ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୩୩% ମହିଳା ସଂରକ୍ଷଣ ଆଇନକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଆବେଦନ ଖାରଜ୍ ହୋଇଛି । ଶୁକ୍ରବାର ସର୍ବୋଚ୍ଚ ଅଦାଲତ ଏହା ଉପରେ ଶୁଣାଣି କରିବାକୁ ନା କରିଛନ୍ତି । କୋର୍ଟ ଚ୍ୟାଲେଞ୍ଜ ବିଧେୟକକୁ ନିରର୍ଥକ କହିଛନ୍ତି, ହେଲେ ଅଧିନିୟମକୁ ନେଇ ସାମ୍ବିଧାନିକ ଖଣ୍ଡପୀଠ କୌଣସି ଟିପ୍ପଣୀ ଦେଇନାହାନ୍ତି ।ଏହାଛଡ଼ା ଅଦାଲତ କହିଛନ୍ତି, ଏହା ପୂର୍ବରୁ ସଂସଦ ଏବଂ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମୁଦ୍ଦା ଉଠାଯାଇଥିଲା । ମାତ୍ର ଏହାକୁ ସଠିକ୍ ଢଙ୍ଗରେ ଲାଗୁ କରାଗଲା ନାହିଁ । ହେଲେ ଏଥର ପରିମିଶନ ପ୍ରକ୍ରିୟା ଶେଷ ହେବା ପରେ ସର୍ତ୍ତମୂଳକ ଭାବେ ଏହାକୁ ଲାଗୁ କରାଯାଇଥିଲା ।
ମହିଳା ସଂରକ୍ଷଣ ଅଧିନିୟମ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ-୨୦୨୩ରେ ଲୋକସଭା, ରାଜ୍ୟ ବିଧାନସଭା ଏବଂ ଦିଲ୍ଲୀ ବିଧାନସଭାରେ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ପାଇଁ ଲାଗୁ ହୋଇଛି । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ପାଇଁ ମଧ୍ୟ ସଂରକ୍ଷଣ ସିଟ୍ ଲାଗୁ ହେବ । ଏହାର ଅର୍ଥ ଲୋକସଭାର ୫୪୩ ସିଟରୁ ୧୮୧ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ରହିବ । ହେଲେ ପୁଡୁଚେରୀ କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ସିଟ୍ ରହିବ ନାହିଁ । ସୂଚନା ଅନୁଯାୟୀ, ଜନଗଣନା ପରେ ଏହି ନିୟମ ଏଠାରେ ଲାଗୁ ହେବ । ଦେଶରେ ନୂଆ ଜନଗଣନା ଆଧାରରେ ମହିଳାଙ୍କ ପାଇଁ ସିଟ୍ ସଂରକ୍ଷିତ ରହିବ । ଏଥିରେ ପରିମିଶନ ପ୍ରକ୍ରିୟା ମଧ୍ୟ ଲାଗୁ ହେବ । ଏହାର ଅବଧି ୧୫ ବର୍ଷ ପାଇଁ ରହିବ ।
ବର୍ତ୍ତମାନ ସମୟରେ ଲୋକସଭାରେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ୧୩୧ଟି ଆସନ ସଂରକ୍ଷିତ ରହିଛି । ମହିଳା ସଂରକ୍ଷଣ ଅଧିନିୟମ ଲାଗୁ ହେବା ପରେ ୪୩ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଏହାର ଅର୍ଥ ଲୋକସଭାରେ ମୋଟ୍ ୧୮୧ ଆସନ ମହିଳାଙ୍କ ପାଇଁ ରହିବ ।...