ନୂଆଦିଲ୍ଲୀ୦୯/୪: ଦୁନିଆରେ ଏମିତି ଅନେକ ଜାଗା ରହିଛି ଯାହାକୁ ମଣିଷଙ୍କୁ ଯିବା ମନା । ଗଲେ ଜୀବନ ନେଇ ଫେରିବା ଅସମ୍ଭବ । ଆଜି ଆମେ ଆପଣଙ୍କୁ ଏମିତି ଏକ ଜାଗା ବିଷୟରେ କହିବୁ ଯେଉଁଠି କେବଳ ସାପଙ୍କ ରାଜ୍ ଚାଲେ । ସେଠି ପ୍ରତି ପାଦରେ ପାଇବେ ବିଷଧର ସାପ । ଏହି ଆଇଲାଣ୍ଡରେ ସାପ ଛଡା ଆଉ କାହାକୁ ଦେଖିବାକୁ ମିଳେନି । କୁହାଯାଏ ଏଠି ବାସ କରନ୍ତି ୪ହଜାରରୁ ଅଧିକ ପ୍ରଜାତିର ବିଷଧର ସାପ ।ଯେଉଁମାନେ କି ସବୁବେଳେ ଥାଆନ୍ତି ଶିକାର ଅପେକ୍ଷାରେ । ବ୍ରାଜିଲର ସାଓ ପାଓଲ ସହରର କିଛି ମିଟର ଦୂରରେ ଥିବା ସମୁଦ୍ରରେ ଏକ ଛୋଟ ଦ୍ବୂୀପ ରହିଛି । ଯାହାର ପ୍ରକୃତ ନାମ ଇଲ୍ହାଦା କ୍ୟୁମାଡା ଗ୍ରାଣ୍ଡେ (ILHA DA QUEIMADA GRANDE) । ହେଲେ ଅଧିକାଂଶ ଲୋକ ଏହାକୁ ସ୍ନେକ ଆଇଲାଣ୍ଡ ନାଁରେ ଜାଣନ୍ତି ।୧୦୬ ଏକର ଜାଗାରେ ଠିଆ ହୋଇଛି ଲକ୍ଷ ଲକ୍ଷ ବିଷଧର ସାପରେ ଭରା ଏହି ରହସ୍ୟମୟ ଦ୍ବୀପ ।
ସମୁଦ୍ର ମଝିରେ ଥିବା ଦ୍ବୀପଟି ପୁରା ଘଞ୍ଚ ଜଙ୍ଗଲରେ ଆଚ୍ଛାଦିତ ।ସାପଙ୍କ ଛଡା ଏଠାରେ କାହାକୁ ଦେଖିବାକୁ ମିଳୁନଥିବାବେଳେ ଏକ ଲାଇଟ ହାଉସ ନଜରକୁ ଆସେ । ପୂର୍ବରୁ ଏଠାରେ ଲୋକଙ୍କ ଆତଯାତ ଥିବାର ବିଶ୍ବାସ କରାଯାଏ । ଆଗରୁ ଯେତେବେଳେ ଜାହାଜକୁ ଟ୍ରାକ କରିବାକୁ ଜିପିଏସ ସିଷ୍ଟମ ନଥିଲା ସେତେବେଳେ ଏମିତି ଛୋଟ ବଡ ଆଇଲାଣ୍ଡରେ ଲାଇଟ ହାଉସ ତିଆରି କରାଯାଉଥିଲା । ସେହି ଲାଇଟ ହାଉସରେ ଦିନ ରାତି ଲାଇଟ ଜଳୁଥିଲା । ଆଉ ସମୁଦ୍ରରେ ଯାତ୍ରା କରୁଥିବା ଜାହାଜର ଲୋକେ ଏହି ଲାଇଟରୁ ଆଇଲାଣ୍ଡର ସ୍ଥିତି ସଂପର୍କରେ ଜାଣିପାରୁଥିଲେ। ଦୁର୍ଘଟଣାକୁ ଏଡାଇ ଦେଉଥିଲେ ।
କୁହାଯାଏ ୧୯୨୦ ମସିହା ପାଖାପାଖି ଏହି ଲାଇଟ ହାଉସରେ ଜଣେ କର୍ମଚାରୀ ପରିବାର ସହ ରହୁଥିଲେ ।ଗୋଟିଏ ଦିନ ତୀବ୍ର ବେଗରେ ଝଡ ତୋଫାନ ଆସିଲା । ସେଥିରେ କର୍ମଚାରୀଙ୍କ ସମେତ ପୁରା ପରିବାରର ନିଶ୍ଚିହ୍ନ ହୋଇଯାଇଥିଲେ । କିଛି ଲୋକଙ୍କ କହିବା କଥା ଝଡ ତୋଫାନ ନୁହେଁ ବିଷାକ୍ତ ସାପ ଦଂଶନରେ ସେମାନଙ୍କର ମୃତ୍ୟୁ ହୋଇଛି । । ଏହି ଘଟଣା ପରେ କୌଣସି କର୍ମଚାରୀ ଏହି ଲାଇଟ ହାଉସରେ ଯାଇ କାମ କରିବାରୁ ସାହସ ଜୁଟାଇ ପାରିନାହାନ୍ତି । ତେବେ ବର୍ତ୍ତମାନ ସମୟରେ ସେଠାରେ ଲାଇଟ ହାଉସ ଅଟୋମେଟିକ କାମ କରୁଛି ।
ହେଲେ ଏଠି ପ୍ରଶ୍ନ ଉଠୁଛି ଯେ ଆଇଲାଣ୍ଡରେ ଏତେ ପରିମାଣର ସାପ କେବେ କେମିତି ଓ କେଉଁଠୁ ଆସିଲେ ।ଏହି କଥା ଜାଣିବାକୁ ହେଲେ ଆମକୁ ଇତିହାସର ୧୨ ହଜାର ବର୍ଷ ପଛକୁ ଫେରିଯିବାକୁ ହେବ । କାହିଁକି ନା ସେତେବେଳେ ଏହି ଆଇଲାଣ୍ଡ ସାଉଥ ଆମେରିକା ସହ ଜଡିତ ଥିଲା । ଆଉ ଆମେରିକା ମହାଦୀପର ଅଂଶ ଥିଲା । ସେହି ସମୟରେ ମହାଦୀପରେ କେବଳ ବିଷଧର ସାପ ରହୁଥିଲେ । ଅନେକ ଲୋକଙ୍କ ଜୀବନ ଏହି ସାପଙ୍କ ଦଂଶନରେ ଯାଇଛି ।ତେବେ ଆଣ୍ଟଲାଟିକ ମହାସାଗରରେ ବରଫ ତରଳିବା ଯୋଗୁ ସମୁଦ୍ରରେ ଜଳସ୍ତର ବଢିବାକୁ ଲାଗିଥିଲା । ଏହି କାରଣରୁ ସମୁଦ୍ର ଲହରୀ ଆକାର ବଢିବାକୁ ଲାଗିଥିଲା । ଆଉ ତୀବ୍ର ଗତିରେ ହଲ୍ଚଲ୍ ହେବାକୁ ଲାଗିଥିଲା । ଏଥିପାଇଁ ସାଉଥ ଆମେରିକାର ଏକ ଅଂଶ ଭାଙ୍ଗି ଅଲଗା ହୋଇଯାଇଥିଲା । ଯାହା ଆଗକୁ ସ୍ନେକ ଆଇଲାଣ୍ଡ ନାଁରେ ପରିଚିତ ହେଲା ।
ଆଇଲାଣ୍ଡରେ ସାପଙ୍କ ପାଇଁ ଖାଇବାର ଅଭାବ ନଥିଲା । କାହିଁକି ଜଙ୍ଗଲରେ ଥିବା ମୂଷା, ଚଢେଇ, ଅଣ୍ଡା ସବୁକିଛି ଖାଇଯାଉଥିଲେ ଏମାନେ । ଏପରି ଭାବରେ ସାପଙ୍କ ଶିକାର ହୋଇ ଆଇଲାଣ୍ଡରେ ରହୁଥିବା ଜୀବ ଧିରେ ଧିରେ ଲୋପ ପାଇବାକୁ ଲାଗିଲେ । ଆଉ ସାପଙ୍କ ପାଇଁ ଆରମ୍ଭ ହୋଇଯାଇଥଲା ଖାଦ୍ୟ ଅଭାବ । ଏମିତି ସ୍ଥିତିରେ ବଂଚିବାକୁ ସାପମାନେ ନିଜର ଶିକାର କରିବା ଶୈଳୀ ଓ ଖାଇବାର ତରିକା ବଦଳାଇ ଦେଇଥିଲେ । ଏମିତି ନ କରିଥିଲେ ଆଇଲାଣ୍ଡରୁ ସାପ ବଂଶ ହୁଏତ ନିଶ୍ଚିହ୍ନ ହୋଇଯାଇଥାନ୍ତା । ବିଷଧର ସାପମାନେ ଦୂରରୁ ଉଡି ଆସୁଥିବା ପକ୍ଷୀଙ୍କ ଶିକାର କରିବା ଆରମ୍ଭ କରିଦେଇଥିଲେ । ଯେଉଁମାନେକି ଲମ୍ବା ସମୟର ଯାତ୍ରା କାଳରେ ବିଶ୍ରାମ ନେବାକୁ ଏଇ ଆଇଲାଣ୍ଡର ଗଛ ଛାଇ ତଳେ ଆଶ୍ରୟ ନେଉଥିଲେ । ହେଲେ ଏହି ଆରାମ ସେମାନଙ୍କ ଜୀବନ ପାଇଁ ବିପଦ ହୋଇଯାଉଥିଲା ।
ଦ୍ବୀପରେ ଥିବା ହଜାର ହଜାର ସାପଙ୍କ ମେଳରେ ଏକ ସୁନେଲି ରଙ୍ଗର ସାପ ଥିଲା ଯାହାର ନାଁ ଗୋଲଡେନ ଲାନସେଡ ପିଟ ଭାଇପର । ଏହି ସୁନେଲି ରଂଗର ସାପଟି ଦେଖିବାକୁ ଯେତିକି ସୁନ୍ଦର ଥିଲା ତାର ବିଷ ସେତିକି ଭୟାନକ ଥିଲା । ଏହି ଆଇଲାଣ୍ଡକୁ ଯିବାକୁ ସାଧାରଣ ଲୋକଙ୍କୁ ବ୍ୟାନ କରିଦେଇଥିଲେ ବ୍ରାଜିଲ ସରକାର । ତଥାପି କିଛି ଲୋକ ସାପର ବିଷକୁ ଆଣି ଉଚ୍ଚ ଦରରେ ବିକ୍ରି କରିବାକୁ ଲୁଚିଛପି ଆଇଲାଣ୍ଡ ଭିତରକୁ ଯାଉଥିଲେ । ଆଉ କେହି ସେଠାରୁ ଜୀବନ ବଞ୍ଚାଇ ଫେରି ପାରୁନଥିଲେ ।ଅନେକ ସମୟରେ କୋଷ୍ଟଗାର୍ଡ ହାତରେ ଧରାପଡି ଜେଲ୍ ଯିବାକୁ ପଡିଥାଏ । ଦୁନିଆରେ ଏମିତି ଅନେକ ବିଷଧର ସାପ ଅଛନ୍ତି ଯେଉଁମାନଙ୍କର ବିଷର ଦାମ୍ ପ୍ରାୟ ୨୫ ଲକ୍ଷ ହୋଇଥାଏ । କେବଳ ବୈଜ୍ଞାନିକମାନେ ଏହି ବିପଦପୂର୍ଣ୍ଣ ସ୍ଥାନକୁ ରିସର୍ଚ୍ଚ କରିବାକୁ ଯାଇଥାନ୍ତି । କାହିଁକି ନା ଏଠାରେ ରହୁଥିବା ଅନେକ ସାପଙ୍କ ବିଷୟରେ କେହି ଜାଣିନାହାନ୍ତି । ସାପରୁ ବିଷରୁ ଅନେକ ମେଡିସିନ ତିଆରି ହୋଇଥାଏ । ଯେମିତି କ୍ୟାନସର ପରି ମାରାତ୍ମକ ରୋଗର ଚିକିତ୍ସାରେ ସହାୟକ ହୋଇଥାଏ । ଅନ୍ତର୍ଜାତୀୟ ମାର୍କେଟରେ ସାପ ବିଷର ମୂଲ୍ୟ ଢେର ଅଧିକ । ଯେଉଁଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ଡିଲ୍ ହୋଇଥାଏ ।