ସ୍ପୋର୍ଟସ ଲଗ୍‌ଅନ୍ ପୁରସ୍କାର ୨୦୨୪ ବିଜେତାଙ୍କ ନାଁ ଘୋଷିତ, କିଶୋର ଜେନା ଶ୍ରେଷ୍ଠ କ୍ରୀଡାବିତ୍

Published By : Prameya-News7 Bureau | October 08, 2024 IST

ଭୁବନେଶ୍ୱର: ୨୦୨୪ ବର୍ଷ ପାଇଁ ସ୍ପୋର୍ଟସ ଲଗଅନ୍ ପୁରସ୍କାର ଜିତିଥିବା ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଛି । ପ୍ରତିବର୍ଷ ୫ଟି ବର୍ଗରେ ସ୍ପୋର୍ଟସ ଲଗ୍‌ଅନ୍ ପୁରସ୍କାର ପ୍ରଦାନ କରାଯାଉଛି । ଏହି ପୁରସ୍କାର ମଧ୍ୟରୁ ଗୋଟିଏ ହେଉଛି କୁମୁଦିନୀ ମିଶ୍ର କ୍ରୀଡା ପ୍ରତିଭା ପୁରସ୍କାର । ଏହି ପୁରସ୍କାର ପାଇଁ ଓଡ଼ିଶା ସନ୍ତରଣର ଭବିଷ୍ୟତ ସୁଇମର୍ ମନତା ମିଶ୍ରଙ୍କ ନାଁ ଘୋଷଣା କରାଯାଇଛି । ଏହି ପୁରସ୍କାର ବାବଦକୁ  ୧୫ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ ।

ସେହିପରି ସ୍ପୋର୍ଟସ ଲଗ୍‌ଅନ୍‌ ଉଦୀୟମାନ କ୍ରୀଡାବିତ୍ ଭାବେ ପୁରସ୍କାର ପାଇବେ ପାରାଆଥଲେଟ୍ ସୁଚିତ୍ରା ପରିଡ଼ା । ସୁଚିତ୍ରା ୱିଲ୍ ଚେୟାରରେ ବସି ଓଡ଼ିଶା ପାଇଁ ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ପ୍ରତିଯୋଗତାରେ ପଦକ ଜିଣିଛନ୍ତି । ୨୦୨୩ ଓ ୨୪ ବର୍ଷର ସ୍ପୋର୍ଟସ ଲଗ୍‌ଅନ୍‌ ଶ୍ରେଷ୍ଠ କ୍ରୀଡାବିତ୍ ପୁରସ୍କାର ପାଇବେ ଅଲିମ୍ପିଆନ ଏବଂ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା କିଶୋର ଜେନା । 

ସ୍ପୋର୍ଟସ ଲଗ୍‌ଅନ୍‌ କୋଚ୍ ପୁରସ୍କାର ପାଇଁ ଶୁଭେନ୍ଦୁ ପଣ୍ଡାଙ୍କ ନାଁ ଘୋଷଣା କରାଯାଇଛି । ଓଡ଼ିଶା ଫୁଟବଲ୍‌ର ଚିତ୍ର ବଦଳାଇ ଥିବା ଏବଂ ଭାରତୀୟ ଜୁନିଅର ଫୁଟବଲ୍ ଦଳର କୋଚ୍ ଭାବେ ଶୁଭେନ୍ଦୁ ସଫଳତା ଆଣିଛନ୍ତି । ସେହିପରି ସ୍ପୋର୍ଟସ ଲଗ୍‌ଅନ୍ ପ୍ଲେୟାର ଅଫ ଦ ବାଏଗନ୍ ଏରା ପୁରସ୍କାର ପାଇବେ ଓଡିଶାର ପୂର୍ବତନ ଭଲିବଲ୍ ଖେଳାଳି ଦୁଃଖୀଶ୍ୟାମ ମଲ୍ଲିକ । ସ୍ପୋର୍ଟସ ଲଗ୍‌ଅନ୍ ପୁରସ୍କାର ଜୁରୀ କମିଟିରେ କ୍ରୀଡା ସାମ୍ୱାଦିକ ତନ୍ମୟ ଦାସ,  ଅର୍ଗସ ଟିଭିର ଏକ୍ସିକ୍ୟୁଟିଭ୍ ଏଡିଟର ଦୁର୍ଗାଶିଶ, ପୂର୍ବତନ ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମୀକ୍ଷା ପଟ୍ଟନାୟକ ଏବଂ ଆନ୍ତର୍ଜାତିକ କ୍ରୀଡାବିତ୍ ଅମିୟ ମଲ୍ଲିକ, ଅଲିମ୍ପିଆନ ଲାଜରୁସ ବାର୍ଲା ଏବଂ ଦେବାଶିଷ ଗୌଡଙ୍କ ଉପସ୍ଥିତିରେ ଏହି ପୁରସ୍କାର ବିଜେତାଙ୍କ ନାମ ଚୟନ ହୋଇଥିଲା ।

୨୦୧୦ ମସିହାରୁ ସ୍ପୋର୍ଟସ ଲଗ୍‌ଅନ୍ ପୁରସ୍କାର ପ୍ରଦାନ କରାଯାଇ ଆସୁଥିଲା । ତେବେ କରୋନା ପରେ ୪ ବର୍ଷ ପୁରସ୍କାର ପ୍ରଦାନ ବନ୍ଦ ରହିଥିଲା। । ଦୀର୍ଘ ୪ ବର୍ଷ ବ୍ୟବଧାନ ପରେ ପୁଣି ଥରେ ଏହି ବର୍ଷ ସ୍ପୋର୍ଟସ ଲଗ୍‌ଅନ୍‌ ପୁରସ୍କାର ପ୍ରଦାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.