ବାତ୍ୟା ‘ଦାନା’କୁ ନେଇ ସଜାଗ ଶ୍ରୀମନ୍ଦିର ପ୍ରଶାସନ, ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ

Published By : Prameya-News7 Bureau | October 24, 2024 IST

ପୁରୀ ୨୪।୧୦ : ବାତ୍ୟା ଦାନାକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି l ମୁଖ୍ୟ ପ୍ରଶାସକ ସମସ୍ତ ବ୍ୟବସ୍ଥାର ଟିକିନିଖି ଭାବେ ତଦାରଖ କରିବା ସହ ପ୍ରଶାସକ ତଥା ଅନ୍ୟ ଅଧିକାରୀ କର୍ମଚାରୀ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି l  ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନ ହେବ ସେ ଦିଗରେ, ଆବଶ୍ୟକ ବାତ୍ୟା ସମ୍ପର୍କିତ ସତର୍କତା ରକ୍ଷା କରି ପଦକ୍ଷେପ ନେବାକୁ ସମସ୍ତ ସେବକ ତଥା କର୍ମଚାରୀଙ୍କୁ ମଧ୍ୟ ମୁଖ୍ୟ ପ୍ରଶାସକ ଅନୁରୋଧ କରିବା ସହିତ ତାଗିଦ୍ ମଧ୍ୟ କରିଛନ୍ତି l

ଗ୍ରହଣ କରାଯାଇଥିବା ବ୍ୟବସ୍ଥା- 

୧. ଆନନ୍ଦ ବଜାରରେ ଅସ୍ଥାୟୀ ଟିଣ ତଥା ପାଲ ଛାତ ବାହାର କରିଦିଆଯାଇଛି l 

୨. ବର୍ଷା ପାଣିରୁ ରକ୍ଷା ପାଇଁ ଅସ୍ଥାୟୀ ଖଟସେଜ ଘର ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି l 

୩. ସିଂହଦ୍ୱାର ସମ୍ମୁଖ LED ସ୍କ୍ରିନ୍‌କୁ ଅପସାରଣ କରାଯାଇ ଥିବା ବେଳେ ସୂଚନା କେନ୍ଦ୍ର କାଚ ସ୍ଥାନରେ ପ୍ଲାଏ ଉଡ୍‌ ଲଗାଯାଇଛି l 

୪. କୋଇଲି ବୈକୁଣ୍ଠ ପରିସର ସ୍ଥିତ ଗୃହଗୁଡିକର ଟିଣ ସିଟ୍ ଛାତ ଉପରେ ବାଲି ବସ୍ତା ଦିଆ ଯାଇଛି l 

୫. ସାତପାହାଚ ନିକଟରେ ଭକ୍ତମାନଂକ ସୁବିଧା ପାଇଁ ଥିବା ଧାଡ଼ି ବ୍ୟବସ୍ଥା ବ୍ଯାରିକେଡ୍ ଉପର ଛାତ କଢ଼ାଯାଇଥିବା ବେଳେ ଉପବନରୁ ସୌନ୍ଦର୍ଯ୍ୟକରଣ ଲାଇଟ୍ ବାହାର କରାଯାଇଛି l 

୬. ସିଂହଦ୍ଵାର ସମ୍ମୁଖ ଧାଡ଼ି ବ୍ୟବସ୍ଥା ଉପର ପାଲ କଢ଼ାଯାଇଥିବା ବେଳେ ସମସ୍ତ ହାଲୁକା ବ୍ୟାରିକେଡକୁ ଗୋଟିଏ ଯାଗାରେ ଜମା କରି ରଶି ଦ୍ଵାରା ବନ୍ଧା ଯାଇଛି l 

୭. ସମସ୍ତ ଜେନେରେଟର ସେଟ ଡିଜେଲ ଭର୍ତ୍ତି କରାଯିବା ସହ ଗୋଟିଏ JCB ରିଜର୍ଭ ରଖାଯାଇଛି l 

୮. ସେହିପରି CCTV ବ୍ୟବସ୍ଥା ଯେପରି ପ୍ରଭାବିତ ନ ହେବ ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଛି l

ଏସବୁ ବ୍ୟବସ୍ଥା ସହ ଆବଶ୍ୟକ ସ୍ଥଳେ ASI ଏବଂ OBCC ସହ ପରାମର୍ଶ କରି ପଦକ୍ଷେପ ନେବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ମଧ୍ୟ ସମସ୍ତ ବ୍ୟବସ୍ଥାର ତତ୍ତ୍ଵାବଧାନ କରିବାକୁ ମୁଖ୍ୟ ପ୍ରଶାସକ କହିଛନ୍ତି। 

 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.