ଲୋକେ କାମ କରିବାକୁ ଚାହୁଁନାହାଁନ୍ତି, କାରଣ ମାଗଣାରେ ମିଳିଯାଉଛି ରାସନ ଆଉ ଟଙ୍କା: ସୁପ୍ରିମକୋର୍ଟ

Published By : Prameya-News7 Bureau | February 12, 2025 IST

ନୂଆଦିଲ୍ଲୀ ୧୧/୦୨: ଫ୍ରି ବିଜ୍ ବା ମାଗଣା ରାସନ ପ୍ରସଙ୍ଗରେ ବର୍ଷିଲେ ସୁୁପ୍ରିମକୋର୍ଟ । ସରକାରଙ୍କ ଦ୍ୱାରା ମିଳୁଥିବା ମାଗଣା ସୁବିଧା ସୁଯୋଗ ନେଇ କଡ୍ଡା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ ମାଗଣା ସିଷ୍ଟମକୁ କରିଛନ୍ତି ତୀବ୍ର ନିନ୍ଦା । କୋର୍ଟ କହିଛନ୍ତି ଯେ ଲୋକେ ମାଗଣା ରାସନ ଏବଂ ଟଙ୍କା ପାଉଥିବାରୁ କାମ କରିବାକୁ ଇଚ୍ଛୁକ ନୁହଁନ୍ତି ।

ଜଷ୍ଟିସ୍ ବି.ଆର. ଗବାଇ ଏବଂ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମସିହଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏପରି ମନ୍ତବ୍ୟ ଦେଇଛନ୍ତି। ଖଣ୍ଡପୀଠ ସହରରେ ରହୁଥିବା ବାସହୀନ ବ୍ୟକ୍ତିଙ୍କ ଆଶ୍ରୟ ଅଧିକାର ସହିତ ଜଡିତ ମାମଲାର ଶୁଣାଣି କରି ଏପରି କହିଛନ୍ତି । ଜଷ୍ଟିସ୍ ଗବାଇ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ, ଏହି ମାଗଣା ସୁବିଧା ଯୋଗୁଁ ଲୋକମାନେ କାମ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସେମାନଙ୍କୁ ମାଗଣା ରାସନ ମିଳୁଛି। ସେମାନେ କୌଣସି କାମ ନକରି ଟଙ୍କା ପାଉଛନ୍ତି। 

ସେହଭଳି ଆଟର୍ଣ୍ଣି ଜେନେରାଲ ଆର. ଭେଙ୍କଟରମଣି ଖଣ୍ଡପୀଠକୁ କହିଥିଲେ ଯେ, କେନ୍ଦ୍ର ସରକାର ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମିଶନକୁ ଚୂଡ଼ାନ୍ତ କରିବା ପ୍ରକ୍ରିୟାରେ ଅଛନ୍ତି ।  ଯାହା ଅଧୀନରେ ସହରାଞ୍ଚଳରେ ବାସହୀନଙ୍କୁ ଆଶ୍ରୟ ପ୍ରଦାନ କରିବା ସମେତ ବିଭିନ୍ନ ପ୍ରସଙ୍ଗର ସମାଧାନ କରାଯିବ। 

ଏହାର ଜବାବରେ, ଖଣ୍ଡପୀଠ ମିଶନର କାର୍ଯ୍ୟାନ୍ୱୟନ ପାଇଁ ସମୟସୀମା ନିଶ୍ଚିତ କରିବାକୁ ଆଟର୍ଣ୍ଣି ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ପରବର୍ତ୍ତୀ ଶୁଣାଣି ଛଅ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରହିଛି । ଏହା ପ୍ରଥମ ଥର ନୁହେଁ ଯେ ସର୍ବୋଚ୍ଚ ନ୍ୟାୟାଳୟ ମାଗଣା ଉପହାର ଉପରେ କେନ୍ଦ୍ରକୁ ସମାଲୋଚନା କରିଛନ୍ତି।

ଗତ ବର୍ଷ, ଏହା କେନ୍ଦ୍ର ଏବଂ ନିର୍ବାଚନ କମିଶନ (EC)କୁ ନିର୍ବାଚନ ପ୍ରଚାର ସମୟରେ ରାଜନୈତିକ ଦଳଗୁଡ଼ିକର ମାଗଣା ଉପହାର ପ୍ରଦାନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଏକ ଆବେଦନର ଉତ୍ତର ରଖିବାକୁ କହିଥିଲେ । କାରଣ ରାଜନୈତିକ ଦଳଗୁଡ଼ିକ ଭୋଟ ପାଇବା ପାଇଁ ମାଗଣା-କେନ୍ଦ୍ରିକ ଯୋଜନା ଉପରେ ବହୁଳ ଭାବରେ ନିର୍ଭର କରିଛନ୍ତି । ଯାହାର ସଦ୍ୟ ଉଦାହରଣ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ହୋଇଛି।

also read...

ଗୁରୁବାର ଲୋକସଭାରେ ଉପସ୍ଥାପିତ ହେବ ନୂତନ ଆୟକର ବିଲ୍, ବଦଳିଯିବ ଅନେକ ନିୟମ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.