ବନ୍ଦ ହେବନି NEET କାଉଁନସେଲିଂ, ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, NTA ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍

Published By : Prameya-News7 Bureau | June 20, 2024 IST

ନୂଆଦିଲ୍ଲୀ ୨୦।୬: ନିଟ୍ ୟୁଜି-୨୦୨୪ ପରୀକ୍ଷା ରଦ୍ଦ ନେଇ ସୁପ୍ରିମକୋର୍ଟରେ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ଭି.ଏନ.ଭାଟିଙ୍କ ବେଞ୍ଚ ୪ ଆବେଦନ ଟ୍ରାନ୍ସଫର କରାଇବା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ)ଙ୍କ ନିବେଦନ ଉପରେ ମଧ୍ୟ ଶୁଣାଣି କରିଛନ୍ତି। ତେବେ କୋର୍ଟ ନିଟ୍‌ କାଉଁନସେଲିଂ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। 

ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ ନିଟ୍ ୟୁଜି କାଉଁନସେଲିଂ ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ ଦାବି କରିଥିଲେ, ତେବେ ବେଞ୍ଚ ଏହାକୁ ଅସ୍ୱୀକାର କରିଦେଇଛନ୍ତି। ବେଞ୍ଚ କହିଛନ୍ତି ଯେ ଆମେ ଏପରି କରୁ ନାହୁଁ। ଯଦି ପରୀକ୍ଷା ଜାରି ରହିବ ତେବେ କାଉଁନସେଲିଂ ମଧ୍ୟ ଜାରି ରହିବା ଦରକାର, ଚିନ୍ତା କରନ୍ତୁନି। ଏଥିରେ ଆବେଦନକାରୀଙ୍କ ଓକିଲ ମେଘାଳୟ ପରୀକ୍ଷା କେନ୍ଦ୍ରର ଛାତ୍ରଙ୍କୁ ମଧ୍ୟ ୧୫୬୩ ତାଲିକାଭୁକ୍ତ କରିବାକୁ କହିଥିଲେ। 

ଓକିଲ ଏହି ଛାତ୍ରଛାତ୍ରୀ ମଧ୍ୟ ମେଘାଳୟ କେନ୍ଦ୍ରରେ ଉପସ୍ଥିତ ଥିଲେ ଓ ସେମାନେ ମଧ୍ୟ ୪୫ ମିନିଟ ହରାଇଥିଲେ, ଏଣୁ ଏମାନଙ୍କୁ ମଧ୍ୟ ୧୫୬୩ ତାଲିକାରେ ରଖାଯିବା ଦରକାର ବୋଲି କହିଥିଲେ। ଯାହା ଦ୍ୱାରା ସେମାନଙ୍କୁ ରି-ନିଟ୍ ପରୀକ୍ଷା ଦେବାର ସୁଯୋଗ ମିଳିବ। 

ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ମାମଲାରେ କେନ୍ଦ୍ର ସରକାର ଓ ଏନଟିଏକୁ ଜବାବ ଦେବାକୁ ଦିଅ। ଜୁଲାଇ ୮ ତାରିଖ ସୁଧା ମାମଲାରେ ଏନଟିଏ ଓ କେନ୍ଦ୍ର ସରକାର ଜବାବ ଦାଖଲ କରିବେ ବୋଲି କୋର୍ଟ କହିଛନ୍ତି।

ଶୁଣାଣି କାଳରେ ଓକିଲ କହିଥିଲେ ଯେ ଆମେ ହାଇକୋର୍ଟଙ୍କୁ ଷ୍ଟେ ନିବେଦନ କରୁଛୁ। ଏହା ଉପରେ ବେଞ୍ଚ କହିଛନ୍ତି ଯେ ଏବେ ଏହାର କୌଣସି ଆବଶ୍ୟକତା ନାହିଁ। ଆମେ ପୂର୍ବରୁ ନୋଟିସ୍ ଜାରି କରିଦେଇଛୁ। ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ନିଟ୍ ୟୁଜି ମାମଲାରେ ହାଇକୋର୍ଟମାନଙ୍କରେ ଚାଲୁଥିବା ସବୁ ମାମଲା ଉପରେ ରୋକ ଲଗାଇ ଦେଇଛନ୍ତି ଓ ଏଥି ପାଇଁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ଜୁଲାଇ ୮ ତାରିଖରେ ହେବ। 

ଛାତ୍ରମାନେ କଥିତ ପ୍ରଶ୍ନପତ୍ର ଲିକ୍, ଗ୍ରେସ୍ ମାର୍କ ଦିଆଯିବା ଓ ପରୀକ୍ଷା ପ୍ରଶ୍ନରେ ବିସଙ୍ଗତି ସମ୍ପର୍କିତ ପ୍ରସଙ୍ଗ ଉଠାଇଛନ୍ତି। ଏ ନେଇ ନୂଆ ଆବେଦନ ପ୍ରାପ୍ତ ହେଉଥିବାରୁ ସୁପ୍ରିମକୋର୍ଟ ଏନଟିଏଙ୍କୁ ନୋଟିସ୍ ଜାରି କରିଛନ୍ତି ଓ ଦୁଇ ସପ୍ତାହ ମଧ୍ୟରେ ଜବାବ ଦେବାକୁ କହିଛନ୍ତି। ଏହି ସବୁ ଆବେଦନକୁ ଏବେ ଶୁଣାଣି ହେଉଥିବା ଆବେଦନ ସହ ମିଶାଇ ଜୁଲାଇ ୮ ତାରିଖରେ ଶୁଣାଣି ହେବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.