ଦଣ୍ଡ ନାଚରେ କଡ଼ା କଡ଼ି ହେବ ସୁପ୍ରିମକୋର୍ଟ ଗାଇଡଲାଇନ୍, ଅବମାନନା କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | April 01, 2025 IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପାରମ୍ପରିକ ପ୍ରସିଦ୍ଧ ଦଣ୍ଡ ଯାତ୍ରା ପାଇଁ ଉତ୍ସବ ମୁଖର ହୋଇଉଠିଛି ଗାଁ ଠୁ ସହର। ନାଚ ଗୀତ ପୂଜା ପାଠରେ ପ୍ରକମ୍ପିତ ହେଉଛି ପରିବେଶ। ହେଲେ ଏହାରି ଭିତରେ କେତେବେଳେ କେଉଁଠି ଅଶ୍ଳୀଳତାର ଛାପ ଦେଖିବାକୁ ମିଳିଛି ତ ଆଉ କେତେବେଳେ କେଉଁଠି ରକ୍ତର ଛିଟା। ଏଥିପାଇଁ ନେଇ ଦଣ୍ଡ ନାଚରେ ଲଗାମ ଲଗାଇବାକୁ ପୋଲିସ ଉଦ୍ୟମ ଆରମ୍ଭ କରିଛି। 

ଦଣ୍ଡ ନାଚ କମିଟିକୁ ଏଥିପାଇଁ ପୋଲିସ ପରାମର୍ଶ ନେଇଛି। ଯେଉଁଥିରେ କୁହାଯାଇଛି ଦଣ୍ଡ ନାଚ ସମୟରେ ସୁପ୍ରିମକୋର୍ଟ ଗାଇଡଲାଇନକୁ ଅନୁକରଣ କରାଯାଉ। ନହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ପରମ୍ପରା ନାଁରେ ଅପ ସଂସ୍କୃତିକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଚରମ ବାଣୀ ଶୁଣାଇଛି ବ୍ରହ୍ମପୁର ପୋଲିସ।

ଏନେଇ ବ୍ରହ୍ମପୁର ଏସପି କହିଛନ୍ତି, ଦଣ୍ଡ ନାଚ ସମୟରେ ଯେଉଁଭଳି ଭାବେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ଏହାକୁ ନେଇ ପୋଲିସ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏଥିପାଇଁ ସୁପ୍ରିମକୋର୍ଟ ଗାଇଡଲାଇନକୁ ଅନୁକରଣ କରି ନାଚ କରିବାକୁ ଦଣ୍ଡ ନାଚ କମିଟିକୁ ପରାମର୍ଶ ଦେଇଛି ପୋଲିସ। ଏହାର ବ୍ୟତିକ୍ରମ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଦଣ୍ଡନାଚ ପାଇଁ ମାନସିକଧାରୀ ଦଣ୍ଡୁଆମାନେ ବିଭିନ୍ନ ଦଣ୍ଡ ପ୍ରଦର୍ଶନ କରୁଥିବା ବେଳେ ରାତିରେ ଅନିଦ୍ରା ରହିବା ବିଧି ରହିଛି। ଅନିଦ୍ରା ସମୟକୁ ଅତିବାହିତ କରିବା ପାଇଁ ବିଭିନ୍ନ ପୌରାଣିକ କଥାବସ୍ତୁକୁ ନାଚ ମାଧ୍ୟମରେ ପ୍ରଦର୍ଶନ କରିବା ପରମ୍ପରା ରହିଛି। ହେଲେ ଏହି ପରମ୍ପରାର ବ୍ୟତିକ୍ରମ ଘଟିଥିବା ଦେଖିବାକୁ ମିଳିଛି। ସାମାଜିକ ନାଟକ, ରେକର୍ଡ ଡ୍ୟାନ୍ସ, ଆଧୁନିକ ନାଚ ଗୀତ ମଧ୍ୟରେ ଅଶ୍ଲୀଳତା ଛାପ ଦେଖିବାକୁ ମିଳିଥିବା ନଜିର ରହିଛି। ଗତ ୨୭ରେ ଗାନ୍ଧିନଗର ଅଞ୍ଚଳରେ ରାତିରେ ନାଚରେ ଅଶ୍ଳୀଳତା ପ୍ରଦର୍ଶନ କରିବା ବେଳେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବା ଘଟଣା ହେଉ, କି ୩୦ ତାରିଖ ବିଳମ୍ବିତ ରାତିରେ ଜେନା ସାହିରେ ହତ୍ୟାକାଣ୍ଡ ଘଟଣା ହେଉଛି ଏହାର ବଡ଼ ଉଦାହରଣ । ଦଣ୍ଡ ନାଚ ବେଳେ ଯେଭଳି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି ଏହାକୁ ନେଇ ପୋଲିସ କଡା ଆଭିମୁଖ୍ୟ ଗ୍ରହଣ କରିଛି । 

ତେବେ ପୋଲିସର ନିର୍ଦ୍ଦେଶକୁ ଗଞ୍ଜାମ ଜିଲ୍ଲା ଦଣ୍ଡ ନାଚ ମହାସଂଘ ମାନିବାକୁ ନାରାଜ । ସଂଘ କହିଛି ସୁପ୍ରିମ କୋର୍ଟ ଗାଇଡ ଲାଇନକୁ ଅନୁସରଣ କରି ନାଚ କରିହେବ ନାହିଁ । ପୋଲିସର ପରାମର୍ଶ ଅନୁସାରେ କେବଳ ନାଚରେ ଅଶ୍ଳୀଳତା ପ୍ରଦର୍ଶନ କରାଯିବ ନାହିଁ । ସୁପ୍ରିମ କୋର୍ଟ ଗାଇଡ଼ ଲାଇନ ଅନୁସାରେ ରାତି ୧୦ ଟାରୁ ସକାଳ 6 ଟା ପର୍ଯ୍ୟନ୍ତ ନାଚ ଗୀତ ଭଳି କାର୍ଯ୍ୟକ୍ରମ ହୋଇପାରିବ ନାହିଁ ।  ଉଚ୍ଚ କର୍କଶ ଶବ୍ଦରେ ମାଇକ ବାଜିବ ନାହିଁ । ଡ୍ରମ, ଟ୍ରମ ଭଳି ବାଜା ବାଜିପାରିବ ନାହିଁ । ଏଭଳି ସବୁ ନିୟମକୁ ଅନୁସରଣ କରି ନାଚ କରିହେବ ନାହିଁ ବୋଲି ସଙ୍ଘ କହିଛି । ସେପଟେ ନାଚରେ ଅଂଶ ଗ୍ରହଣ କରୁଥିବା କଳାକାରମାନେ ଏବେ ଦ୍ବନ୍ଦ୍ବରେ ଅଛନ୍ତି ।ପୋଲିସ ଅନୁମତି ମିଳିଲେ ନାଚ କରିବୁ, ନଚେତ ନାହିଁ ବୋଲି ସେମାନେ କହିଛନ୍ତି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.