ଭୁବନେଶ୍ବର ୧୭।୭: ପୋଷ୍ଟରରେ ଆତ୍ମହତ୍ୟା ଧମକ । ଏଫ୍ଏମ୍ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା ପରେ ଏଭଳି ବୁଧବାର ସକାଳେ ପାତ୍ରପଡ଼ା-ଏମ୍ସ ରାସ୍ତାର ଗୋଟିଏ ପାର୍ଶ୍ବରେ ଲାଗିଥିଲା ଏମିତି ଏକ ପୋଷ୍ଟର । ପୋଷ୍ଟରରେ ଯାହା ଲେଖାଥିବା ତାହା ଥିଲା ଚାଞ୍ଚଲ୍ୟକର । ନାଲି ଅକ୍ଷରରେ ଲେଖାଥିବା ଏହି ପୋଷ୍ଟରକୁ ଯିଏ ଦେଖୁଥିଲା ସିଏ ଅଟକିଯାଉଥିଲା ।
ପୋଷ୍ଟରରେ ଲେଖାଥିଲା, ‘ପ୍ରିୟ ମୁଖ୍ୟମନ୍ତ୍ରୀ ମହାଶୟ, ପରିବାର ଚଳାଇବା ପାଇଁ ଆମେ ଏମ୍ସ ଭୁବନେଶ୍ୱର ପାଖରେ ଗୋଟିଏ ଛୋଟିଆ ଦୋକାନଟିଏ କରିଛୁ । ଦିନକୁ ୪୦୦ ଟଙ୍କା ଘର ମାଲିକଙ୍କୁ ଦେଉଛୁ । ତା ବାଦ୍ ସ୍ଥାନୀୟ କର୍ପୋରେଟରଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦେଉଛୁ । ହେଲେ କିଛି ଦିନ ହେବ ଚଇ, ଚୁଙ୍ଗା ଓ ତା’ ସାଙ୍ଗମାନେ ମୋତେ ଧମକାଇ ୫ ହଜାର ଟଙ୍କା ଦାଦାବଟି ମାଗୁଛନ୍ତି । ବଟି ନଦେବାରୁ ମୋ ସ୍ତ୍ରୀ’ ସହିତ ଖରାପ ବ୍ୟବହାର କରିବା ସହିତ ଚରିତ୍ର ସଂହାର କରୁଛନ୍ତି । ବାଡ଼େଇବାକୁ କହୁଛନ୍ତି । ଆମେ କାହାକୁ ଯାଇ କହିବୁ ଜାଣିନାହୁଁ । ଏହି ଲେଖା ମାଧ୍ୟମରେ ଆପଣଙ୍କୁ ଜଣାଉଛୁ । ଯଦି ଆମ କଥା ବୁଝା ନଯାଏ ତେବେ ଆମେ ସ୍ୱାମୀ-ସ୍ତ୍ରୀ ସୌମ୍ୟାଶ୍ରୀଙ୍କ ଭଳିଆ ଆତ୍ମହତ୍ୟା କରିବୁ । ଏଥିପାଇଁ ସ୍ଥାନୀୟ କର୍ପୋରେଟର ସମ୍ପୂର୍ଣ୍ଣ ଦାୟୀ ରହିବେ ।’
ତେବେ କିଏ ଏଭଳି ପୋଷ୍ଟର ଲେଖି ଏଠାରେ ଟାଙ୍ଗିଛି ତାହା ପୋଷ୍ଟରରେ ନଥିଲା । ଏଭଳି ବେନାମୀ ପୋଷ୍ଟରର ଲେଖା ପଢ଼ି ସମସ୍ତେ ଛାନିଆ ହୋଇଯାଇଥିଲେ । ଖବର ପାଇ ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲା । ହେଲେ ପୋଲିସ ମଧ୍ୟ କୌଣସି ଠୋସ୍ ପ୍ରମାଣ ପାଇନଥିଲା । ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ପୋଷ୍ଟରଟି ସେମିତି ଝୁଲୁଥିଲା । ଏହାପରେ କେହି ତାକୁ ଚିରି ପକାଇଥିବା ଜଣାପଡିଥିଲା । ତେବେ ଏହି ପୋଷ୍ଟରଟି ସତ୍ୟ ନା କେହି ଜାଣିଶୁଣି ଏଭଳି ଲେଖିଛି । ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣାକୁ ନକଲ କରି କେହି ଏମିତି କରିଥିବା ସନ୍ଦେହ କରାଯାଉଛି ।
You Can Read: