ମୁମ୍ବାଇ ୧୦।୨: ସେୟାର ବଜାରରେ ସୋମବାର ଲଗାତାର ଚତୁର୍ଥ ଦିନ ହ୍ରାସ ଜାରି ରହିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୫୪୮ ପଏଣ୍ଟ ତଳକୁ ଖସିଛି। ଆମେରିକାର ଟାରିଫ ଚେତାବନୀ ଯୋଗୁ ବଜାର ଉପରେ ନିବେଶକଙ୍କ ଭରସା ହ୍ରାସ ହୋଇଛି। ଫଳରେ ବ୍ୟାଙ୍କ, ଧାତୁ ଓ ପେଟ୍ରୋଲିୟମ ସେୟାର କେବଳ ବିକ୍ରି ଦେଖାଯାଇଛି। ୩୦ ସେୟାର ଆଧାରିତ ବିଏସଇ ସେନସେକ୍ସ ୫୪୮.୩୯ ପଏଣ୍ଟ ହ୍ରାସ ହୋଇଥିବା ବେଳେ ସପ୍ତାହର ସର୍ବନିମ୍ନ ସ୍ତର ୭୭,୩୧୧.୮୦ ପଏଣ୍ଟରେ ବନ୍ଦ ହୋଇଛି।
ଦିନରେ ବ୍ୟବସାୟ କାଳରେ ଏପରି ଏକ ସମୟ ଆସିଥିଲା ଯେତେବେଳେ ସେନସେକ୍ସ ୭୫୩.୩ ପଏଣ୍ଟ ତଳକୁ ଚାଲି ଆସିଥିଲା। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୧୭୮.୩୫ ପଏଣ୍ଟ ଅର୍ଥାତ ୦.୭୬ ପଏଣ୍ଟ ହ୍ରାସ ସହ ୨୩,୩୮୧.୬୦ରେ ବନ୍ଦ ହୋଇଛି। ଜିୟୋଜିତ ଫାଇନାନସିଆଲ ସର୍ଭିସେସର ବିନୋଦ ନାୟର କହିଛନ୍ତି ଯେ ଟାରିଫ ଲଗାଇବା ପାଇଁ ଆମେରିକାର ଚେତାବନୀ ଯୋଗୁ ବଜାର ଧାରଣା ଉପରେ ପ୍ରଭାବ ପଡିଛି। ନିବେଶକ ସତର୍କତା ଅବଲମ୍ବନ କରି ସୁନା ଭଳି ସୁରକ୍ଷିତ ମନେ କରାଯାଉଥିବା ଉତ୍ପାଦ ଉପରେ ଏବେ ନିବେଶ କରୁଛନ୍ତି।
୩୦ ସେୟାରର ସେନସେକ୍ସରୁ ପାୱାର ଗ୍ରୀଡ, ଟାଟା ଷ୍ଟିଲ, ଜୋମାଟୋ, ଟାଇଟନ, ବଜାଜ ଫାଇନାନସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏନଟିପିସି ଓ ଟାଟା ମୋଟର୍ସ ଭଳି ପ୍ରମୁଖ ସେୟାର କ୍ଷତିରେ ରହିଛନ୍ତି। ସେପଟେ କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଭାରତୀ ଏୟାରଟେଲ, ଏଚସିଏଲ ଟେକ୍, ଟେକ୍ ମହିନ୍ଦ୍ରା, ଆଇସିଆଇସିଆଇ ବ୍ୟାଙ୍କ ଓ ଟାଟା କନସଲଟାନ୍ସୀ ସର୍ଭିସେସର ସେୟାର ଲାଭରେ କାରବାର କରିଛନ୍ତି। ଫେବୃଆରୀ ୫ ତାରିଖରୁ ଏପର୍ଯ୍ୟନ୍ତ ୪ଟି ବ୍ୟବସାୟୀକ ଦିବସରେ ସେନସେକ୍ସ ୧,୨୭୨ପଏଣ୍ଟ ଓ ନିଫ୍ଟି ୩୫୭ ପଏଣ୍ଟ ତଳକୁ ଖସିଛି।
ଅନ୍ୟ ଏସିୟ ବଜାର ମଧ୍ୟରୁ କେବଳ ଦକ୍ଷିଣ କୋରିଆର କସ୍ପି କ୍ଷତିରେ ଥିବା ବେଳେ ଜାପାନର ନିକ୍କି, ଚୀନର ସଂଘାଇ କମ୍ପୋଜିଟ୍ ଓ ହଂକଂର ହେଙ୍ଗସେଙ୍ଗ ଲାଭରେ କାରବାର କରୁଛନ୍ତି। ସେହିପରି ୟୁରୋପର ମୁଖ୍ୟବଜାରମାନଙ୍କରେ ମଧ୍ୟାହ୍ନ ପରେ କାରବାରରେ ବୃଦ୍ଧି ହୋଇଛି। ତେବେ ଆମେରିକୀୟ ସେୟାର ବଜାର ଶୁକ୍ରବାର ବନ୍ଦ ଥିଲା। ସେୟାରବଜାର ତଥ୍ୟ ଅନୁସାରେ ବିଦେଶୀ ପୋର୍ଟଫୋଲିୟୋ ନିବେଶକ (ପିଏଫଆଇ) ଶୁକ୍ରବାର ୪୭୦.୩୯କୋଟି ଟଙ୍କା ମୂଲ୍ୟର ସେୟାର ବିକ୍ରି କରିଦେଇଛନ୍ତି।