ଭଦ୍ରକ ଜିଲ୍ଲା ପରିଷଦ ବୈଠକରେ ଉତ୍ତେଜନା,ଧାନ ଧରି ଧସେଇ ପଶିଲେ ଚାଷୀ

Published By : Prameya-News7 Bureau | January 24, 2025 IST

ଭଦ୍ରକ ୨୪/୧:  ଭଦ୍ରକ ଜିଲ୍ଲା ପରିଷଦ ବୈଠକରେ ଧାନ ତାତି । ଧାନ ଧରି ଧସେଇ ପଶିଲେ ଚାଷୀ । କଟ୍‌ନି ଛଟ୍‌ନି ଓ ମିଲରଙ୍କ ମନମାନି ଅଭିଯୋଗ ଆଣିଛନ୍ତି ଚାଷୀ । ହୋ ହଲ୍ଲା ଓ ନାରାବାଜିରେ ଉଠିଲା ପଡିଲା ବୈଠକ । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଫୋର୍ସ ମୁତୟନ କରିବାକୁ ପଡିଲା ।

ପୁଣି ସାମ୍ନାକୁ ଆସିଛି ଚାଷୀଙ୍କ ସମସ୍ୟା । ଧାନ କିଣା ଅବ୍ୟବସ୍ଥାର ଆଉ ଏକ ଚିତ୍ର । ଧାନ ଧରି ଧସେଇ ପଶିଲେ ଚାଷୀ । କଟ୍‌ନି ଛଟ୍‌ନି ହେଉଥିବା ଧାନକୁ ଜିଲ୍ଲାପାଳ ଓ ବିଧାୟକଙ୍କ ସାମ୍ନାରେ ରଖିଥିଲେ । ଭଦ୍ରକ ଜିଲ୍ଲା ପରିଷଦ ବୈଠକରେ ଧାନ ତାତି । କିଛି ସମୟ ପାଇଁ ଉତ୍ତେଜନମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଚାଷୀଙ୍କ ସମର୍ଥନରେ ବାହାରି କଟ୍‌ନି ଛଟ୍‌ନି ଓ ମିଲର୍ସଙ୍କ ମନମାନି ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରିଥିଲେ ବିଧାୟକ। 

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ,ବାସୁଦେବପୁର ବିଧାୟକ ଅଶୋକ ଦାସ କହିଥିଲେ ପ୍ରତି ମଣ୍ଡିରେ ୭ରୁ ୮ କିଲୋ କଟ୍‌ନି ଛଟ୍‌ନି କରାଯାଉଛି । ହେଲେ ଚାଷୀଙ୍କ ସମସ୍ୟା ପ୍ରତି କେହି ଧ୍ୟାନ ଦେଉନାହାନ୍ତି । ଏହାକୁ ନେଇ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କୁ ଘେରିଥିଲେ ଅନ୍ୟ ବିଧାୟକ । ଉଭୟଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହଇଥିଲା । ପରେ ଉଭୟ ଦଳର ସମର୍ଥକମାନେ ଅଫିସ ବାହାରେ ନାରାବାଜି କରିଥିଲେ ।

ଚାଷୀଙ୍କ ଅଭିଯୋଗ ହେଉଛି ପ୍ରଶାସନ କହୁଛି କଟ୍‌ନି ଛଟ୍‌ନି ହେଉନି । ହେଲେ ବିନା କଟ୍‌ନି ଛଟ୍‌ନିରେ ଧାନ ନେଉନାହାନ୍ତି ମିଲର୍ସ । ସେପଟେ ଭଦ୍ରକ ବିଧାୟକ ସୀତାଂଶୁ କହିଛନ୍ତି ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉଛନ୍ତି ସରକାର । ବିରୋଧୀ ଦଳ ବୈଠକ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି । 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.