ନୂଆଦିଲ୍ଲୀ ୦୧।୦୪: ଇ-ଚାଲଣ ନ ଭରିବା ପଡିବ ମହଙ୍ଗା । ବାଜିବାକୁ ତୟାର କେନ୍ଦ୍ର ସରକାରଙ୍କ ଛାଟ । ୩ ମାସ ମଧ୍ୟରେ ଟ୍ରାଫିକ୍ ଇ-ଚାଲାଣ ଭରିବାକୁ ପଡିବ । ନହେଲେ ସ୍ଥଗିତ ରଖାଯିବ ଡ୍ରାଇଭିଂ ଲାଇସେନ୍ସ । ପହିଲାରୁ ଲାଗୁ ହେଉଛି ନିୟମ । ୧୦୦ ଜଣଙ୍କରୁ ପ୍ରାୟ ୯୦ ଜଣ କେବେ ନା କେବେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବେ । ଆଉ ଦଣ୍ଡସ୍ବରୂପ କଟାଯାଉଛି ଇ-ଚାଲାଣ । କିନ୍ତୁ ଅନେକ ନିୟମ ଉଲ୍ଲଂଘନକାରୀ ଭରୁନାହାନ୍ତି ଜରିମାନା ରାଶି । କେବଳ ୪୦ ପ୍ରତିଶତ ଦେୟ ଆଦାୟ ହେଉଥିବା ଜଣାପଡ଼ିଛି ।
ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଟ୍ରାଫିକ୍ ନିୟମ ପାଳନକୁ କଡ଼ାକଡ଼ି କରିବାକୁ ଯାଉଛନ୍ତି । ଲାଲ୍ବତିକୁ ଅତିକ୍ରମ କରିଯିବା କିମ୍ବା ବିପଜ୍ଜନକ ଡ୍ରାଇଭିଂ ପାଇଁ ଗୋଟିଏ ଆର୍ଥତ୍କ ବର୍ଷରେ ୩ ଥର ଚାଲାଣ କଟାଯାଇଥିଲେ, ଲାଇସେନ୍ସକୁ ଅନୂ୍ୟନ ୩ ମାସ ପାଇଁ ଜବତ କରାଯିବ। ଯଦି ଜଣେ ଡ୍ରାଇଭର ପୂର୍ବ ଆର୍ଥତ୍ ବର୍ଷରୁ ଅନୂୟନ ୨ଟି ଚାଲାଣ ପୈଠ ନ କରି ଅଟକାଇ ରଖିଥିବେ, ତେବେ ତାଙ୍କ ଉପରେ ଅଧିକ ବୀମା ପ୍ରିମିୟମ୍ ଲଗାଯିବ। ଏନେଇ କେନ୍ଦ୍ର ସରକାର ନିୟମ ଲାଗୁ କରିଛନ୍ତି ।
ଚାଲାଣ କଟିବାର ୩ ଦିନ ମଧ୍ୟରେ ଚାଳକ ତଥା ଗାଡ଼ି ମାଲିକଙ୍କୁ ଇ-ଚାଲାଣ ନୋଟିସ୍ ଯିବ । ନୋଟିସ୍ ମିଳିବାର ୩୦ ଦିନ ମଧ୍ୟରେ ଚାଲାଣ ଭରିବାକୁ ହେବ କିମ୍ବା ଏହା ବିରୋଧରେ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିବେ ଚାଳକ । ଯଦି ୩୦ ଦିନ ମଧ୍ୟରେ ଚାଳକଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳେନାହିଁ, ତେବେ ଜଣାଯିବ ଯେ ଭୁଲ ଚାଳକଙ୍କର ।
୯୦ ଦିନ ମଧ୍ୟରେ ଚାଲାଣ ନ ଭରିଲେ ଡ୍ରାଇଭିଂ ଲାଇସେନ୍ସ ଏବଂ ଗାଡ଼ିର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ରଦ୍ଦ କରାଯିବ । ରିପୋର୍ଟ ଅନୁସାରେ, ଦେଶରେ ଜାରି ହୋଇଥିବା ମୋଟ ଇ-ଚାଲାଣ ମଧ୍ୟରୁ କେବଳ ୪୦% ଚାଲାଣ ରାଶି ଆଦାୟ ହୋଇପାରିଛି । ତେଣୁ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥିର କରିଛନ୍ତି କେନ୍ଦ୍ର ସରକାର ।
ଇ-ଚାଲାଣ ମାଧ୍ୟମରେ ଜାରି ମୋଟ ଜରିମାନା ରାଶି ମଧ୍ୟରୁ ଦିଲ୍ଲୀରେ ସବୁଠାରୁ କମ୍ ୧୪% ଆଦାୟ ହୋଇଛି । ଏହା ପରେ କର୍ଣ୍ଣାଟକରେ ୨୧%, ତାମିଲ୍ନାଡୁ ଏବଂ ଉତ୍ତର ପ୍ରଦେଶରେ ୨୭% ଲେଖାଏଁ ଚାଲାଣ ରାଶି ଆଦାୟ ହୋଇଛି । ଓଡ଼ିଶାରେ ଏହା ରହିଛି ମାତ୍ର ୨୯% । ରାଜସ୍ଥାନ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ହରିୟାଣାରେ ସବୁଠାରୁ ଅଧିକ ୬୨%ରୁ ୭୬% ଇ-ଚାଲାଣ ରାଶି ଆଦାୟ ହୋଇଥିବା ଜଣାପଡ଼ିଛି । ଅନେକ ସମୟରେ ଲୋକେ ନିଜ ଠିକଣା ଏବଂ ମୋବାଇଲ ନମ୍ବର ବଦଳାଇ ଦିଅନ୍ତି ଏବଂ ଟ୍ରାଫିକ୍ ଚାଲାଣ ମେସେଜ୍ ସେମାନଙ୍କ ପାଖରେ ପହଞ୍ଚେ ନାହିଁ ।
ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ୩ ମାସର ସମୟ ଦେବାକୁ ଯାଉଛନ୍ତି । ଫଳରେ ପ୍ରତ୍ୟେକ ଗାଡ଼ି ମାଲିକ ନିଜର ସଠିକ ଠିକଣା ଏବଂ ମୋବାଇଲ ନମ୍ବର ବାହନ ଓ ସାଥୀ ପୋର୍ଟାଲରେ ଅପ୍ଡେଟ୍ କରିପାରିବେ । ଏହାପରେ ବିନା ମୋବାଇଲ ନମ୍ବର ଅପ୍ଡେଟ୍ରେ ପ୍ରଦୂଷଣ ପ୍ରମାଣପତ୍ର ମିଳିବ ନାହିଁ । ଗାଡ଼ିର ବୀମା ରିନ୍ୟୁ ହେବ ନାହିଁ । ଡ୍ରାଇଭିଂ ଲାଇସେନ୍ସ ଏବଂ ଗାଡ଼ିର ପଞ୍ଜୀକରଣ ବି ହେବନି । ସରକାରଙ୍କ ଯୋଜନା ରହିଛି ଯେ, ପୂର୍ବବର୍ଷ ଅନ୍ୟୁନ ଦୁଇଟି ଚାଲାଣ ବକେୟା ଥିଲେ ଉକ୍ତ ଗାଡ଼ିର ବୀମା ପ୍ରିମିୟମ ମହଙ୍ଗା ହେବ । ଅର୍ଥାତ୍ ନିର୍ଦ୍ଧାରିତ ସମୟରେ ଚାଲାଣ ନ ଭରିଲେ ଆଗକୁ ଗାଡ଼ିର ବୀମା କରିବା ବେଳେ ଅଧିକ ଟଙ୍କା ଗଣିବାକୁ ପଡ଼ିପାରେ ।