ନୂଆଦିଲ୍ଲୀ: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିଛି କଂଗ୍ରେସ। ଘଟଣାର ୧୮୦୦ ଘଣ୍ଟାର ନିରବତା ପରେ ଶେଷରେ ମାତ୍ର ୩୦ ସେକେଣ୍ଡ ପାଇଁ ପ୍ରଧାନମନ୍ତ୍ରୀ ମୁହଁ ଖୋଲିଲେ ବୋଲି କଂଗ୍ରେସ କହିଛି। ଘଟଣାରେ ପ୍ରଧାନମନ୍ତ୍ରୀଙ୍କର ଅବୁଝା ନିରବତା ପରେ ୩୦ ସେକେଣ୍ଡ ମୁହଁ ଖୋଲିବା କଂଗ୍ରେସ ଦୁର୍ଭାଗ୍ୟପୂର୍ଣ୍ଣ କହିଛି।
କଂଗ୍ରେସ ନେତା ଜୟରାମ ରମେଶ କହିଛି “ ୧୮୦୦ ଘଣ୍ଟାରୁ ଅଧିକ ସମୟ ଧରି ନିରବ ରହିବା ପରେ ଶେଷରେ ପ୍ରଧାନମନ୍ତ୍ରୀ ମଣିପୁର ହିଂସାକୁ ନେଇ ମୋଟ ୩୦ ସେକେଣ୍ଡ ପର୍ଯ୍ୟନ୍ତ କହିଲେ। ଏହାପରେ ସେ ମଣିପୁରରେ ମହିଳାଙ୍କ ପ୍ରତି ହୋଇଥିବା ହିଂସାରେ ସରକାରୀ ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ପ୍ରଧାମନ୍ତ୍ରୀ ଲୋକଙ୍କ ଧ୍ୟାନ ହଟାଇବାକୁ ଅନ୍ୟ ରାଜ୍ୟ କଥା କହିଲେ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଅଭିଯୋଗ କରିଛନ୍ତି।
ଜୟରାମ ରମେଶ ଟ୍ୱିଟ୍ କରି ଲେଖିଛନ୍ତି “ ଖୁବ୍ ବିଳମ୍ବର ଖୁବ୍ କମ କହିଲେ। ଏବେ କଥାରେ କିଛି ହେବନି। କାର୍ଯ୍ୟାନୁଷ୍ଠାନ ମଜଭୁତ ହେବ ଦରକାର। ମଣିପୁର ହିଂସା ପାଇଁ ଉତ୍ତରଦାୟିତ୍ୱରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଖସି ଯାଇପାରିବେ ନାହିଁ।”
{"width":838,"height":471}ପଢ଼ନ୍ତୁ-ମଣିପୁରର ଝିଅ ବୋହୂଙ୍କ ସହ ଯାହା ଘଟିଲା ତାହା କ୍ଷମଣୀୟ ନୁହେଁ, ବର୍ତ୍ତିବେନି ଦୋଷୀ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ନେଇ ରମେଶ ସମାଲୋଚନା କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମଣିପୁରରେ ଶାନ୍ତି ପାଇଁ ନିବେଦନ କଲେ ନାହିଁ। ଓଲଟି ରାଜସ୍ଥାନ ଓ ଛତିଶଗଡ଼ କଥା ରାଜନୀତି ନିହାତି କଲେ ବୋଲି ଜୟରାମ ରମେଶ କହିଛନ୍ତି। ଆଜି ମଣିପୁର ହିଂସାକୁ ନେଇ ମନ୍ତବ୍ୟ ରଖୁଥିବା ବେଳେ ପ୍ରଧାନମନ୍ତ୍ରୀ ରାଜସ୍ଥାନ ଓ ଛତିଶଗଡ଼ କଥା କହିଥିଲେ। ଅନ୍ୟ ସବୁ ରାଜ୍ୟ ସରକାରଙ୍କୁ ନିଜ ରାଜ୍ୟରେ ମହିଳା ସୁରକ୍ଷା ଦେବା କଥା କହିଥିଲେ ପ୍ରଧାନମନ୍ତ୍ରୀ।
ମଣିପୁରରେ ହେଉଥିବା ବର୍ବରତାକୁ ପ୍ରଧାନମନ୍ତ୍ରୀ ଅନ୍ୟ ରାଜ୍ୟର ଆଇନ ଶୃଙ୍ଖଳା ସହ ଯୋଡ଼ିବାକୁ ଚେଷ୍ଟା କରିଥିଲେ। ହେଲେ ମଣିପୁରରେ ଆଇନଶୃଙ୍ଖଳା ପୂରା ବିଗିଡ଼ି ଯାଇଛି ବୋଲି ଜୟରାମ ରମେଶ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏଭଳି ଅପରାଧ କରିଥିବା ଦୋଷୀଙ୍କୁ କଂଗ୍ରେସ ଶାସିତ ରାଜ୍ୟରେ ୨୪ ଘଣ୍ଟାରେ ଗିରଫ କରାଯାଉଛି। ହେଲେ ମଣିପୁରିରେ ଏଫ୍ଆଇଆର୍ ରୁଜୁ ହେବାକୁ ୧୫ ଦିନ ଲାଗିଗଲା, ଆଉ ଆଦି ୬୪ ଦିନ ପରେ ଦୋଷୀ ଗିରଫ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି। ମୁଖ୍ୟମନ୍ତ୍ରୀ ବୀରେନ ସିଂହକୁ ତୁରନ୍ତ ଇସ୍ତଫା ଦେବା ଦରକାର ବୋଲି ଜୟରାମ ରମେଶ କହିଛନ୍ତି।
ଏଥିସହିତ ସଂସଦରେ ଘଟଣାକୁ ନେଇ ଆଲୋଚନା କରିବାକୁ ବିରୋଧୀ ଆହ୍ୱାନ ଦେଇଛି। ତେବେ ବିରୋଧୀ ଘେରିବା ପରେ ଜବାବ ଦେଇଛି ବିଜେପି। ବିଜେପିର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ମଣିପୁର ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଏହା ଆମ ପାଇଁ ଏକ ଗମ୍ଭୀର ବିଷୟ। କଂଗ୍ରେସ ଦଳ ଏହି କଥା ବୁଝିପାରୁନି ଯେ କେଉଁ ନିୟମ ଅନୁଯାୟୀ ଏହା ଉପରେ ଆଲୋଚନା କରାଯିବା ଉଚିତ୍। ଯେତେବେଳେ ପ୍ରଧାନମନ୍ତ୍ରୀ ସକାଳେ ଏହି ଘଟଣା ସମ୍ପର୍କରେ ଏକ ବୟାନ ଦେଇଥିଲେ, ସେତେବେଳେ ଦେଶରେ ଏକଜୁଟ ହେବା ଉଚିତ୍। ସେମାନେ ବର୍ତ୍ତମାନ କଣ ଚାହୁଁଛନ୍ତି? ଆମେ ଚାହୁଁ ଯେ କଂଗ୍ରେସ ଗୃହକୁ କାର୍ଯ୍ୟ ଚାଲିବାକୁ ଦେଉ। ହେଲେ କଂଗ୍ରେସ ବିତର୍କ କରିବାକୁ ଚାହୁଁ ନାହିଁ ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି।