ଭୁବନେଶ୍ବର ୨୧/୧: କଣାସ ଝାଡାବାନ୍ତି ସ୍ଥିତି ଉପରେ ଆମେ ନଜର ରଖିଛୁ । ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ କଣାସକୁ ପଠାଯାଇଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ ଆହୁରି କହିଛନ୍ତି ପର୍ଯ୍ୟାପ୍ତ ପରିମାଣରେ ଔଷଧ ମହଜୁଦ ରହିଛି । ଲୋକଙ୍କୁ ସଚେତନ କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଣାସ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ସରକାର ସଜାଗ ଅଛନ୍ତି । ଚିକିତ୍ସା ସେବା ଠିକଭାବରେ ଚାଲିଛି । ସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭାବିତ ଅଞ୍ଚଳରେ କିପରି ଝାଡାବାନ୍ତି ଅଧିକ ନବ୍ୟାପେ ସେଥିପାଇଁ ଆମେ ପଦକ୍ଷେପ ନେଉଛୁ ଆଉ ସଜାଗ ରହିଛୁ ।
କଣାସ ଅଞ୍ଚଳରେ ୭-୮ ଦିନ ହେଲାଣି ବ୍ୟାପିଲାଣି ଝାଡାବାନ୍ତି । ମୋଟ୍ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଥିଲା । ସେଥିରୁ ଜଣକର ଡାଇରିଆରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ଅନ୍ୟ ୨ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । କଣାସରେ ପ୍ରଥମେ ଏକ ଭୋଜିରୁ ଝାଡାବାନ୍ତି ଆରମ୍ଭ ହୋଇଥିଲା । ତାପରେ ଆଖପାଖ ୫ଟି ଗାଁକୁ ବ୍ୟାପିଛି ।
ଏବେ ସୁଦ୍ଧା ପ୍ରଭାବିତ ଅଞ୍ଚଳର ୭୧ ଜଣ ସଂକ୍ରମିତ ହୋଇଛନ୍ତି । ଦୟା ନଦୀରୁ ଦୂଷିତ ଜଳ ବ୍ୟବହାର ଯୋଗୁଁ ଡାଇରିଆ ବ୍ୟାପିଥିବା ଜଣାପଡିଛି । ନମୁନା ପରୀକ୍ଷାରୁ ଇ-କୋଲି ବ୍ୟାକ୍ଟେରିଆ ଚିହ୍ନଟ ହୋଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି । ସେ ଅଞ୍ଚଳରେ ଭୁବନେଶ୍ଵରରୁ ୨ଟି ଟିମ ସହ ସ୍ବାସ୍ଥ୍ୟ ବିଭାଗର ମୋଟ ୮ଟି ଟିମ ନିୟୋଜିତ ହୋଇଛନ୍ତି । ନଦୀର ସବୁ ଘାଟକୁ ସୁପର କ୍ଲୋରିନେସନ୍ ବା ବିଶୋଧନ କରାଯାଉଛି । ସରକାରଙ୍କ ପକ୍ଷରୁ ବିଶୁଦ୍ଧ ଜଳ ଯୋଗାଇ ଦିଆଯାଉଛି ।