ଲୋକଙ୍କୁ ଭୁଆଁ ବୁଲାଉଥିବାରୁ ପତଞ୍ଜଳି ଆୟୁର୍ବେଦ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ; ଏହି ବିଜ୍ଞାପନ ଉପରେ ଲାଗିଲା ବ୍ୟାନ୍

Published By : Prameya-News7 Bureau | February 27, 2024 IST

ନୂଆଦିଲ୍ଲୀ: ନିଜ ପ୍ରଡକ୍ଟ ବିଷୟରେ ମିଛ ବିଜ୍ଞାପନ ଦେଉଥିବାରୁ ପତଞ୍ଜଳୀ ଆୟୁର୍ବେଦ କମ୍ପାନୀ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ମିଛ ବିଜ୍ଞାପନ ଦେଇ ପୂରା ଦେଶକୁ ଭୁଆଁ ବୁଲାଯାଉଛି ବୋଲି କୋର୍ଟ କହିଛନ୍ତି।

ଏଥିସହିତ ରୋଗ କିମ୍ବା ଅସୁସ୍ଥତା ସହ ଯୋଡ଼ି କମ୍ପାନୀ ନିଜର ପ୍ରଡକ୍ଟର କୌଣସି  ବିଜ୍ଞାପନ କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। କମ୍ପାନୀକୁ ତତ୍‌ ସମ୍ପର୍କିତ ବିଜ୍ଞାପନ କରିବାକୁ ବ୍ୟାନ୍ କରାଯାଇଛି।

ଭ୍ରମାତ୍ମକ ବିଜ୍ଞାପନ ଦେଇ କମ୍ପାନୀ ଲୋକଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରି ଭାରତୀୟ ମେଡିକାଲ ସଂଗଠନ(ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌) ପତଞ୍ଜଳି ଆୟୁର୍ବେଦ ବିରୋଧରେ କୋର୍ଟରେ ଅଭିଯୋଗ କରିଥିଲା। ମଙ୍ଗଳବାର କୋର୍ଟ ରାୟ ଶୁଣାଇ ପତଞ୍ଜଳି ଉପରେ ଅସନ୍ତୋଷ ଝାଡ଼ିଛନ୍ତି।

କେବଳ ସେତିକି ନୁହେଁ, ବିଭିନ୍ନ ମିଡିଆରେ ଭ୍ରମାତ୍ମକ ବିଜ୍ଞାପନ ଦେଇ ପ୍ରଚାର କରୁଥିବାରୁ ପତଞ୍ଜଳି ଆୟୁର୍ବେଦ ଓ ଆଚାର୍ଯ୍ୟ ବାଳକୃଷ୍ଣନଙ୍କ ବିରୋଧରେ କୋର୍ଟ ଅବମାନନା ନୋଟିସ୍ ପଠାଇଛନ୍ତି। ୩ ସପ୍ତାହ ଭିତରେ ଏହାର ଉତ୍ତର ରଖିବାକୁ ସମୟ ଦିଆଯାଇଛି।

ମଙ୍ଗଳବାର ମାମଲାର ଶୁଣାଣି ବେଳେ କମ୍ପାନୀ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ଜଷ୍ଟିସ ହିମା କୋହଲି ଓ ଏ. ଅମନୁଲ୍ଲାହଙ୍କ ଦୁଇ ଜଣିଆ ଖଣ୍ଡପୀଠ। ଗତବର୍ଷ କୋର୍ଟ ମିଛ ବିଜ୍ଞାପନ ନେଇ କମ୍ପାନୀକୁ ତାଗିଦ୍ କରିବା ସତ୍ତ୍ୱେ ବି କମ୍ପାନୀ ବାରମ୍ବାର ମିଛ ବିଜ୍ଞାପନ ଦେବାରୁ ଖଣ୍ଡପୀଠ କଡ଼ା ସମାଲୋଚନା କରିଛନ୍ତି।

ପଢ଼ନ୍ତୁ-ତଟରକ୍ଷୀ ବାହିନୀରେ ମହିଳା ଅଧିକାରୀଙ୍କ ସ୍ଥାୟୀ କମିଶନ ମାମଲା; ସୁପ୍ରିମକୋର୍ଟ କହିଲେ ସରକାର ନକଲେ ଆମେ କରିବୁ  

ସୂଚନା ଅନୁସାରେ, ନଭେମ୍ବର ୨୦୨୩ରେ ସୁପ୍ରିମକୋର୍ଟ ପତଞ୍ଜଳିକୁ ମିଛ ବିଜ୍ଞାପନ ନେଇ ତାଗିଦ୍ କରିଥିଲେ। ଯଦି କମ୍ପାନୀ ନିଜର ପ୍ରଡକ୍ଟ ନିର୍ଦ୍ଦିଷ୍ଟ ରୋଗ ଠିକ୍ କରିଦେବା ନେଇ ମିଛ ବିଜ୍ଞାପନ ଦିଅନ୍ତି ତେବେ କମ୍ପାନୀକୁ ଏକ କୋଟି ଟଙ୍କା ଫାଇନ୍ କରାଯିବ ବୋଲି କୋର୍ଟ ଚେତାବନୀ ଦେଇଥିଲେ। ଏହାସତ୍ତ୍ୱେ ବି ପତଞ୍ଜଳି ବିଜ୍ଞାପନ ଦେଖାଉଥିବାରୁ ମାମଲା ପୁଣିଥରେ କୋର୍ଟରେ ପହଞ୍ଚିଛି।  

ଶୁଣାଣି ବେଳେ କୋର୍ଟ କହିଛନ୍ତି “ ଆମେ ଚେତାବନୀ ଦେବା ସତ୍ତ୍ୱେ ବି ଆପଣ(ପତଞ୍ଜଳି) କହୁଛନ୍ତି ଯେ ଆପଣଙ୍କ ପ୍ରଡକ୍ଟ କେମିକଲଯୁକ୍ତ ଔଷଧ ଠାରୁ ଭଲ।” କଣ ରିସର୍ଚ୍ଚ ପେପର ଅଛି ଦେଖାନ୍ତୁ ବୋଲି କୋର୍ଟ କହିଥିଲେ। ଏହାପରେ କମ୍ପାନୀ ବିରୋଧରେ ଆୟୁଷ ମନ୍ତ୍ରଣାଳୟ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ଖଣ୍ଡପୀଠ ସଲିସିଟର ଜେନେରାଲ୍‌(ଏଏସ୍‌ଜି)ଙ୍କୁ ପ୍ରଶ୍ନ କରିଥିଲେ।
ଏଏସ୍‌ଜି କହିଥିଲେ ଯେ କମ୍ପାନୀ ଦ୍ୱାରା ହୋଇଥିବା ନିୟମ ଉଲ୍ଲଂଘନ ଓ କମ୍ପାନୀ ବିରୋଧରେ ଅଭିଯୋଗ ସଂଗ୍ରହ କରାଯାଇଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ କୋର୍ଟ ସରକାରଙ୍କ ଉପରେ ଅସନ୍ତୋଷ ଦେଖାଇଥିଲେ। ଏଭଳି ଘଟଣାକୁ ସରକାର ସ୍ୱତଃ ପରିଚାଳନା କରିବା ସହ ତୁରନ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଖଣ୍ଡପୀଠ ଏଏସ୍‌ଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.