ପୁରୀ ୩୧।୧୦ : ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ। ଖୁଲମଖୁଲା ଶ୍ରୀମନ୍ଦିର ଭିତରକୁ ମୋବାଇଲ ଯିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହାପରେ ଶ୍ରୀମନ୍ଦିର ସୁରକ୍ଷା ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଦୁଇଦିନ ତଳେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଭିତରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ଭିଜୁଆଲ୍ ଭାଇରାଲ୍ ପରେ ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର ହେଉଛି କି ନାହିଁ ସେନେଇ ରିଅଲିଟ୍ ଚେକ୍ କରିଥିଲା ନ୍ୟୁଜ ସେଭେନ୍। ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ବାରଣ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଥିବା ବେଳେ ଖୋଲାଖୋଲି ଏହାକୁ ବେଖାତିର କରିଥିବାର ଦେଖିବାକୁ ମିଳିଛି। ସେବାୟତ ହୁଅନ୍ତୁ କିମ୍ବା ଅଣସେବାୟତ କିମ୍ବା ସୁରକ୍ଷାକର୍ମୀ କିମ୍ବା ଯାତ୍ରୀ ଗୁମାସ୍ତା ସମସ୍ତେ ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର କରୁଛନ୍ତି। ଭକ୍ତ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବାକୁ ବାରଣ ହେବାସହ ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୋବାଇଲ ନେବା ଉପରେ ମନ୍ଦିର ପ୍ରଶାସନ ତରଫରୁ କଟକଣା କରାଯାଇଛି।
ପୂର୍ବରୁ ଶ୍ରୀମନ୍ଦିର ଭିତରେ ମୋବାଇଲ ବ୍ୟବହାର ବନ୍ଦ ହେବାନେଇ ବିଭିନ୍ନ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହେବା ସତ୍ତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତରକୁ ମୋବାଇଲ ଯିବା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିୟମ ମୁତାବକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ, ଏସପି ଓ ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିବିଶେଷ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ନେଇପାରିବେ ନାହିଁ। କିନ୍ତୁ ସମସ୍ତ ନିୟମର ଏଠାରେ ଧଜିଆ ଉଡୁଥିବା ଦେଖିବାକୁ ମିଳିଛି ।ପୂର୍ବ ନିଷ୍ପତ୍ତି ମୁତାବକ ସେଵାୟତମାନଙ୍କୁ କିପ୍ୟାଡ୍ ଫୋନ୍ ବ୍ୟବହାର କରିବାକୁ ଦାବି ହୋଇଛି ।