କାଲିଫର୍ଣ୍ଣିଆରେ ଭୂ-କମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୭, ଦେଖନ୍ତୁ Video

Published By : Prameya-News7 Bureau | December 06, 2024 IST

ଫର୍ଣ୍ଣଡେଲ ୬।୧୨: ଆମେରିକା କାଲିଫର୍ଣ୍ଣିଆରେ ଗତ ରାତିରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଛି। ଫର୍ଣ୍ଣଡେଲ ସହରରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭ ଥିବା ଜଣାପଡିଛି। ଏହି ଭୂମିକମ୍ପ ଯୋଗୁ ବଡ଼ବଡ଼ ଭବନର ନିଅଁ ବି ଦୋହଲି ଯାଇଛି। ଲୋକେ ଏତେମାତ୍ରାରେ ଆତଙ୍କିତ ହୋଇପଡିଛନ୍ତି ଯେ ଗତ ରାତିରୁ ଏ ପର୍ଯ୍ୟନ୍ତ ଘରକୁ ଫେରୁନଥିବା ବେଳେ ଭୂମିକମ୍ପ ସମୟର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି। 


ଘରଗୁଡିକ ନିଅଁରୁ ଦୋହଲିଯାଇଥିବାରୁ ଲୋକେ ଏବେ ଘର ଭୂଷୁଡିବା ଆଶଙ୍କା କରୁଛନ୍ତି। ଭୂମିକମ୍ପରେ ଲୋକଙ୍କ ଝରକା କବାଟ ଜୋରରେ ହଲିବାରେ ଲାଗିଥିଲା। ଜିନିଷ ଉପରୁ ତଳକୁ ଖସିପଡିଥିଲା। ଦୋକାନ ଓ ମଲମାନଙ୍କରେ ସାମଗ୍ରୀ ଏଣେତେଣେ ବିଛେଇ ହୋଇ ପଡିଥିବା ଦେଖାଯାଇଛି। ଲୋକେ ଭୂମିକମ୍ପ କାଳର ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର କରୁଥିବା ବେଳେ ଘଟଣା ବେଳର ଦୃଶ୍ୟ ଦେଖିଲେ ଯେ କେହିବି ଆତଙ୍କିତ ହେବ। 



ମିଡିଆ ରିପୋର୍ଟ ଅନୁସାରେ ଏହି ଭୂମିକମ୍ପର ଝଟକା ଉତ୍ତର କାଲିଫର୍ଣ୍ଣିଆର ହମ୍ବଲ୍ଟ କାଉଣ୍ଟିରେ ମଧ୍ୟ ଅନୁଭୂତ ହୋଇଛି। ଏଠାରେ ଥରକ ପରେ ଆଉଥରେ ଏପରି ଅନେକ ବାର ଭୂମିକମ୍ପର ଝଟକା ଲାଗିଛି। କାଲିଫର୍ଣ୍ଣିଆର ୨୫ରୁ ଅଧିକ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ୟୁନାଇଟେଡ ଷ୍ଟେଟସ୍ ଜିୟୋଲଜିକାଲ ସର୍ଭେ ୱେବସାଇଟରୁ ମିଳୁଥିବା ସୂଚନା ଅନୁସାରେ ୟୁରେକା ଉପକୂଳ ସମୁଦ୍ରରେ ଉଚ୍ଚା ଉଚ୍ଚା ଲହର ଦେଖାଯାଇଛି। ଏଣୁ ୟୁରେକା ସହରର ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ଗ୍ରହଣ କରିବାକୁ କୁହାଯାଇଛି। କାରଣ ଭୂମିକମ୍ପ ପୁଣି ଅନୁଭୁତ ହୋଇ ପାରେ ବୋଲି ଆଶଙ୍କା କରାଯାଉଛି। 





News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.