କଟକ ମାଲଗୋଦାମରେ ଯୋଗାଣ ମନ୍ତ୍ରୀ, ଗୋଦାମର ସ୍ଥିତି ଯାଞ୍ଚ ସହ କଳାବଜାରୀ ନକରିବାକୁ ବ୍ୟବସାୟୀଙ୍କୁ କଲେ ତାଗିଦ

Published By : Prameya-News7 Bureau | October 24, 2024 IST

କଟକ: ବାତ୍ୟାକୁ ନେଇ ସାଧାରଣ ଲୋକଙ୍କ ମନରେ ଭୟ ରହିଛି। ଫଳରେ ବାତ୍ୟା କଥା ଶୁଣିଲେ ଅନେକ ଲୋକ ଭୟ‌ରେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଥିବାର ଦେଖିବାକୁ ମଧ୍ୟ ମିଳିଥାଏ। ଆଉ ଏମିତି ସମୟ‌ର ଫାଇଦା ନେଇ ବ୍ୟବସାୟୀମାନେ ମଧ୍ୟ ସାମଗ୍ରୀର ମୂଲ୍ୟ ବଢ଼ାଇଦେଇଥାନ୍ତି। ହେଲେ ଏଭଳି ସ୍ଥିତିକୁ କିପରି ରୋକାଯାଇପାରିବ ସେନେଇ କଟକ ମାଲଗୋଦାମ ପହଞ୍ଚି ସ୍ଥିତି ପରଖିଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହା ସହ ବ୍ୟବସାୟୀଙ୍କୁ କଳାବଜାରୀ ନକରିବାକୁ ତାଗିଦ ମଧ୍ୟ କରିଛନ୍ତି। ସେପଟେ ଆବଶ୍ୟକ ମୁତାବକ ଖାଦ୍ୟ ଶସ୍ୟ କଟକ ମାଲଗୋଦାମରେ ମହଜୁଦ ହୋଇ ରହିଛି ଏବଂ ସରକାର ଚାହିଁଲେ ମାଲଗୋଦାମ ବ୍ୟବସାୟୀମାନେ ସବୁ ପ୍ରକାରର ସହଯୋଗ କରିବେ ବୋଲି କହିଛି ବ୍ୟବସାୟୀ ସଂଘ। 


ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ମାଲଗୋଦାମରେ ପହଞ୍ଚି ଗୋଦାମ ଗୃହର ସ୍ଥିତି ଯାଞ୍ଚ କରିବା ସହ ବ୍ୟବସାୟୀଙ୍କୁ କଳାବଜାରୀ ନକରିବାକୁ ତାଗିତ କରିଛନ୍ତି। ଖାଲି ସେତିକି ନୁହେଁ ମନ୍ତ୍ରୀଙ୍କ ଗସ୍ତ ପରେ, ଖାଉଟି ଦ୍ରବ୍ୟର ନିର୍ଦ୍ଧାରିତ ମୂଲ୍ୟ ଉଲ୍ଲେଖ ହୋଇ ନଥିବା ଅଭିଯୋଗରେ ୫ ଗୋଦାମ ମାଲିକଙ୍କୁ ନୋଟିସ କରାଯାଇଛି। 

ତେବେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି ଏବଂ ସମସ୍ତ ପ୍ରକାରର ଅପାତକାଳୀନ ସ୍ଥିତିକୁ ସାମ୍ନା କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ଅତ୍ୟାବଶ୍ୟକ ସାମଗ୍ରୀର ସ୍ଥିତି ଯାଞ୍ଚ କରିବା ଉଦ୍ଦେଶ୍ୟରେ ମାଲଗୋଦାମ ଆସିଥିଲେ ବୋଲି କହିଛନ୍ତି ମନ୍ତ୍ରୀ। କୌଣସି ପରିସ୍ଥିତିରେ କଳାବଜାରୀକୁ ପ୍ରଶ୍ରୟ ଦିଆଯିବ ନାହିଁ, ଏପରି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।


  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.