ସୁରମା ପାଢୀ ହେବେ ଓଡିଶା ବିଧାନସଭାର ପରବର୍ତ୍ତୀ ବାଚସ୍ପତି, ଗୁରୁବାର ହେବ ଘୋଷଣା

Published By : Prameya-News7 Bureau | June 20, 2024 IST

ଭୁବନେଶ୍ୱର ୨୦।୦୬ : ବିଜେପିର ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ ହେବେ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି । ବାଚସ୍ପତି ପଦବି ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ସୁରମା ଦାଖଲ କରିଛନ୍ତି ନାମାଙ୍କନ ନୋଟିସ । ଗୁରୁବାର ବିଧାନସଭାରେ ବିଧିବଦ୍ଧ ଭାବେ ନୂଆ ବାଚସ୍ପତି ନେଇ ଘୋଷଣା ହେବ। ନୂଆ ବାଚସ୍ପତି ଭାବେ ସୁରମା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା, ଏକପ୍ରକାର ଥୟ । 

ପୂର୍ବ ନିର୍ଦ୍ଧାରିତ ସମୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ନିକଟରେ ବୁଧବାର ବାଚସ୍ପତି ପଦବୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୁରମା । ଏହି ସମୟରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରୀ ସୁରେଶ ପୂଜାରୀ, ମୁକେଶ ମହାଲିଙ୍ଗଙ୍କ ସମେତ ବିଜେପିର ବହୁ ବିଧାୟକ ଉପସ୍ଥିତ ଥିଲେ । ନାମାଙ୍କନ ପୂର୍ବରୁ ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକମାନଙ୍କ ବୈଠକ ହୋଇଥିଲା । ବୈଠକରେ ସୁରମାଙ୍କ ନାଁ ଉପରେ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା ।

ରଣପୁର ବିଧାୟିକା ସୁରମାଙ୍କ ଜନ୍ମ ୧୯୬୦ ମସିହାରେ । ହୋମ୍‌ ସାଇନ୍ସରେ ଏମ୍‌ଏ କରିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରୁ  ଏଲ୍‌ଏଲ୍‌ବି ଡିଗ୍ରୀ ହାସଲ କରିଛନ୍ତି ସୁରମା । ପ୍ରଥମେ ଓକିଲାତିକୁ ସେ ନିଜ ପେଷା କରିଥିଲେ । ୧୯୮୮ରେ ବିଜେପିରେ ଯୋଗ ଦେଇଥିଲେ । ଏକଦା ସୁରମା ଥିଲେ ରାଜ୍ୟ ବିଜେପିର ସବୁଠାରୁ ବଡ଼ ମହିଳା ନେତ୍ରୀ । ୧୯୯୮ରୁ ୨୦୦୦ ମସିହା ପର୍ଯ୍ୟନ୍ତ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ମଙ୍ଗ ରହିଥିଲା ସୁରମାଙ୍କ ହାତରେ । ୨୦୦୦ରୁ ୨୦୦୨ ଯାଏଁ ସୁରମା ବିଜେପିର ଜାତୀୟ ମହିଳା ମୋର୍ଚ୍ଚାର ନେତୃତ୍ୱ ନେଇଥିଲେ । ସେ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟନିର୍ବାହୀ ସଦସ୍ୟ ରହିବା ସହ ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଦାୟିତ୍ୱ ବି ତୁଲାଇଛନ୍ତି । ଉଭୟ ରାଜ୍ୟ ଓ ଜାତୀୟ ରାଜନୀତି ପତିଆରା ସୃଷ୍ଟି କରିଥିବା ସୁରମା ପ୍ରଥମ ଥର ପାଇଁ ୨୦୦୪ରେ ରଣପୁରରୁ ବିଧାୟିକା ନିର୍ବାଚିତ ହୋଇଥିଲେ । ସେତେବେଳେ ବିଜେଡି-ବିଜେପି ମେଣ୍ଟ ସରକାରରେ ସୁରମା ଥିଲେ ସମବାୟ ମନ୍ତ୍ରୀ । 

ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିଛି । ବିଜେପି ସରକାରକୁ ଆସିଥିବାବେଳେ ସୁରମାଙ୍କୁ ବାଚସ୍ପତି ଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦ ମିଳିବାକୁ ଯାଉଛି । ବିଜେଡିର ଶେଷ ପାଳି ସରକାରର ଶେଷ ଭାଗରେ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି (ସ୍ୱାଧୀନତା ପରବର୍ତ୍ତୀ) ହୋଇଥିଲେ । ପ୍ରମିଳାଙ୍କ ପରେ ଏବେ ସୁରମା ବିଧାନସଭା ଗୃହ କାର୍ଯ୍ୟକୁ ପରିଚାଳନା କରିବେ ।

 

  • OdishaNews
  • Odisha Assembly
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.