେଟ କରି କହିଛନ୍ତି।
କହିବାକୁ ଗଲେ ହର୍ଷା ରିଚାରିଆ ନିରଞ୍ଜନୀ ଆଖଡ଼ାର ମହାମଣ୍ଡଳେଶ୍ୱର କୈଳାସାନନ୍ଦ ମହାରାଜଙ୍କ ଜଣେ ଶିଷ୍ୟା ଏବଂ ମୂଳତଃ ସେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ବାସିନ୍ଦା। ସାଧ୍ୱୀ ହେବା ବ୍ୟତୀତ, ହର୍ଷା ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସର। ତାଙ୍କର ଭାଇରାଲ ଭିଡିଓ ଏବଂ ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ତାଙ୍କୁ ମହାକୁମ୍ଭ ୨୦୨୫ ଫେମ ଉପାଧୀ ଦେଉଛନ୍ତି। ହର୍ଷା ରିଚାରିଆ ଜଣେ ସାଧ୍ୱୀ ହୋଇଥିବାରୁ ରାତାରାତି ପ୍ରସିଦ୍ଧ ହୋଇଥିଲେ କେବଳ ତାହା ନୁହେଁ, ବରଂ ସୋସିଆଲ ମିଡିଆରେ ତାଙ୍କର ଭାଇରାଲ ହେବା ଏବଂ ଫଲୋଅର୍ସ ବୃଦ୍ଧି ହେବାର ସବୁଠାରୁ ବଡ଼ କାରଣ ହେଉଛି ତାଙ୍କର ସୌନ୍ଦର୍ଯ୍ୟ। ୨୦୨୫ ମହାକୁମ୍ଭକୁ ଆସୁଥିବା ହର୍ଷା ରିଚାରିଆଙ୍କୁ ସବୁଠାରୁ ସୁନ୍ଦରୀ ସାଧ୍ୱୀ ବୋଲି କୁହାଯାଉଛି।