ଶୁକ୍ରବାରଠୁ ବଦଳିବ ପାଗ ମିଜାଜ୍, ସପ୍ତାହେ ଖରାରୁ ମିଳିବ ଆଶ୍ୱସ୍ତି, ୨୮ ଯାଏଁ ବର୍ଷା ସମ୍ଭାବନା

Published By : Prameya-News7 Bureau | February 23, 2024 IST

ଭୁବନେଶ୍ୱର,୨୩/୦୨: ରାଜ୍ୟରେ ପାଗ ବଦଳିବ । ଖରା କମିବ । କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ବି ହୋଇପାରେ । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବା ସମ୍ଭାବନା ନାହିଁ ରାଜ୍ୟରେ । ଅପରପକ୍ଷରେ ବର୍ତ୍ତମାନ ତୁଳନାରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ସମ୍ଭାବନା ଅଛି । ଗୁରୁବାର ରାଜ୍ୟର ୧୮ଟି ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ୍‌ କିମ୍ବା ତା’ଠାରୁ ଅଧିକ ଥିଲା ।

ସୋନପୁରରେ ସର୍ବାଧିକ ୩୬.୩ ଡିଗ୍ରୀ, ଭୁବନେଶ୍ୱର ୩୬.୨, ତାଳଚେର ୩୬.୨, ଟିଟିଲାଗଡ଼ ୩୬ ଓ ବୌଦ୍ଧ ୩୬ ଡିଗ୍ରୀ ସେଲସିୟସ୍‌ ଥିଲା । ଭଦ୍ରକ, ଝାରସୁଗୁଡ଼ା, ଢେଙ୍କାନାଳ, ଭବାନୀପାଟଣା, ନୟାଗଡ଼, ବଲାଙ୍ଗୀର, କଟକ, ମାଲକାନଗିରି, ଅନୁଗୁଳ, ବାଲେଶ୍ୱର, ଚାନ୍ଦବାଲି, ଯାଜପୁର ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିଲା ।

ଦିନବେଳା ସାମୁଦ୍ରିକ ପବନ ଥିବାରୁ ତାତି ପ୍ରକୋପ ଅଧିକ ଅନୁଭୂତ ହୋଇନଥିଲା । ଶୁକ୍ରବାରଠୁ ପଶ୍ଚିମା ଝଡ଼ ଓ ଗୁରୁଚାପ ବଳୟ ପ୍ରଭାବରୁ ପାଗ ବଦଳିବ । ଗୁରୁଚାପ ବଳୟ ଯୋଗୁ ଜଳୀୟବାଷ୍ପ ବାୟୁମଣ୍ଡଳରେ ରହିବ । ଏହା ପଶ୍ଚିମ ପଟୁ ଆସୁଥିବା ଶୁଷ୍କ ପବନ ସଂସ୍ପର୍ଶରେ ଆସି ବର୍ଷା କରାଇବା ସମ୍ଭାବନା ଅଛି । ପାଣିପାଗ ବିଭାଗ କହିଛି, ଶୁକ୍ରବାର ଉପକୂଳ ଓଡ଼ିଶା ସହ ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ।

wp:embed {"url":"https://www.prameyanews7.com/heat-wave-aleart-in-odisha/","type":"wp-embed","providerNameSlug":"prameya-news-7"}
https://www.prameyanews7.com/heat-wave-aleart-in-odisha/
/wp:embed

ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ଶନିବାର ଉତ୍ତର ଉପକୂଳ ଓଡ଼ିଶା ସହ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, କନ୍ଧମାଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, କଳାହାଣ୍ଡି, କନ୍ଧମାଳର ଅଳ୍ପ କେତେକ ସ୍ଥାନରେ ଏବଂ ଦକ୍ଷିଣ ଉପକୂଳ ଏବଂ ରାୟଗଡ଼ା, କୋରାପୁଟର ସ୍ଥାନେ ସ୍ଥାନେ ବର୍ଷା ସମ୍ଭାବନା ଅଛି ।

ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କଟକ, ବୌଦ୍ଧ, କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । ୨୮ ପର୍ଯ୍ୟନ୍ତ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ମୁଖ୍ୟତଃ ବର୍ଷାର ପରିମାଣ ପ୍ରାୟତଃ ହାଲୁକା ରହିବ । ଏହା ପ୍ରଭାବରେ ଦିନ ତାପମାତ୍ରା କମିବ । ହେଲେ ରାତି ତାପମାତ୍ରା କମିବନି । ରାତି ତାପମାତ୍ରା ପ୍ରାୟତଃ ୨୦ ଡିଗ୍ରୀ ଉପରେ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.